ଓଡ଼ିଶା ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ନଜର ନାହିଁ; ବିଜେଡି ଓ ବିଜେପି ଆଡ଼େ ମୁହାଁଇଲେଣି ନେତା !

୨୦୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିବେ

ଭୁବନେଶ୍ୱର(ସରୋଜ ଦାଶ) : ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିଛନ୍ତି। ସେ ଲକ୍ଷାଧିକ ଭୋଟ୍‌ ପାଇଥିବା ବେଳେ ଗତ ନିର୍ବାଚନଠାରୁ ପ୍ରାୟ ୩୦ ହଜାର ଅଧିକ ଭୋଟ୍‌ ପାଇ ବିଜେପି ମଧ୍ୟ ନିଜ ଶକ୍ତିକୁ ଆକଳନ କରିବାରେ ସୁଯୋଗ ପାଇଛି। ମାତ୍ର ବିଡ଼ମ୍ବନା ହେଉଛି, ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଏହି ବିଧାନସଭା ଆସନରେ ବିଜୟୀ ହୋଇଥିିବା ବେଳେ ୨୦୧୮ ଉପ-ନିର୍ବାଚନରେ ଦଳର ପ୍ରାର୍ଥୀ ନିଜ ଅମାନତ ରାଶି ବଞ୍ଚାଇବାରେ ସକ୍ଷମ ହୋଇ ପାରି ନାହାନ୍ତି। ବିଜେପୁର ଉପନିର୍ବାଚନ ଗୋଟିଏ ବାର୍ତ୍ତା ଦେଇଛି ଯେ ତୃଣମୂଳ ସ୍ତରରେ କଂଗ୍ରେସ ଦଳର ପାଦ ତଳୁ ମାଟି ଖସି ଖସି ଯାଉଛି। ବିଜେପୁର ଉପନିର୍ବାଚନରେ ଦଳର ଏହି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଓଡ଼ିଶା ରାଜନୀତି ନେଇ କେବେ ବି ସିରିୟସ ନ ଥିବା ରାହୁଳ ଗାନ୍ଧୀ ଅନ୍ୟ ସବୁ ପ୍ରସଙ୍ଗ ପରି ଇସ୍ତଫା ପ୍ରସଙ୍ଗରେ ମଧ୍ୟ ନିରବ ରହିଛନ୍ତି। ପିସିସି ସଭାପତି ଇସ୍ତଫା ପତ୍ର ପଠାଇ ଦେବା ପରେ କଂଗ୍ରେସ କର୍ମୀମାନେ ମଧ୍ୟ ରାଜ୍ୟରେ କଂଗ୍ରେସର ସ୍ଥିତି ନେଇ ସନ୍ଦିହାନ ହୋଇ ପଡ଼ିଛନ୍ତି।

ପିସିସି ପରିବର୍ତ୍ତନ ପାଇଁ ପ୍ରାୟ ଦେଢ଼ ବର୍ଷ ହେବ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ହେଉଛି। ମାତ୍ର ସଂପ୍ରତି ପିସିସି ଶୃଙ୍ଖଳା କମିଟିର ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର କହିଛନ୍ତି ଯେ ୨୦୧୯ ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ରହିବେ। ତେଣୁ ଏହା ସ୍ପଷ୍ଟ କି କଂଗ୍ରେସ ହାଇକମାଣ୍ଡ ରାଜ୍ୟ କଂଗ୍ରେସ ନେଇ କୌଣସି ଠୋସ ପଦକ୍ଷେପ ଦେଉ ନାହାନ୍ତି। ଫଳରେ ତୃଣମୂଳସ୍ତରର କର୍ମୀମାନେ ବିକଳ୍ପ ଖୋଜିବା ଆରମ୍ଭ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟମ ବର୍ଗୀୟ କଂଗ୍ରେସ ନେତାମାନେ ନିଜ ରାଜନୈତିକ ଭବିଷ୍ୟତକୁ ଆଖି ଆଗରେ ରଖି ବର୍ତ୍ତମାନ ରାଜ୍ୟର ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଯୋଗାଯୋଗରେ ରହିଥିବା ରାଜନୈତିକ ସ୍ତରରେ ଚର୍ଚ୍ଚା ହେଉଛି। କଂଗ୍ରେସ ସବୁ ବେଳେ ଦାବି କରି ଆସିଛି ଯେ ରାଜ୍ୟରେ ତାର ସବୁବେଳେ ୨୫ ପ୍ରତିଶତରୁ ଅଧିକ ସ୍ଥାୟୀ ଭୋଟ୍‌ ରହିଛି। ମାତ୍ର ବିଜେପୁର ନିର୍ବାଚନ ଜଣାଇ ଦେଇଛି କଂଗ୍ରେସର ସେ ସ୍ଥିତି ଆଉ ନାହିଁ। କେବଳ ନିଜ ଗୋଡ଼ରେ ଠିଆ ହୋଇଥିବା କେତେକ କଂଗ୍ରେସ ନେତା ନିଜ ଅଞ୍ଚଳରେ କିଛିଟା ନିଜ ଅସ୍ତିତ୍ୱ ଜାହିର କରୁଥିବା ବେଳେ ଏହା ଯେ କଂଗ୍ରେସ ଭୋଟ୍‌ ତାହା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ କହିବା ମୁସ୍କିଲ। ଗୁରୁତ୍ୱପୂର୍ଣ୍ଣ ହେଉଛି, ବିଜେପୁର ଉପନିର୍ବାଚନ ସମୟରେ କଂଗ୍ରେସ ଶିବିର ଯେପରି ନିରବ ଥିଲା, ପ୍ରସାଦ ତାଙ୍କ ଇସ୍ତଫା ପତ୍ର ହାଇକମାଣ୍ଡଙ୍କୁ ପଠାଇବା ପରେ ମଧ୍ୟ ସେହିପରି ନିରବ ରହିଛି। ଏହା କଂଗ୍ରେସ ଦଳରେ ଝଡ଼ ପୂର୍ବର ନିରବତା ବୋଲି କୁହାଯାଉଛି। ଅର୍ଥାତ ଏ ପରିସ୍ଥିତିରେ କଂଗ୍ରେସ ଭୋଟ୍‌ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଦୁଇ ପଅମୁଖ ରାଜନୈତିକ ଦଳ ମଧ୍ୟରେ ବିଭାଜିତ ହେବା ନେଇ ଆାଙ୍କା ପ୍ରକଶା ପାଇଛି। ସେଥିରୁ ବିଜେଡି ଓ ବିଜେପି କିଏ କେତେ କଂଗ୍ରେସ ଭୋଟ୍‌ ହାତେଇବେ ତାକୁ ନେଇ ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଯାଇଛି।

