ଭୁବନେଶ୍ୱର: ସାରା ଦେଶରେ ବିଜେପି ହାରୁଛି। ମିଛ ଓ ଗୁଣ୍ଡାଗର୍ଦ୍ଦିରେ ବଢୁଛି ବିଜେପି। ଏ ଭଳିଆଚରଣ ପାଇଁ ଲୋକେ ବିଜେପିକୁ ଜବାବ ଦେବେ ବୋଲି ନିଆଳି ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସୋମବାର ଦିନ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ଉପସ୍ଥିତ ଜନସାଧରଣଙ୍କୁ ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ଆରମ୍ଭ କରିଥିଲେ। ସେ ଆସିଛନ୍ତି ବୋଲି ସମବେତ ଜନତା ଖୁସି କି, ନାହିଁ ବୋଲି ପଚାରିବା ସହ ଆସିଥିବାରୁ ସେ ନିଜେ ଖୁସ ବୋଲି କହିଥିଲେ। ତାଙ୍କ କଥା ଶୁଣିବାକୁ ଖରା ସତ୍ତ୍ୱେ ଆସିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।
ସେ କହିଲେ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ପୁଣି ଦିଆଯିବ।
କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଲେ, ଫାଇଲିନ୍, ତିତିଲି, ହୁଡୁହୁଡ୍ ଆଦି ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥିଲା। ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।
ପରିବର୍ତ୍ତନ ସଂକ୍ରାନ୍ତରେ କେତେକ କଥା ଉଲ୍ଲେଖ କରି ସେ କହିଲେ ଓଡ଼ିଶା ପୂର୍ବରୁ ଏକ ଗରିବ ରାଜ୍ୟ ଥିଲା ଏବେ ଅନ୍ୟ ରାଜ୍ୟକୁ ଚାଉଳ ଯୋଗାଉଛି। ବିଜୁ ସ୍ୱାସ୍ଥ୍ୟ ଯୋଜନା, କାଳିଆ ଯୋଜନା ଆଦି କ’ଣ ପରିବର୍ତ୍ତନ ନୁହେଁ?
ସାଢ଼େ ଚାରିକୋଟି ଓଡ଼ିଆ ମୋର ପରିବାର କହି ସେ ଆଶୀର୍ବାଦ ଲୋଡ଼ିଛନ୍ତି। ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲିକ ଓ ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି।