ସାଧାରଣ ଲୋକଙ୍କ ମତନେଇ ଇସ୍ତାହାର କରିବୁ: ନିରଞ୍ଜନ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ୨୦୧୯ ନିର୍ବାଚନ ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି ସମ୍ପର୍କିତ ପିସିସି ଓ ଏଆଇସିସି ସଦସ୍ୟଙ୍କୁ ଲେଖିଥିବା ଚିଠିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସଭାପତି ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇ ନାହିଁ। ଗାଁରୁ ସହର ଯାଏଁ ଲୋକଙ୍କ ମତାମତ ଆଧରରେ ହିଁ ଏହି ଇସ୍ତାହାର ପ୍ରସ୍ତୁତ କରାଯିବ। କେବଳ ଭୁବନେଶ୍ୱରରେ ବସି ଏହି ଇସ୍ତାହାରକୁ ପ୍ରସ୍ତୁତ କରାଯାଇପାରିବ ନାହିଁ। ତେବେ ସର୍ବ ଭାରତୀୟ ସ୍ତରରେ ନିର୍ବାଚନୀ ଇସ୍ତାହାର ଯାହା ପ୍ରସ୍ତୁତ କରାଯିବ, ତାକୁ ଓଡ଼ିଶା ପିସିସି ଗ୍ରହଣ କରିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଶ୍ରୀକାନ୍ତ ଜେନା ଲେଖିଥିବା ଚିଠି ସେ ପଢି ନାହାନ୍ତି। ସେ ଜଣେ ବରିଷ୍ଟ ନେତା ହୋଇଥିବା ବେଳେ କେଉଁ ଆଧାରରେ ଏହି ଚିଠି ଲେଖାଯାଇଛି ତାହା ମଧ୍ୟ ଜାଣି ନାହାନ୍ତି ବୋଲି ନିରଞ୍ଜନ କହିଛନ୍ତିି। ତେବେ ଶ୍ରୀକାନ୍ତ ଉକ୍ତ ଚିଠିରେ ଯାହା ଲେଖିଥିବେ ତାହା ତାଙ୍କର ବ୍ୟକ୍ତିଗତ ମତ ହୋଇଥାଇପାରେ ବୋଲି ସେ କହିଥିଲେ। ତେବେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ମଧ୍ୟ ଏହି ଚିଠିକୁ ଦେଖିନାହାନ୍ତି ବୋଲି କହିଥିବା ବେଳେ ଚିଠିରେ ଶ୍ରୀକାନ୍ତ ଜେନା ତାଙ୍କ ନିଜସ୍ୱ ମତ ଲେଖିଥାଇ ପାରନ୍ତି ବୋଲି ସେ କହିଛନ୍ତି।

ତେବେ ଶ୍ରୀକାନ୍ତଙ୍କ ଚିଠିରେ ଉଲ୍ଲେଖ ଥିବା ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ମତ ଦେଇ ଜୟଦେବ ଜେନା କହିଛନ୍ତି ଯେ, ଦଳ ପ୍ରଥମେ କ୍ଷମତାକୁ ଆସୁ, ତା’ପରେ ହାଇକମାଣ୍ଡଙ୍କ ନିଷ୍ପତ୍ତି ମୁତାବକ ମୁଖ୍ୟମନ୍ତ୍ରୀ ଚୟନ ହେବେ। କଂଗ୍ରେସରେ ଏକତା ବଜାୟ ରହିଛି ଓ ନୂଆ ପିସିସିକୁ ନେଇ କର୍ମୀମାନେ ମଧ୍ୟ ଉତ୍ସାହିତ ଥିବା ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ ମଧ୍ୟ ଚିଠିକୁ ନେଇ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରପକ୍ଷେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଚିଠି ଲେଖିଥିବା ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଆୟୋଜିତ ହେବାକୁ ଯାଉଥିବା ଜନ ଆକ୍ରୋଶ ର‍୍ୟାଲିରେ ଯୋଗ ଦେବା ପାଇଁ ଓଡ଼ିଶାରୁ ଶତାଧିକ କଂଗ୍ରେସ କର୍ମୀ ଦିଲ୍ଲୀ ଗସ୍ତ କରିଛନ୍ତି। ର‍୍ୟାଲିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମ୍ବୋଧନ କରି ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ। ତେବେ ରବିବାରର ଜନ ଆକ୍ରୋଶ ର‍୍ୟାଲି ସଫଳ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତିି।

ସମ୍ବନ୍ଧିତ ଖବର