ସୂଚନାଯୋଗ୍ୟ ଯେ ବିଜେପୁର ପରାଜୟ ପରେ ରାଜ୍ୟ ବିଜେପିର ରାଜ୍ୟରେ ମନୋବଳ କେତେ ପରିମାଣରେ ଭାଙ୍ଗି ଯାଇଛି। ପରବର୍ତ୍ତୀ ଅବସ୍ଥାରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତଙ୍କ ପରି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ବିଜେଡିରେ ମିଶିବା ପରେ ବିଜେଡି ଶିବିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପିକୁ କୌଣସି ସୁଯୋଗ ନ ଦେବା ପାଇଁ ପଣ କରିଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ବିଜେପି ଯେପରି ତ୍ରିପୁରା ମାଣିକ ସରକାରଙ୍କୁ ପଦଚ୍ୟୁତ କରି ଜନାଦେଶ ଜରିଆରେ ଶାସନ କ୍ଷମତା ହାତେଇବା ପାଇଁ ତ୍ରିପୁରା କଂଗ୍ରେସ ନେତାମାନଙ୍କୁ ଶିକାର କରି ଦଳରେ ସାମିଲ କରିଥିଲା, ସମାନ ରଣନୀତି ଓଡ଼ିଶାରେ ଚଳାଇବା ପାଇଁ ଦଳ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ରାଜ୍ୟର ଜନାଧାର ବା ଲୋକଙ୍କ ସମର୍ଥନ ଥିବା କଂଗ୍ରେସ ନେତାମାନେ କେଉଁ ଦଳକୁ ଯିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି ।ଖୁବ ଶୀଘ୍ର ଦକ୍ଷିଣ ଓଡ଼ିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସେ ବିଜେଡିକୁ  ଆସିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ଉଭୟ ବିଜେଡି ଓ ବିଜେପି ଦଳ କଂଗ୍ରେସର ଭୋଟ୍‌ ନିଜ ସପକ୍ଷରେ ନେବା ପାଇଁ ଏବେ ଠାରୁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଥିବା ବେଳେ କଂଗ୍ରେସ ଦଳର ଅନ୍ତଃକନ୍ଦଳରେ କିନ୍ତୁ ଯବନିକା ପଡ଼ୁ ନାହିଁ। ପରିସ୍ଥିତି ଏମିତି ହୋଇପାରେ, ଦଳରେ କଂଗ୍ରେସର ନେତା ଥିବେ, ମାତ୍ର କର୍ମୀ ନ ଥିବେ। ଏପରିକି ବୁଥ ଏଜେଣ୍ଟ ଦେବା ପାଇଁ ମଧ୍ୟ ଆଗାମୀ ଦିନରେ କଂଗ୍ରେସ ଦଳରେ କର୍ମୀଙ୍କ ଅଭାବ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ରାଜନୈତିକ ବିଶ୍ଳେଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର