ବ୍ରିଟିସ ଶାସନରେ ପ୍ରାଦେଶିକ ନିର୍ବାଚନ (ପୂର୍ବ ପ୍ରକାଶିତ ଉତ୍ତାରୁ)

୧୯୩୬-୩୭ରେ ବ୍ରିଟିସ ଶାସନାଧୀନ ଭାରତରେ ୧୯୩୫ ଆକ୍ଟ ଅନୁସାରେ ପ୍ରାଦେଶିକ ନିର୍ବାଚନ ହୋଇଥିଲା। ନିର୍ବାଚନ ହୋଇଥିବା ୧୧ଟି ପ୍ରଦେଶ ହେଲା:- ମାନ୍ଦ୍ରାଜ, ମଧ୍ୟ୍ୟପ୍ରଦେଶ (ସେଣ୍ଟ୍ରାଲ ପ୍ରଭିନ୍ସ), ବିହାର, ଓଡ଼ିଶା, ସଂଯୁକ୍ତ ପ୍ରଦେଶ (ୟୁନାଇଟେଡ ପ୍ରଭିନ୍ସ), ବମ୍ବେ ପ୍ରେସିଡେନ୍ସି, ଆସାମ, ଉତ୍ତର-ପଶ୍ଚିମାଞ୍ଚଳ-ସୀମାନ୍ତ ପ୍ରଦେଶ (ଏନ୍‌ଡବ୍ଲୁଏଫ୍‌ପି), ବେଙ୍ଗଲ, ପଞ୍ଜାବ ଓ ସିନ୍ଧ ପ୍ରଦେଶ। ୧୯୩୭ ଫେବ୍ରୁଆରିରେ ଫଳାଫଳ ଘୋଷିତ ହେଲା। ବେଙ୍ଗଲ, ପଂଜାବ ଓ ସିନ୍ଧକୁ ଛାଡ଼ିଦେଲେ ଅନ୍ୟ ୮ଟି ପ୍ରଦେଶରେ ଭାରତୀୟ ଜାତୀୟ କଂଗ୍ରେସ ସରକାର ଗଠନ କଲା। ସର୍ବଭାରତୀୟ ମୁସ୍‌ଲିମ୍ ଲିଗ୍ ଗୋଟିଏ ବି ପ୍ରଦେଶରେ କ୍ଷମତା ଦଖଲ କରିପାରିନଥିଲା। ତେବେ କଂଗ୍ରେସ ସରକାରଗୁଡ଼ିକ ମାତ୍ର ଅଢ଼େଇ ବର୍ଷ କ୍ଷମତାରେ ରହିପାରିଥିଲେ। ଭାରତୀୟମାନଙ୍କ ସହ ଆଲୋଚନା ନ କରି ୧୯୩୯ରେ ବଡ଼ଲାଟ ଲର୍ଡ ଲିନ୍‌ଲିଥ୍‌ଗୋ ଏକତରଫା ଭାବେ ଦ୍ବିତୀୟ ବିଶ୍ବଯୁଦ୍ଧରେ ମିତ୍ରଶକ୍ତି ପକ୍ଷରୁ ଭାରତର ଯୋଗଦାନ ଘୋଷଣା କରିବା ଦ୍ବାରା କଂଗ୍ରେସ ବିରୋଧ କଲା। ଅକ୍ଟୋବର-ନଭେମ୍ବରରେ ଏହାର ସବୁ ସରକାର ଇସ୍ତଫା ଦେଲେ।

