ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ମାମଲା: ବିଜେପି-ବିଜେଡି ତୁ ତୁ ମେଁ ମେଁ ଜାରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଓ ଖର୍ଚ୍ଚ ସଂପର୍କିତ ତଥ୍ୟ ପ୍ରସଙ୍ଗକୁ ନେଇ ଆଜି ପୁଣି ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେପି ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ସ୍ୱାଗତ କରିଛି। ପ୍ରଶ୍ନ କରିଛି, ନିର୍ବାଚନ ଆୟୋଗଙ୍କ ପାଖରେ ସତ୍ୟ ତଥ୍ୟ ଉପସ୍ଥାପନ କରିବାକୁ ହିଂଜିଳିର ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ କାହିଁକି ଭୟ କରୁଛନ୍ତି? ସେପଟେ ବିେ଼ଜଡି କହିଛି, ମହକିଲଙ୍କୁ ଖୁସି କରିବା ଲାଗି ବିଜେପିର ନୂଆ ମୁଖପାତ୍ର ଅବାନ୍ତର କଥା କହୁଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପାଣ୍ଠି ଏବଂ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ସଂପର୍କରେ ବିଜେପି ଆୟୋଗଙ୍କ ନିକଟରେ କରିଥିବା ଅଭିଯୋଗ ସଠିକ୍‌ ଓ ଏହାକୁ ଭଲ ଭାବେ ଉପଲବ୍ଧ କରି ଉଚ୍ଚ ନ୍ୟାୟାଳୟ ଗତକାଲି ନିର୍ବାଚନ ଆୟୋଗଙ୍କୁ ଯଥାଶୀଘ୍ର ଶୁଣାଣି କରି ଫଇସଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ହିଂଜିଳିର ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ନିର୍ବାଚନ ଆୟୋଗଙ୍କୁ ହସ୍ତକ୍ଷେପ କରିବା ପାଇଁ ଗତ ଜୁଲାଇ ୨୫ ତାରିଖରେ ନିବେଦନ କରି ଶୁଣାଣି କରିବାକୁ ଦାବି ଜଣାଇଥିଲେ । ଅଭିଯୋଗରେ ଦର୍ଶାଯାଇଥିଲା ଯେ, ଜିଲ୍ଲାପାଳ ହେଲେ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଓ ରିଟର୍ଣ୍ଣିଂ ଅଫିସର। ମାତ୍ର ସରକାରୀ କଳକୁ ଅପବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଟ ଭାବେ ଜିଲ୍ଲାପାଳ ମହୋଦୟ କାର୍ଯ୍ୟ କରି ତାଙ୍କୁ ସୁରକ୍ଷା ଯୋଗାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପକ୍ଷ ଉପସ୍ଥାପନ କରିଥିବା ଜିଲ୍ଲାପାଳଙ୍କ କାର୍ଯ୍ୟକଳାପର ନିରପେକ୍ଷତା ସଂପୂର୍ଣ୍ଣ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଜରିଆରେ ପ୍ରସଙ୍ଗକୁ ବିଭ୍ରାନ୍ତ କରାଯାଇ ସତ୍ୟକୁ ଲୁଚାଇବା ପାଇଁ ଅଭିଯୋଗକୁ ଦିଗହରା କରାଯିବାର ଅପଚେଷ୍ଟା କରାଯାଇଛି। ନିର୍ବାଚନ ଆୟୋଗ ଏହି ମାମଲାର ଶୁଣାଣି ପାଇଁ ପ୍ରସ୍ତୁତ। ଏଣୁ ନ୍ୟାୟାଳୟଙ୍କ ଏଥିରେ କୌଣସି ଭୂମିକା ନଥିବା କାରଣରୁ ଗତକାଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶାସକ ବିଜେଡି ତରଫରୁ ଦାୟର ମାମଲାକୁ ଅଗ୍ରାହ୍ୟ କରି ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏବଂ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଏକ ପ୍ରେସ ବିବୃତି ଜାରି କରି ବିଜେଡିର ଏହାର ପ୍ରତିଜବାବ ଦେଇଛି। ଦଳ କହିଛି, ବିଜେପିର ନୂଆ ଓକିଲ ପୀତାମ୍ବର ଆଚାର୍ଯ୍ୟ ତାଙ୍କ ମହକିଲଙ୍କ ମନ ଖୁସି କରିବା ପାଇଁ ଅବାନ୍ତର କଥା କହୁଛନ୍ତି। କୋର୍ଟ ନିର୍ବାଚନ ଆୟୋଗଙ୍କୁ ମୁ୍‌ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମାମଲା ସଂପର୍କିତ ଅଭିଯୋଗକୁ ବିଚାର କରିବା ପାଇଁ କହିଛନ୍ତି। ଏଥିରେ କୌଣସି ଅସଂଗତି ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କର ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି, ଯାହାକୁ ଆୟୋଗ କୋର୍ଟଙ୍କ ନିର୍ଦ୍ଦେଶମତେ ତର୍ଜମା କରିବେ। ଏହାକୁ ନେଇ ତୁମ୍ବିତୋଫାନ କରିବା କୌଣସି ମୂଲ୍ୟ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ଅଭିଯୋଗ ମାମଲା ନିର୍ବାଚନର ବର୍ଷକ ପରେ ଆଣିବାର କିଛି ମାନେ ନାହିଁ। ଏକଥା ଆୟୋଗ ହାଇକୋର୍ଟରେ ଏହା କହିଛନ୍ତି। ଆଇନ୍‌ ତା’ରାସ୍ତାରେ ଯିବ ଏବଂ ନିର୍ବାଚନ ଆୟୋଗର ତଥ୍ୟ ଓ ସତ୍ୟର ତର୍ଜମା କରି ଉପଯୁକ୍ତ ନିଷ୍ପତ୍ତି ନେବେ। ବିଜେପି ସେଥିରେ ମୁଣ୍ଡ ଖେଳାଇବା ଦରକାର ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର