ମେଘାଳୟରେ ସାଙ୍ଗମା, ନାଗାଲାଣ୍ଡରେ ରିଓ ହେବେ ମୁଖ୍ୟମନ୍ତ୍ରୀ

ମେଘାଳୟ ବି କଂଗ୍ରେସ ହାତରୁ ଖସିଲା
ବିଜେପି-ଏନ୍‌ପିପି ମେଣ୍ଟକୁ ୟୁଡିପିର ସମର୍ଥନ
୬ ତାରିଖ ସକାଳେ ସାଙ୍ଗମାଙ୍କ ଶପଥ ଗ୍ରହଣ
ନାଗାଲାଣ୍ଡରେ ବିଜେପି-ଏନ୍‌ଡିପିପି ମେଣ୍ଟ

ସିଲଂ : ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଝୁଲା ବିଧାନସଭାରେ ଆବଶ୍ୟକ କୁହୁକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି ସର୍ବାଧିକ ଆସନଧାରୀ କଂଗ୍ରେସ। ଅପରପକ୍ଷରେ ବିଜେପି-ଏନ୍‌ପିପି-ୟୁଡିପି ମେଣ୍ଟ ଆଜି ସଂଧ୍ୟାରେ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ୩୧ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିବା ପରେ ରାଜ୍ୟପାଳ ସେମାନଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଏନ୍‌ପିପି ନେତା କୋନରାଡ୍‌ ସାଙ୍ଗମା ସେଠାରେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଆସନ୍ତା ୬ ତାରିଖ ସକାଳ ସାଢ଼େ ୧୦ଟା ବେଳେ ସେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। କଂଗ୍ରେସ ଗତବର୍ଷ ଗୋଆରେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା, ଏଠାରେ ମଧ୍ୟ ଅନୁରୂପ ପରିସ୍ଥିତିର ଶିକାର ହୋଇଛି।

ସୂଚନାଯୋଗ୍ୟ ଗତବର୍ଷ ଗୋଆ ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲେ ବି କଂଗ୍ରେସ ସରକାର ଗଢ଼ିପାରିନଥିଲା। ଏବେ ମେଘାଳୟରେ ବି ଦଳକୁ ଅନୁରୂପ ପରିଣାମ ଭୋଗିବାକୁ ପଡ଼ିଛି। ମୋଟ ୫୯ଟି ଆସନରୁ ସର୍ବାଧିକ ୨୧ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ କଂଗ୍ରେସ ମ୍ୟାଜିକ୍‌ ସଂଖ୍ୟା ପାଇଁ ଆଉ ୧୦ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହୋଇଛି। ବିଜେପିର ଶାଣିତ ରଣନୀତି କଂଗ୍ରେସ ହାତରୁ ଆଉ ଏକ ରାଜ୍ୟ ଖସାଇଦେଇଛି।

ପୂର୍ବରୁ ଆଜି ଅପରାହ୍‌ଣରେ କଂଗ୍ରେସର ବରିଷ୍ଠ କେନ୍ଦ୍ରୀୟ ନେତା ଅହମ୍ମଦ ପଟେଲ ମେଘାଳୟ ରାଜ୍ୟପାଳ ଗଙ୍ଗାପ୍ରସାଦଙ୍କୁ ଭେଟି ସରକାର ଗଢ଼ିିବାକୁ ଅନୁରୋଧ କରିଥିଲେ। ମାତ୍ର ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରି ପାରି ନଥିଲେ। ସେପଟେ ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିବା ବିଜେପି ଏନ୍‌ପିିପି ଓ ଅନ୍ୟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରି ମଉକା ମାରିନେଇଛି। ପୂର୍ବରୁ ୧୯ଟି ଆସନ ଦଖଲ କରିଥିବା ଏନ୍‌ପିପି ସହ ବିଜେପିର ମେଣ୍ଟ ଥିବା ବେଳେ ଆଜି ୬ଟି ଆସନ ଜିତିଥିବା ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ପାର୍ଟି(ୟୁଡିପି) ସମର୍ଥନ ଜଣାଇଥିଲା। ଆଜି ସନ୍ଧ୍ୟାରେ ଏନ୍‌ପିପି ଓ ବିଜେପି ସମର୍ଥିତ ସମସ୍ତ ଦଳ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ। ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବାରୁ ରାଜ୍ୟପାଳ କଂଗ୍ରେସ ବଦଳରେ ଏନ୍‌ପିପି ମେଣ୍ଟକୁ ସରକାର ଗଢ଼ିିବା ପାଇଁ ସୁଯୋଗ ଦେଇଛନ୍ତି।

ସେହିପରି ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ ପାର୍ଟି(ଏନ୍‌ଡିପିପି) ଏବଂ ବିଜେପି ମେଣ୍ଟ ସରକାର ଗଢ଼ିବା ନିଶ୍ଚିତ ହୋଇଛି। ଏନ୍‌ଡିପିପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଓ ବିଜେପି ନେତା ରାମ ମାଧବ ଆଜି ରାଜ୍ୟପାଳ ପି.ବି.ଆଚାର୍ଯ୍ୟଙ୍କୁ ଭେଟି ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବା ଦାବି କରବା ସହ ସରକାର ଗଢ଼ିବାକୁ ଅନୁରୋଧ କରିଛନ୍ତି। ବିଜେପି-ଏନ୍‌ଡିପିପି ମେଣ୍ଟ ପାଖରେ ଆବଶ୍ୟକ ବହୁମତ ଥିବା ଅନୁଭବ କରି ରାଜ୍ୟପାଳ ସେମାନଙ୍କୁ ସରକାର ଗଢ଼ିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ତିନି ତିନି ଥର ମୁଖ୍ୟମନ୍ତ୍ରୀ ଥିବା ନେଫ୍ୟୁ ରିଓ ପୁଣି ଥରେ ମେଣ୍ଟର ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ସ୍ପଷ୍ଟ ହୋଇଛିି।

ନାଗାଲ୍ୟାଣ୍ଡରେ ନେଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ଏନ୍‌ଡିପିିପି ୧୭ଟି ଆସନ ଦଖଲ କରିଛି। ଗତ ନିର୍ବାଚନରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପିକୁ ଏଥର ୧୨ଟି ଆସନ ମିଳିଛି। ତେବେ ବିଜେପି-ଏନ୍‌ଡିପିପି ମେଣ୍ଟରେ ୨ଟି ଆସନ ଜିତିଥିବା ଏନ୍‌ପିପି ଏବଂ ଜେଡିୟୁର ଗୋଟିଏ ଆସନ ମିଶିଯିବା ପରେ ନେଫ୍ୟୁ ରିଓଙ୍କ ନେତୃତ୍ୱାଧୀନ ମେଣ୍ଟ ୩୨ଜଣ ବିଧାୟକଙ୍କ ସମର୍ଥନ ସହ ସରକାର ଗଢ଼ିବାକୁ ଦାବି କରିଛି। ସେପଟେ ଏନ୍‌ପିଏଫ୍‌ ମେଣ୍ଟରୁ ଏନ୍‌ପିପି ଖସିଯିବା ପରେ ମୁଖ୍ୟମନ୍ତ୍ରୀ ଜେଲିଆଙ୍ଗ୍‌ଙ୍କ ନେତୃତ୍ୱାଧୀନ ମେଣ୍ଟରେ ୨୭ ଜଣଙ୍କ ସମର୍ଥନ ରହିଛି।

ସମ୍ବନ୍ଧିତ ଖବର