୧୯୩୫ ଆକ୍ଟ ଅନୁସାରେ ମୋଟ ୩ କୋଟି ସାବାଳକ(୨୧ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସଙ୍କୁ ଭୋଟଦାନ ଅଧିକାର ମିଳିଥିଲା, ଯାହା କି ଦେଶର ସମୁଦାୟ ସାବାଳକଙ୍କ ମଧ୍ୟରୁ ଏକଷଷ୍ଠାଂଶ। ଉକ୍ତ ତାଲିକାରେ ଅଳ୍ପ କିଛି ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିଥିଲା। ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନରେ ଜେଲ ଯାଇଥିବା କଂଗ୍ରେସ ନେତାମାନେ ଏହି ନିର୍ବାଚନକୁ ଏକ ସୁଯୋଗ ଭାବେ ବ୍ୟବହାର କଲେ। ଜେଲ୍‌ରୁ ବାହାରିବା ପରେ ସାଧାରଣରେ ସେମାନଙ୍କର ସମ୍ମାନ ବୃଦ୍ଧି ହୋଇଥିଲା। କଂଗ୍ରେସ ମଧ୍ୟ ନିର୍ବାଚନକୁ ନିଜର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବାରେ ଉପଯୋଗ କରିଥିଲା। ପ୍ରାୟ ମୋଟ ୧୫୦୦ ଆସନରୁ କଂଗ୍ରେସ ୭୫୮ ଆସନ ହାସଲ କରିପାରିଥିଲା। ଉକ୍ତ ନିର୍ବାଚନର ଆଉ ଏକ ବୈଶିଷ୍ଟ୍ୟ ହେଲା, କଂଗ୍ରେସ ସାଂପ୍ରଦାୟିକତାକୁ ଅଣଦେଖା କରିଥିଲା। ମୁସଲମାନ ସଂପ୍ରଦାୟ ସହ ଗଣଯୋଗଯୋଗ କାର୍ଯ୍ୟକ୍ରମ ନେହେରୁ ବିଳମ୍ବରେ ଅର୍ଥାତ ୧୯୩୭ ମାର୍ଚ୍ଚରେ ଆରମ୍ଭ କରିଥିଲେ। ମୋଟ ୪୮୨ ଗୋଟି ମୁସ୍‌ଲିମ ଆସନରୁ କଂଗ୍ରେସ ମାତ୍ର ୫୮ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେଥରୁ ୨୬ଟି ଆସନରେ କଂଗ୍ରେସର ମୁସ୍‌ଲିମ୍ ପ୍ରାର୍ଥୀମାନେ ଜିଣିଥିଲେ। ନିର୍ବାଚନରେ ମୁସ୍‌ଲିମ୍ ସଂପ୍ରଦାୟଙ୍କ ପର୍ଯ୍ୟାପ୍ତ ସମର୍ଥନ ପାଇବାରେ ବିଫଳ ହେବା ସତ୍ତ୍ବେ କଂଗ୍ରେସ ସବୁ ସଂପ୍ରଦାୟର ପ୍ରତିନିଧିତ୍ବ କରୁଥିବା ନେଇ ଦାବି କରିଚାଲିଥିଲା। ତେବେ ଦଳର ଅଳ୍ପସଂଖ୍ୟକ ମୁସଲମାନ ପ୍ରତିନିଧି ନିର୍ବାଚିତ ହୋଇଥିବାରୁ ମନ୍ତ୍ରିମଣ୍ଡଳରେ ଉକ୍ତ ସଂପ୍ରଦାୟରୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ସମ୍ଭବ ହୋଇନଥିଲା।

ଅନ୍ୟ ପକ୍ଷରେ ମୁସ୍‌ଲିମ୍ ଲିଗ୍ ମଧ୍ୟ ସମଗ୍ର ମୁସଲମାନ ସଂପ୍ରଦାୟ ଉପରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇନଥିଲା। କଂଗ୍ରେସ ମାତ୍ର ୬ ପ୍ରତିଶତ ମୁସ୍‌ଲିମ ଆସନ ଅକ୍ତିଆର କରିଥିବା ବେଳେ ମୁସ୍‌ଲିମ୍ ଲିଗ୍‌ ୨୫ ପ୍ରତିଶତ ଆସନ ହାତେଇ ପାରିଥିଲା। ଅଧିକାଂଶ ଆସନ ଅଣକଂଗ୍ରେସ ଓ ଅଣମୁସ୍‌ଲିମ୍ ଲିଗ ମୁସଲମାନମାନେ ହାସଲ କରିଥିଲେ। ଏନ୍‌ଡବ୍ଲୁଏଫ୍‌ପି, ମାନ୍ଦ୍ରାଜ ଓ ବିହାରକୁ ଛାଡ଼ିଦେଲେ ଅନ୍ୟ କେଉଁଠି କଂଗ୍ରେସର ମୁସଲମାନ ନେତାଏ ଜିତିପାରିନଥିଲେ। ଦଳର ସମସ୍ତ ୨୬ ଆସନ ଏହି ତିନି ପ୍ରଦେଶରେ ହିଁ ସୀମିତ ଥିଲା।

ସମ୍ବନ୍ଧିତ ଖବର