ଗଣତନ୍ତ୍ରକୁ ବଞ୍ଚାଇବାରେ ଓଡ଼ିଶାର ଅବଦାନ ଅତୁଳନୀୟ: ସ୍ମୃତି ଇରାନୀ

ଜରୁରୀ ପରିସ୍ଥିତିକୁ ‘କଳା ଦିବସ’ ଭାବେ ପାଳିଲା ବିଜେପି

ଭୁବନେଶ୍ୱର: ୪୩ ବର୍ଷ ତଳେ ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ଆଜି ‘କଳା ଦିବସ’ ଭାବେ ପାଳନ କରିଛି ବିଜେପି। ସାରା ଦେଶରେ ବିଜେପି ପକ୍ଷରୁ ଏହି ଦିବସ ପାଳନ କରାଯାଉଥିଲା ବେଳେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ବୁଦ୍ଧିଜୀବୀ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀରେ ସେ କଂଗ୍ରେସ ଉପରେ ଭୀଷଣ ବର୍ଷିବା ସହ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ କଂଗ୍ରେସ ଜଳାଞ୍ଜଳି ଦେଇଥିଲା ବୋଲି କହଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଓଡ଼ିଶାର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିବା ସହ ଏଠାକାର ୯୦୦ରୁ ଅଧିକ ସତ୍ୟାଗ୍ରହୀ ଓ ମିସା ଆଇନ୍‌ ବଳରେ ଗିରଫ ହୋଇଥିବା ୩୦୦ରୁ ଅଧିକ ସତ୍ୟାଗ୍ରହୀଙ୍କୁ ଶ୍ରଦ୍ଧାପୂର୍ବକ ସମ୍ମାନ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଲେ, ୪୩ ବର୍ଷ ପୂର୍ବେ ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ପଦବି ଲାଭ ଆଶାରେ ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମର ସ୍ୱତନ୍ତ୍ରତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୌଳିକ ଅଧିକାରକୁ ହତ୍ୟା କରିବାର ପ୍ରୟାସ କରିଥିଲା। ଲୋକତନ୍ତ୍ରର ସୁରକ୍ଷା ପାଇଁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୋଧରେ ଯେଉଁମାନେ ସ୍ୱର ଉଠାଇଥିଲେ, ସେମାନଙ୍କ ବିରୋଧରେ ୨ ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଗଲା। ଓଡ଼ିଶାରେ ମଧ୍ୟ ଅନେକ ନେତା ଓ ସମାଜସେବୀଙ୍କୁ ମିସା ଆଇନ୍‌ ବଳରେ ଗିରଫ କରାଯାଇ ଜବରଦସ୍ତ ଜେଲ୍‌କୁ ପଠାଇ ଦିଆଯାଇଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ଅଗଣିତ ନାଗରିକ ଗଣତନ୍ତ୍ରର ସବୁଠୁ ବଡ଼ ଲଢ଼େଇରେ ଯୋଗ ଦେଇଥିଲେ। ତେଣୁ ସେହି ମହାନ୍‌ ବ୍ୟକ୍ତିମାନଙ୍କୁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଧନ୍ୟବାଦ ଦେବା ସହ ସେମାନଙ୍କ ବଳିଦାନକୁ ସମ୍ମାନ ଦେଉଛୁ।

ଓଡ଼ିଶା ସରକାର ‘ଆୟୁଷ୍ମାନ’ ଯୋଜନାକୁ ଲାଗୁ କରୁ ନ ଥିବା ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଇରାନୀ କହିଥିଲେ, ପ୍ରଧାନମନ୍ତ୍ରୀ ସବୁବେଳେ ସହଯୋଗ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ଓଡ଼ିଶା ସରକାର କେନ୍ଦ୍ରର ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଲାଗୁ ନ କରିବା ଦୁର୍ଭାଗ୍ୟଜନକ। ଲୋକଙ୍କ ସ୍ୱାସ୍ଥ୍ୟ ସେବାକୁ ଆଖି ଆଗରେ ଓଡ଼ିଶା ସରକାର ଏହି ନିଷ୍ପତ୍ତିକୁ ବଦଳାନ୍ତୁ ବୋଲି ସେ କହିଥିଲେ।

ଓଡ଼ିଶାରେ ମିସା ବନ୍ଦୀମାନଙ୍କ ପେନ୍‌ସନ୍‌ ମିଳିବା ପାଇଁ ହେଉଥିବା ଦାବି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏ ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ମିସା ବନ୍ଦୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରନ୍ତୁ। ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଓ ସୁଦୀପ୍ତ ରାୟ, ରାଜ୍ୟ ସମ୍ପାଦିକା ସିମନ୍ତିନୀ ଜେନା ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପୂର୍ବାହ୍ନରେ ଶ୍ରୀମତୀ ଇରାନୀ ହୋଟେଲ୍‌ ମାରିଅନ୍‌ରେ ବିଜେପି ପକ୍ଷରୁ ଆୟୋଜିତ ଏକ ଜନଜାଗରଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ଜରୁରୀ ପରିସ୍ଥିତି ଉପରେ ଆଲୋଚନା କରି କଂଗ୍ରେସ ଉପରେ ବର୍ଷିଥିଲେ। ବିଜେପି ବୁଦ୍ଧିଜୀବୀ ଫୋରମ୍‌ର ଆବାହକ ସୁଦର୍ଶନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବୁଦ୍ଧିଜୀବୀ ସମ୍ମିଳନୀରେ କଂଗ୍ରେସ ଉପରେ ବର୍ଷିଲେ

‘ସମର୍ଥନ ପାଇଁ ସମ୍ପର୍କ’ କାର୍ଯ୍ୟକ୍ରମରେ ଗଜପତିଙ୍କୁ ଭେଟିଲେ
ବିଜେପି ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ‘ସମର୍ଥନ ପାଇଁ ସମ୍ପର୍କ’ କାର୍ଯ୍ୟକ୍ରମରେ ଶ୍ରୀମତୀ ଇରାନୀ ସାମିଲ୍‌ ହୋଇଥିଲେ। ଅପରାହ୍ନରେ ପୁରୀ ଗଜପତି ଦିବ୍ୟସିଂହ ଦେବ ଓ ବିଶିଷ୍ଟ ବାନ୍ଧକଳା ଶିଳ୍ପୀ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ବାସଭବନକୁ ଯାଇ ସେମାନଙ୍କୁ ଭେଟିଥିଲେ। ମୋଦି ସରକାରଙ୍କ ଗତ ୪ ବର୍ଷର ସଫଳତା ସମ୍ବଳିତ ପୁସ୍ତକ ପ୍ରଦାନ କରିବା ସହ ସେ ସମ୍ପର୍କରେ ଶ୍ରୀମତୀ ଇରାନୀ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର