ନୂଆଦିଲ୍ଲୀ: ଶନିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ନେହେରୁ-ଗାନ୍ଧୀ ପରିବାର ବାହାରୁ କଂଗ୍ରେସର ଅଧ୍ୟକ୍ଷମାନଙ୍କ ନାମ ତାଲିକା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ଛତିଶଗଡ଼ରେ ଏକ ନିର୍ବାଚନ ପଟୁଆରରେ ମୋଦି କଂଗ୍ରେସ ଲୋକଙ୍କୁ କହିଥିଲେ କି, ଆଗାମୀ ୫ ବର୍ଷ ସକାଶ ନେହେରୁ-ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ଅଧ୍ୟକ୍ଷ କରନ୍ତୁ।
କେତେଗୁଡ଼ିଏ ଟୁଇଟ୍ରେ ଚିଦାମ୍ବରମ୍ ନାମ ତାଲିକା ଦେଇଛନ୍ତି। ସ୍ୱାଧୀନତା ପରବର୍ତ୍ତୀ କାଳରେ ବାବା ସାହେବ ଅମ୍ବେଦକର, ଲାଲ୍ ବାହାଦୂର ଶାସ୍ତ୍ରୀ, କେ କାମରାଜ ଏବଂ ମନମୋହନ ସିଂହଙ୍କ ଓ ଅନ୍ୟମାନଙ୍କ ଭଳି ସାଧାରଣ ପୃଷ୍ଠଭୂମି ଥିବା ନେତା ଏବଂ ପ୍ରାକ୍-ସ୍ୱାଧୀନତା କାଳରେ ହଜାର ହଜାର ବ୍ୟକ୍ତି କଂଗ୍ରେସକୁ ଗୌରବାନ୍ଵିତ କରିଥିବା କଥା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ମୃତିକୁ ଜାଗ୍ରତ କରାଇ ସେ କହିଛନ୍ତି: ୧୯୪୭ ଠାରୁ କଂଗ୍ରେସର ଅଧ୍ୟକ୍ଷମାନେ ଥିଲେ ଆଚାର୍ଯ୍ୟ କୃପାଳିନୀ, ପଟ୍ଟଭି ସୀତାରାମୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ ଏନ୍ ଧେବର, ସଞ୍ଜୀବ ରେଡ୍ଡୀ, ସଞ୍ଜୀବୟା, କାମରାଜ, ନିଜଲିଙ୍ଗପ୍ପା, ସି ସୁବ୍ରମଣିୟାନ୍, ଜଗଜୀବନ ରାମ୍, ଶଙ୍କର ଦୟାଲ ଶର୍ମା, ଡି କେ ବରୁଆ, ବ୍ରହ୍ମାନନ୍ଦ ରେଡ୍ଡୀ, ପିଭି ନରସିଂହ ରାଓ ଏବଂ ସୀତାରାମ କେଶରୀ।
ମୋଦିଙ୍କୁ ସମାଲୋଚନା କରି ଚିଦାମ୍ବରମ୍ କହିଛନ୍ତି ଯେ କିଏ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚିତ ହେଲେ, ସେ ବିଷୟରେ ପ୍ରଧାନମନ୍ତ୍ରୀ ଚିନ୍ତିତ ଏବଂ ସେ ବିଷୟରେ କହିବାକୁ ବହୁ ସମୟ ଦେଉଥିବାରୁ ସେ କୃତଜ୍ଞ।
ସେଥିରୁ ଅଧେ ସମୟ ଦେଇ ସେ ବିମୁଦ୍ରାୟନ, ଜିଏସ୍ଟି, ରାଫେଲ୍, ସିବିଆଇ ଏବଂ ଆର୍ବିଆଇ ବିଷୟରେ କହିବେ କି?
ଚାଷୀ ଆତ୍ମହତ୍ୟା, ବେକାରୀ ପ୍ରାବଲ୍ୟ, ଭିଡ଼ହତ୍ୟା, ମହିଳାଙ୍କ ଓ ପିଲାଙ୍କ ପ୍ରତି ଦୁଷ୍କର୍ମ ଅପରାଧ, ଆଣ୍ଟି-ରୋମିଓ ସ୍କ୍ଵାଡ୍, ଗୋ ରକ୍ଷକ ଜାଗ୍ରତ ପ୍ରହରୀ ଏବଂ ବଢ଼ି ଚାଲିଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଧାନମନ୍ତ୍ରୀ କହିବେ କି?