ଏକ ସଂଗେ ଦୁଇଟି ଆସନରୁ ଲଢ଼ିବା ନଜିର ବହୁତ

୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଗୋଟିଏ ନିର୍ବାଚନରେ ଜଣେ ପ୍ରାର୍ଥୀ ଏକାଧିକ ଆସନରେ ଲଢ଼ିପାରିବାର ବ୍ୟବସ୍ଥ‌ା ରହିଆସିଥିଲା। ଫଳରେ ଜଣେ ଜଣେ ବ୍ୟକ୍ତି ଏକସଂଗେ ଦୁଇ କିମ୍ବା ଅଧିକ ଆସନରେ ଲଢ଼ୁଥିବା ଦେଖାଯାଉଥିଲା। ତେବେ ଏକାଧିକ ଆସନରୁ ଜିଣିଲେ ମଧ୍ୟ ଜଣେ କେବଳ ଗୋଟିଏ ଆସନ ରଖୁଥିବାରୁ ଅବଶିଷ୍ଟ ଆସନରେ ଉପନିର୍ବାଚନ ଅବଶ୍ୟମ୍ଭାବୀ ହେଉଥିଲା। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ୧୯୯୬ରେ ଉକ୍ତ ଆଇନରେ ସଂଶୋଧନ କରାଗଲା। ଏହା ପରଠାରୁ ଜଣେ ପ୍ରାର୍ଥୀ ଗୋଟିଏ ନିର୍ବାଚନରେ ସର୍ବାଧିକ ଦୁଇଟି ଆସନରେ ଲଢ଼ିପାରିବାର ବ୍ୟବସ୍ଥା ରହିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପୁରୁଣା ହିଞ୍ଜିଳି ସାଙ୍ଗକୁ ବରଗଡ଼ର ବିଜେପୁର ଆସନରୁ ମଧ୍ୟ ଲଢ଼ିବା ପାଇଁ ସୋମବାର ଘୋଷଣା କରିବା ପରେ ଏ ନେଇ ଅତୀତର କେତୋଟି ଉଦାହରଣ ପୁଣି ଚର୍ଚ୍ଚାକୁ ଆସିଛି।

୧୯୭୭ ଷଷ୍ଠ ସାଧାରଣ ନିର୍ବାଚନରେ ରାଏବରେଲିରୁ ଇନ୍ଦିରା ଗାନ୍ଧିଙ୍କର ଅପ୍ରତ୍ୟାଶିତ ପରାଜୟ ପରେ ୧୯୮୦ରେ ସେ ଆଉ ରିସ୍କ ନେବାକୁ ଚାହିଲେ ନାହିଁ। ନିଜ ପୁରୁଣା ଆସନ ରାଏବରେଲି ସାଙ୍ଗକୁ ତଦାନାନ୍ତୀନ ଆନ୍ଧ୍ରପ୍ରଦେଶ(ଏବର ତେଲେଙ୍ଗାନା)ର ମେଡାକ୍ ଆସନରୁ ମଧ୍ୟ ଲଢ଼ିଥିଲେ। ଉଭୟ ଆସନରୁ ଜିଣିବା ପରେ ସେ ମେଡାକ୍ ଆସନ ଛାଡ଼ିଦେଇଥିଲେ।

ପ୍ରାୟ ଦୁଇ ଦଶନ୍ଧି ପରେ ଇନ୍ଦିରାଙ୍କ ଏହି ପଦକ୍ଷେପକୁ ଅନୁସରଣ କରିଥିଲେ ତାଙ୍କ ପୁତ୍ରବଧୂ ସୋନିଆ ଗାନ୍ଧି। ୧୯୯୯ ଲୋକସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସଭାନେତ୍ରୀ ସୋନିଆ ପରିବାରର ପୁରୁଣା ଆସନ ଉତ୍ତର ପ୍ରଦେଶର ଆମେଥିରୁ ପୁଣି ଲଢ଼ିବା ସହ ସେଥର ଏକସଂଗେ ଦକ୍ଷିଣରେ କର୍ଣ୍ଣାଟକର ବେଲାରୀ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ବେଲାରୀ ଆସନରେ ତାଙ୍କ ସହ ବିଜେପି ନେତ୍ରୀ ସୁଷମା ସ୍ବରାଜ ଲଢ଼ିଥିଲେ। ଉଭୟ ଆସନରୁ ଜିତିବା ପରେ ସୋନିଆ ବେଲାରୀ ଆସନ ଛାଡ଼ିଦେଇଥିଲେ।

ଗତ ୨୦୧୪ ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ନିଜ ରାଜ୍ୟ ଗୁଜରାଟର ଭଦୋଦରା ଆସନ ସହ ଉତ୍ତର ପ୍ରଦେଶର ବାରାଣାସୀ ଆସନରୁ ଲଢ଼ି ଉଭୟ ଆସନରୁ ବିପୁଳ ଭୋଟରେ ଜିଣିଥିଲେ। ସେ ବାରାଣାସୀ ଆସନ ରଖିବାକୁ ନିଷ୍ପତ୍ତି ନେଇଥିଲେ।

୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ଜନସଂଘ ନେତା ଅଟଳ ବିହାରୀ ବାଜପେୟୀ ଲକ୍ଷ୍ନୋୖ ଆସନରେ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ପରବର୍ତ୍ତୀ ୧୯୫୭ ଦ୍ବିତୀୟ ସାଧାରଣ ନିର୍ବାଚନରେ ଏକସଂଗେ ତିନୋଟି ଆସନରେ ପ୍ରତିଦ୍ବନ୍ଦ୍ବିତା କଲେ। ୩୨ ବର୍ଷ ବୟସ୍କ ବାଜପେୟୀ ସେଥର ବଳରାମପୁରରୁ ନିର୍ବାଚିତ ହୋଇଥିବା ବେଳେ ପୁରୁଣା ଆସନ ଲକ୍ଷ୍ନୋୖରେ ନିଜର ସ୍ଥିତିରେ ଉନ୍ନତି ଆଣି ଦ୍ବିତୀୟ ସ୍ଥାନରେ ରହିଲେ। ତେବେ ମଥୁରା ଆସନରୁ ତାଙ୍କ ଅମାନତ ଉଡ଼ିଯାଇଥିଲା।

ବାଜପେୟୀ ପୁଣି ୩୪ ବର୍ଷ ପରେ ଏକାଧିକ ଆସନରୁ ଲଢ଼ିବା ପ୍ରକ୍ରିୟାକୁ ଦୋହରାଇଥିଲେ। ୧୯୯୧ ନିର୍ବାଚନରେ ସେ ଉତ୍ତରପ୍ରଦେଶର ଲକ୍ଷ୍ନୋୖ ଓ ମଧ୍ୟପ୍ରଦେଶର ବିଦିଶାରୁ ଲଢ଼ି ଉଭୟ ଆସନରୁ ବିଜୟୀ ହୋଇଥିଲେ। ତେବେ ନିଜ ହାତରେ ଲକ୍ଷ୍ନୋୖ ଆସନ ରଖିଥିଲେ।

ଏହି କ୍ରମରେ ୧୯୯୧ରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଓ ଗାନ୍ଧୀନଗର ଆସନରୁ ଲଢ଼ି ଉଭୟ ଆସନରେ ଜିତିଥିବା ବେଳେ ୨୦୧୪ରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବ ଉତ୍ତରପ୍ରଦେଶର ଆଜମଗଡ଼ ଓ ମୈନପୁରୀ ଆସନରୁ ଲଢ଼ିଥିଲେ। ସେହିପରି ୨୦୦୯ରେ ଆର୍‌ଜେଡି ନେତା ଲାଲୁପ୍ରସାଦ ସାରଣ ଓ ପାଟଳୀପୁତ୍ର ଆସନରୁ ଲଢ଼ିଥିଲେ।
ରାଜ୍ୟ ବିଧାନସଭା ନିର୍ବାଚନରେ ଓଡ଼ିଶାର ବିଜୁ ପଟ୍ଟନାୟକ ଓ ଜେବି ପଟ୍ଟନାୟକ, ଆନ୍ଧ୍ରର ଏନ୍‌ଟି ରାମାରାଓ ଓ ହରିଆନାର ଦେବୀଲାଲଙ୍କ ଭଳି ନେତାମାନେ ଏକସଂଗେ ଦୁଇରୁ ଅଧିକ ଆସନରେ ଲଢ଼ିବା ଅଭିଜ୍ଞତା ହାସଲ କରିଥିଲେ। ୧୯୮୫ରେ ଏନ୍‌ଟିଆର ଲଢ଼ିଥିବା ତିନୋଟି ଯାକ ଆସନରୁ ଜିତି ହିନ୍ଦୁପୁର ଆସନ ରଖିଥିବା ବେଳେ ହରିଆନାରେ ଦେବୀଲାଲ ଏକସଂଗେ ତିନୋଟି ଲୋକସଭା ଓ ଗୋଟିଏ ବିଧାନସଭା ଆସନରୁ ଲଢ଼ି ସବୁଥିରେ ପରାଜିତ ହୋଇଥିଲେ। ବିଜୁବାବୁ ୧୯୯୬ ଲୋକସଭା ନିର୍ବାଚନରେ ଆସ୍କା ଓ କଟକରୁ ନିର୍ବାଚିତ ହୋଇଥିଲେ। ଆସ୍କା ଆସନ ରଖି କଟକ ଛାଡ଼ିଦେଇଥିଲେ। ତେବେ ଏହାର ୨୫ ବର୍ଷ ପୂର୍ବରୁ ୧୯୭୧ରେ ତାଙ୍କୁ ଏକସଂଗେ ଗୋଟିଏ ଲୋକସଭା ଆସନ ସମେତ ମୋଟ ୫ଟି ଆସନରୁ ହାରିବାକୁ ପଡ଼ିଥିଲା।

