ହିମାଚଳରେ ହାରିଲେ ଧୁମଲ

କିଏ ହେବେ ମୁଖ୍ୟମନ୍ତ୍ରୀ?

ସିମଳା : ହିମାଚଳପ୍ରଦେଶ ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଆସନ ଦଖଲ କରିଥିଲେ ହେଁ ଦଳକୁ ଭିନ୍ନ ଝଟ୍‌କା ଲାଗିଛି। ସୁଜନପୁର ଆସନରୁ ଲଢ଼ୁଥିବା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ କଂଗ୍ରେସ ପ୍ରାର୍ଥୀ ରାଜିନ୍ଦର ରାଣାଙ୍କ ଠାରୁ ହାରିଯାଇଛନ୍ତି। ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିବା ଧୁମାଲଙ୍କ ପରାଜୟ ଏବେ ଦଳପାଇଁ ନେତୃତ୍ୱ ଚୟନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।। ଅବଶ୍ୟ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପୂର୍ବରୁ କୁତଲେହର ଆସନରୁ ଜିତିଥିବା ବିଜେପି ବିଧାୟକ ବୀରେନ୍ଦ୍ର କଓ୍ଵଁରଙ୍କ ଆନ୍ତରିକ ବକ୍ତବ୍ୟ ଏ ପରିପ୍ରେକ୍ଷୀରେ ଗୁରୁତ୍ୱ ରଖୁଛି। ଧୁମାଲ ହାରିଗଲେ ତାଙ୍କ ପାଇଁ କୁତଲେହର ଆସନ ଛାଡ଼ିବାକୁ ପ୍ରସ୍ତୁତ ବୋଲି ବୀରେନ୍ଦ୍ର କରିଥିବା ଘୋଷଣା କିଛି ମାତ୍ରାରେ ଦଳ ପାଇଁ ଆଶ୍ୱସ୍ତି ଆଣିପାରେ। ମାତ୍ର ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଯିବା ହିଁ ନେତୃତ୍ୱ ସଂକଟ
ଆଶଙ୍କାକୁ ଟାଳି ଦେଇନପାରେ। ତେବେ ମୁଖ୍ୟମନ୍ତ୍ରୀ ପଦବି ପାଇଁ ଏବେ ଦଳ ବିକଳ୍ପ ଦାବିଦାରଙ୍କ କଥା ବିଚାର କରୁଛି।

ଏ ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହିମାଚଳପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଜେ ପି ନଡ୍ଡାଙ୍କ ନାମ ପ୍ରଥମେ ଆସୁଛି। ୧୯୯୩, ୧୯୯୮ ଏବଂ ୨୦୦୭ ମସିହାରେ ବିଧାୟକ ଭାବେ ନିର୍ବାଚିତ ହେବା ସହ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ, ପରିବେଶ, ବିଜ୍ଞାନ ଓ କାରିଗର କୌଶଳ ବିଭାଗ ମନ୍ତ୍ରାଳୟ ସମ୍ଭାଳିଥିବା ନଡ୍ଡାଙ୍କର ନିଜ ପାହାଡ଼ୀ ରାଜ୍ୟ ସମ୍ପର୍କରେ ବିଶଦ ଜ୍ଞାନ ରହିଛି। ତେବେ ରାଜ୍ୟରେ ଠାକୁର ସମ୍ପ୍ରଦାୟଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ବ୍ରାହ୍ଣଣ ଜାତିର ନଡ୍ଡାଙ୍କ ପାଇଁ ପ୍ରତିବନ୍ଧକ ଆସିପାରେ।

ତାଙ୍କ ପଛକୁ ପ୍ରେମକୁମାର ଧୁମାଲଙ୍କ କନିଷ୍ଠ ପୁଅ ତଥା ଲୋକସଭା ସାଂସଦ ଅନୁରାଗ ଠାକୁରଙ୍କ ନାମ ବିଚାରକୁ ନିଆଯାଇପାରେ। ହିମାଚଳର ହମିରପୁର ସଂସଦୀୟ କ୍ଷେତ୍ରକୁ ତିନି ତିନି ଥର(୨୦୦୮, ୨୦୦୯ ଏବଂ ୨୦୧୪) ପ୍ରତିନିଧିତ୍ୱ କରି ଆସୁଥିବା ୪୩ ବର୍ଷୀୟ ଅନୁରାଗ ରାଜ୍ୟବାସୀଙ୍କ ପାଇଁ ଏକ ଲୋକପ୍ରିୟ ନାଁ ଏବଂ ଯୁବଗୋଷ୍ଠୀଙ୍କର ଅନ୍ୟତମ ପସନ୍ଦ ମଧ୍ୟ। ସେ ମଧ୍ୟ ଦଳର ଯୁବ ଶାଖାର ରାଷ୍ଟ୍ରୀୟ ସଭାପତି ରହିବା ସହ ଗତବର୍ଷ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡର ସଭାପତି ଭାବେ ନିର୍ବାଚିତ ହୋଇ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ସେହିପରି ସୁଖରାମଙ୍କ ପୁଅ ଅନୀଲ ଶର୍ମା ମଧ୍ୟ ଏହି ମୁଖ୍ୟମନ୍ତ୍ରୀ ପଦବି ପାଇଁ ବିଜେପିର ଅନ୍ୟତମ ଦାବିଦାର ଭାବେ ଗଣନା କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିକୁ ଡେଇଁଥିବା ଅନୀଲ୍‌ ବିଦାୟୀ ବୀରଭଦ୍ର ସିଂହଙ୍କ ସରକାରରେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଏଭଳି ସୁବିଧାବାଦୀଙ୍କୁ ଦଳ ପୁରସ୍କୃତ କରିବା ସପକ୍ଷରେ ଦଳର ଅନେକ ପୁରୁଖା ନେତା ବିମୁଖ ଥିବା ଜଣାଯାଇଛି।

ଶେଷରେ ଅନ୍ୟତମ ଠାକୁର ନେତା ନରେନ୍ଦ୍ର ଠାକୁରଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। ୨୦୦୩ରେ ବିଜେପି ଟିକେଟରୁ ବଞ୍ଚିତ ନରେନ୍ଦ୍ର ଦଳ ଛାଡ଼ିବା ସହ ମିତ୍ରମଣ୍ଡଳୀ ନାମରେ ନୂଆଦଳ ଗଢ଼ିଥିଲେ। ପରେ ସେ କଂଗ୍ରେସରେ ମିଶି ୨୦୦୯ ଲୋକସଭା ଓ ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଯଥାକ୍ରମେ ଅନୁରାଗ ଠାକୁର ଏବଂ ପ୍ରେମକୁମାରଙ୍କ ବିରୋଧରେ ଲଢ଼ି ବିଫଳ ହୋଇଥିଲେ। ତେବେ ୨୦୧୪ରେ ସୁଜନପୁର ବିଧାନସଭା ଆସନ ଉପନିର୍ବାଚନ ପୂର୍ବରୁ ସେ ବିଜେପିକୁ ଫେରିଆସି ସେଠାରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ହମିରପୁର ଆସନରୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ପାର୍ଟିର ଅନ୍ୟତମ ନେତା ଜୟରାମ ଠାକୁରଙ୍କ ନାମ ମଧ୍ୟ ଚର୍ଚାକୁ ଆସିଛି। ଆଜି ଏସଂପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର