ବିଜେପିର ଗୁରୁତର ଅଭିଯୋଗ : ସରକାରୀ ସହଯୋଗ ମିଳୁନି, କେନ୍ଦ୍ରୀୟ ଯୋଜନା ପହଞ୍ଚୁନି

ଭୁବନେଶ୍ୱର : ଏପ୍ରିଲ୍‌ ୧୪ ତାରିଖରୁ ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାମ ସ୍ୱରାଜ ଅଭିଯାନ ଗତ ୫ ତାରିଖରେ ସରିଛି। ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୭ଟି ପ୍ରମୁଖ ଯୋଜନା ସଂପର୍କରେ ଗରିବ, ଦଳିତଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଅସହଯୋଗ ଫଳରେ ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ପହଞ୍ଚିପାରୁନି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଗୁରୁତର ଅଭିଯୋଗ ବାଢ଼ିଛନ୍ତି। ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସାଧାରଣ ସଂପାଦକ(ସଂଗଠନ) ମାନସ କୁମାର ମହାନ୍ତି, ବିଭିନ୍ନ ଜିଲ୍ଲା ସଭାପତି, ପ୍ରଭାରୀମାନେ ଯୋଗ ଦେଇଥିଲେ। ଏ ନେଇ ଶ୍ରୀ ବକ୍ସିପାତ୍ର କହିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିପରି ସମସ୍ତ ଗ୍ରାମରେ ପହଞ୍ଚିବ ସେହି ଆଭିମୁଖ୍ୟ ରଖି ବିଜେପି ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନ ରାଜ୍ୟର ୪୦୦ଟି ଗ୍ରାମରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ପଞ୍ଚାୟତ, ଘରେ ଘରେ ଗ୍ୟାସ ବଣ୍ଟନ, ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଗ୍ରାମଶକ୍ତି ଅଭିଯାନ, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟବୀମା, କୃଷକ କଲ୍ୟାଣ ଯୋଜନା, ଦକ୍ଷତା ବିକାଶ, ନିଯୁକ୍ତି ଓ ପରାମର୍ଶ ମେଳା ଆଦି ଆୟୋଜନ କରାଯାଇଥିଲା। ଏ ସମସ୍ତ ଯୋଜନା କେତେ ମାତ୍ରାରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ସେ ନେଇ ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।

ସମ୍ବନ୍ଧିତ ଖବର