୧୯୮୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ଉଭୟ ଆଠଗଡ଼ ଓ ଖୋର୍ଦ୍ଧାରୁ ଜିତି ଆଠଗଡ଼ ଆସନ ରଖିଥିଲେ। ସୂଚନାଯୋଗ୍ୟ, ଖୋର୍ଦ୍ଧା ଉପନିର୍ବାଚନରେ ତାଙ୍କ ମନୋନୀତ କଂଗ୍ରେସ ପ୍ରାର୍ଥୀ ଡ.ବୈଦ୍ୟନାଥ ମିଶ୍ରଙ୍କୁ ମିଳିତ ବିରୋଧୀ ଦଳର ସମର୍ଥନରେ ପ୍ରସନ୍ନ ପାଟ୍ଟଶାଣୀ ହରାଇଥିଲେ।

୧୯୭୧ରେ କଂଗ୍ରେସ ପ୍ରାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ଉଭୟ ବାଲେଶ୍ବର ଓ ରାଉରକେଲା ଆସନରୁ ଜିତି ରାଉରକେଲା ଆସନ ଛାଡ଼ିଦେଇଥିଲେ। ପରେ ଉକ୍ତ ଆସନରୁ ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ଜିତିଥିଲେ। ସେହିବର୍ଷ ଭାଗିରଥୀ ଗମାଙ୍ଗ କୋରାପୁଟ ଲୋକସଭା ଆସନ ଓ ଗୁଣୁପୁରରୁ ବିଜୟୀ ହୋଇ କୋରାପୁଟ ଲୋକସଭା ଆସନ ଛାଡ଼ିଦେବାରୁ ଉପନିର୍ବାଚନ ହୋଇଥିଲା। ଫଳରେ ସେଠାରୁ ଗିରିଧର ଗମାଙ୍ଗ ଲଗାତର ଜିତିବାର ସୁଯୋଗ ସୃଷ୍ଟି ହୋଇଥିଲା। ତେବେ ଡା.ଦାମ ରାଉତ ଓ ଭକ୍ତ ଦାସଙ୍କ ପାଇଁ ଏହି ପ୍ରକ୍ରିୟା ଶୁଭଙ୍କର ହୋଇନଥିଲା। ୧୯୯୫ରେ ଡା.ରାଉତ ଉଭୟ ତିର୍ତ୍ତୋଲ ଓ ଏରସମାରୁ ଲଢ଼ି ହାରିଥିବା ବେଳେ ସେହିବର୍ଷ ଭକ୍ତଚରଣ ଦାସ ଏକସଂଗେ ନିଜ ଜିଲ୍ଲା କଳାହାଣ୍ଡିର ଦୁଇଟି ବିଧାନସଭା ଆସନ ଧର୍ମଗଡ଼ ଓ କେସିଙ୍ଗାରୁ ଲଢ଼ି ଉଭୟ ଆସନରୁ ଅଳ୍ପକେ ହାରିଥିଲେ।

ସମ୍ବନ୍ଧିତ ଖବର