କଂଗ୍ରେସ ନେତାଙ୍କୁ ଦଳୀୟ ଟିକେଟ୍‌ ନମିଳିବାରୁ ସିନ୍ଧିଆଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପିଇଲେ ବିଷ

ଗ୍ଵାଲିୟର: ମଧ୍ୟପ୍ରଦେଶ ସମତେ ୫ଟ ରାଜ୍ୟ (ଅନ୍ୟ ୪ ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନା)ରେ ଚଳିତ ମାସରୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବର୍ତ୍ତମାନ ଟିକେଟ ଭାଗବଣ୍ଟା ନେଇ ରାଜନୀତି ଜୋରଦାର ଚାଲିଛି। ପ୍ରତ୍ୟେକ ଦଳରେ ଟିକେଟ ନ ପାଇବା ଓ ଟିକେଟ ପାଇବା ନେଇ ରାଜନେତାଙ୍କ ମଧ୍ୟରେ ଅଶାନ୍ତି ଓ ଖୁସି ଦେଖାଯାଇଛି। କଂଗ୍ରେସ ଦଳରେ ଏହା ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେଉଛି। ମଧ୍ୟପ୍ରଦେଶର ଗ୍ଵାଲିୟରରେ ଶୁକ୍ରବାର ଜଣେ ଆଶାୟୀ କଂଗ୍ରେସ ପ୍ରାର୍ଥୀ ଦଳୀୟ ଟିକେଟ୍‌ ନପାଇବା ପରେ ନିରାଶ ହୋଇ ମୂଷା ମରା ଔଷଧ ସେବନ କରିଛନ୍ତି। ବିଷପାନ ପରେ କଂଗ୍ରେସ ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ଚିକିତ୍ସା ଚାଲିଛି।
କଂଗ୍ରେସ ନେତା ପ୍ରେମ କୁମାର ସିଂହ କୁଶବାହ ଗ୍ଵାଲିୟର ବିଧାନସଭା ଆସନ (ଦକ୍ଷିଣ)ରୁ ଟିକେଟ ଦାବି କରୁଥିଲେ। କଂଗ୍ରେସର ବରିଷ୍ଠ ନେତାମାନେ କୁଶବାହଙ୍କୁ ଟିକେଟ ଦେଇ ନଥିଲେ। ତାଙ୍କ ସ୍ଥାନରେ ଅନ୍ୟ ଜଣେ ନେତାଙ୍କୁ ଟିକେଟ୍‌ ଦିଆଯିବା ପରେ ସେ ନିରାଶ ହୋଇ ଯାଇଥିଲେ। ଅନ୍ୟ ଉପାୟ ନ ପାଇ ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ସିନ୍ଧିଆ ମହଲ ସମ୍ମୁଖ ଯାଇ ସେଠାରେ ଥିବା ମାଧବ ରାଓ ସିନ୍ଧିଆଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଷପାନ କରିଥିଲେ।
ପ୍ରେମ କୁମାର ସିଂହ କୁଶବାହ କଂଗ୍ରେସର ପୂର୍ବତନ ଜିଲ୍ଲା ସଂପାଦକ ଥିଲେ। ବର୍ତ୍ତମାନ ଚନ୍ଦେରୀ ବିଧାନସଭା ମୁଖପାତ୍ର ଅଛନ୍ତି। ବିଷପାନ କରିବା ଖବର ମିଳିବା ପରେ ପରିବାର ଲୋକେ ଏବଂ ସମର୍ଥକମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ନେତାମାନେ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର