ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର! ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରସଙ୍ଗରେ କଂଗ୍ରେସ ଭୂତ ଭୋଟର ଅଭିଯୋଗ ଆଣିଛି। କଂଗ୍ରେସ ମଧ୍ୟପ୍ରଦେଶର ଭୋଟର ତାଲିକାରେ ତ୍ରୁଟି ଥିବା ଅଭିଯୋଗ ଆଣିଛି। ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର ଥିବା ଦାବି କରିଛି କଂଗ୍ରେସ।

କଂଗ୍ରେସ ଏହି ପ୍ରସଙ୍ଗରେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛି। ପାର୍ଟି ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଉପସ୍ଥାପନା କରିଛି। ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ଲୋକସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୂତ ଭୋଟର ପ୍ରସଙ୍ଗରେ ଅଭିଯୋଗ ଆଣିଛନ୍ତି। କମଲନାଥ କହିଛନ୍ତି, ଆମେ ୧୦୦ ବିଧାନସଭା ମଣ୍ଡଳୀରେ ଛାନଭିନ କରିଛୁ, ଯେଉଁଠାରେ କି ୬୦ ଲକ୍ଷ ଭୂତ ଭୋଟର ଥିବା ସୂଚନା ମିଳିଛି।

କମଳନାଥ ଦାବି କରିଛନ୍ତି ଯେ, ମଧ୍ୟପ୍ରଦେଶର ଜନସଂଖ୍ୟା ୨୪ ପ୍ରତିଶତ ବଢ଼ିଥିବା ବେଳେ ଭୋଟର ସଂଖ୍ୟା ବୃଦ୍ଧି ଘଟିଛି ୪୦ ପ୍ରତିଶତ। ଏହା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି। ଜାଣିଶୁଣି ଭୂତ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶର ବହୁତ ଲୋକଙ୍କର ନାମ ମଧ୍ୟପ୍ରଦେଶରେ ଭୋଟର ତାଲିକାରେ ଅଛି। ନୂଆ ଭୋଟର ତାଲିକା ହେବାକୁ ଆମେ ଦାବି କରୁଛୁ। ପଡ଼ୋଶୀ ରାଜ୍ୟରେ ମଧ୍ୟ ଭୋଟର ତାଲିକା ଯାଞ୍ଚ ହେବା ଦରକାର। ବିଜେପି ଏ ପ୍ରସଙ୍ଗରେ କୌଣସି ଅଭିଯୋଗ କରିନାହିଁ। କାରଣ ବିଜେପି ଦ୍ୱାରା ଏହା କରାଯାଇଛି। ନିର୍ବାଚନ କମିସନ୍‌ କଂଗ୍ରେସକୁ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରତିଶ୍ରୁତି ଦେଇଛି।

ନିର୍ବାଚନ କମିସନ୍‌ଙ୍କୁ କଂଗ୍ରେସର ୫ଟି ଦାବି

୧) ଭୋଟର ତାଲିକା ପୁଣି ଥରେ ଯାଞ୍ଚ ହେଉ।
୨) ପ୍ରତ୍ୟେକ ରିଟର୍ଣ୍ଣି ଅଫିସରଙ୍କୁ ସାର୍ଟିଫିକେଟ ମଗାଯିବା ଦରକାର।
୩) ଯେଉଁମାନେ ଭୂତ ଭୋଟରରେ ସାମିଲ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ।
୪) ଆଗାମୀ ତାଲିକରେ ଯଦି ତ୍ରୁଟି ଦେଖାଯାଏ, ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
୫) ଏମିତି ଅଧିକାରୀଙ୍କୁ ୬-୧୦ ବର୍ଷ ପର୍ଯ୍ୟନ୍ତ ମତଦାନ କାର୍ଯ୍ୟରୁ ନିବୃତ୍ତ ରଖାଯିବା ଦରକାର।

ସମ୍ବନ୍ଧିତ ଖବର