ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ୍ଵାର୍କିଂ କମିଟିକୁ ଭାଙ୍ଗିଦେଲା କଂଗ୍ରେସ

ନୂଆଦିଲ୍ଲୀ : ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ନିଜର ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଜିଲ୍ଲା ସ୍ତରୀୟ ଓ୍ୱାର୍କିଂ କମିଟିକୁ ଭାଙ୍ଗିଦେଇଛି । ଭାଙ୍ଗିଦିଆଯାଇଥିବା ଉତ୍ତରପ୍ରଦେଶର କଂଗ୍ରେସ ଓ୍ଵାର୍କିଂ କମିଟିର ମୁଖ୍ୟ ପ୍ରିୟଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଥିଲେ । ସେହିପରି ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିବାରୁ ତାହାର ତଦନ୍ତ ପାଇଁ ଦଳ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରିଛି । ଉତ୍ତରପ୍ରଦେଶରେ ଆଗାମୀ ଦିନରେ ୧୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ତାହାର ପ୍ରସ୍ତୁତି ପାଇଁ କଂଗ୍ରେସ ଏକ ଦୁଇ ଜଣିଆ କମିଟି ଗଠନ କରାଯାଇଛି ବୋଲି କଂଗ୍ରେସର ସାଂଗଠନିକ ମହାସଚିବ କେସି ଭେନୁଗୋପାଳ କହିଛନ୍ତି ।
ଅନ୍ୟପକ୍ଷରେ ରାହୁଲ ଗାନ୍ଧି ନିଜ ଇସ୍ତଫାକୁ ନେଇ ଅଟଳ ଥିବାରୁ ସେ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ସପ୍ତାହରେ କଂଗ୍ରେସ ଓ୍ଵାର୍କିଂ କମିଟିର ବୈଠକ ବସିବ । ଏହି ବୈଠକରେ ସଭାପତି ପଦରେ ବଜାୟ ରହିବାକୁ ରାହୁଲଙ୍କୁ ପୁଣି ଅନୁରୋଧ କରାଯିବ ।

ସମ୍ବନ୍ଧିତ ଖବର