ଯଶିପୁରରେ କଂଗ୍ରେସର ଜନ ଜାଗରଣ ଯାତ୍ରାକୁ ସମ୍ବର୍ଦ୍ଧନା : ମୟୂରଭଞ୍ଜର ବିକାଶ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ – ନିରଞ୍ଜନ

ଯଶିପୁର/ପଦ୍ମପୁର : ଦୀର୍ଘ ୧୮ ବର୍ଷର ଶାସନ କାଳରେ ରାଜ୍ୟ ସରକାରଙ୍କ ମୟୂରଭଞ୍ଜବାସୀଙ୍କ ପାଇଁ ତିଳେ ମାତ୍ର ଦରଦ ନାହିଁ କି ଯୋଜନା ନାହିଁ। ଏଠିକାର ସଂଖ୍ୟାଧିକ ଆଦିବାସୀ, ଦଳିତମାନଙ୍କ ପାଇଁ ସରକାର କେବଳ ଟଙ୍କିକିଆ ଚାଉଳ ଓ ଏସ୍‌ଏଚ୍‌ଜିକୁ ସହାୟତା ଦେଇ ଭୁଆଁ ବୁଲାଇ ଚାଲିଛନ୍ତି। ଏଠାରେ ଆୟୋଜିତ କଂଗ୍ରେସ ଜନଜାଗରଣ ଯାତ୍ରାରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ଯଶିପୁରଠାରୁ ୭ କିମି ଦୂର ଟିଙ୍ଗିରିଆ ପଡିଆରେ କଂଗ୍ରେସର ଜନଜାଗରଣ ଯାତ୍ରାକୁ ସ୍ୱାଗତ କରାଯାଇ ଏକ ବିଶାଳ ଜନସଭା ଅୟୋଜିତ ହୋଇଥିଲା। ୪ ଶହରୁ ଊର୍ଦ୍ଧ୍ୱ ମୋଟର ସାଇକଲରେ ଦଳୀୟ କର୍ମୀମାନେ ଏକ ରାଲିରେ ଯଶିପୁର ବଜାରଠାରୁ ସଭାସ୍ଥଳକୁ ଶ୍ରୀପଟ୍ଟନାୟକଙ୍କୁ ସ୍ବାଗତ କରି ନେଇଥିଲେ। ଆୟୋଜିତ ଜନସଭାରେ ଜିଲ୍ଲା ସଭାପତି ହେମନ୍ତ ଦାସ ସଭାପତିତ୍ବ କରିଥିଲେ। ଏଆଇସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ମୁସ୍ତାନ ଅଲ୍ଲୀ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ, ସର୍ବଭାରତୀୟ ଏସ୍‌ଟି ସେଲର ଅଧ୍ୟକ୍ଷ ଶ୍ୟାମ ଚରଣ ହାଁସଦା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳା ତିରିଆ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର