ବିଜେଡିରେ ମିଶିଲେ ମାନସ ମଙ୍ଗରାଜ

ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ, ମାନସ କହିଲେ ଦଳକୁ ସଶକ୍ତ କରିବି
କେନ୍ଦ୍ରାପଡା ଜିଲ୍ଲା ନେତାଙ୍କର ବିଜେଡି ଯୋଗଦାନ ଆଜି

ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେଇଥିବା ଚିଲିକା ନିର୍ବାଚନମଣ୍ଡଳୀର ଯୁବ ନେତା ମାନସ ମଙ୍ଗରାଜ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଧିବଦ୍ଧ ଭାବେ ଦଳକୁ ସ୍ୱାଗତ କରିଛନ୍ତି। କୌଣସି ସର୍ତ୍ତ ନ ରଖି ବିଜେଡିରେ ମିଶିଛନ୍ତି ଓ ଦଳର ସଭାପତି ଯାହା ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ସେ ସଂଗଠନ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଅନ୍ୟପଟରେ ଆସନ୍ତାକାଲି ପୂର୍ବାହ୍ନରେ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର କିଛି ଟାଣୁଆ ନେତା ବିଜେଡିରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ଏହି ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଜେଡିରେ ଯୋଗଦାନ କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ଆଜି ପୂର୍ବାହ୍ନ ୧୦ା ସମୟରେ ଶ୍ରୀ ମଙ୍ଗରାଜ ସ୍ଥାନୀୟ ବିମାନବନ୍ଦର ଛକସ୍ଥିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଓ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଉପସ୍ଥିତିରେ ତାଙ୍କୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ କରାଇଥିଲେ।

ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘‘ମାନସ ମଙ୍ଗରାଜ ଆଜି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ। ଦଳ ଅଧିକ ଶକ୍ତିଶାଳୀ ହେବାରେ ତାଙ୍କ ଯୋଗଦାନ ସହାୟକ ହେବ। ଏହି ଅବସରରେ ମୁଁ ମାନସଙ୍କ ସହିତ ତାଙ୍କ ସମର୍ଥକଙ୍କୁ ସ୍ୱାଗତ ଜଣାଉଛି।’’

ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ଶ୍ରୀ ମଙ୍ଗରାଜ କହିଥିଲେ, ନବୀନ ବାବୁଙ୍କ ନୀତି ଓ ଆଦର୍ଶ ମୋତେ ବିଜେଡି ପ୍ରତି ଆକୃଷ୍ଟ କରିଛି। ତାଙ୍କ ନେତୃତ୍ୱରେ ଦଳର ସଂଗଠନକୁ ମଜବୁତ୍‌ କରିବା ପାଇଁ ଓ ରାଜ୍ୟର ବିକାଶ ପାଇଁ ମୁଁ କାର୍ଯ୍ୟ କରିବି।

ଚିଲିକାରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, ଏମିତି କୌଣସି ଆଶା ନାହିଁ। ଚିଲିକାରେ ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁ ମୋର ବଡ଼ ଭାଇ ପରି। ମୁଁ ତାଙ୍କ ସହ ମିଶି ଚିଲିକାରେ ବିଜେଡି ସଂଗଠନକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା କରିବି।

ଏପଟେ ପୂର୍ବତନ ବିଧାୟକ ରଘୁନାଥ ସାହୁ କହିଥିଲେ, ଆଗାମୀ ଦିନରେ କିଏ ପ୍ରାର୍ଥୀ ହେବ, ତାହା ଦଳର ସଭାପତି ନିଷ୍ପତ୍ତି ନେବେ। ସଭାପତି ଯାହା ନିର୍ଦ୍ଦେଶ ଦେବେ, ସେହି ଅନୁଯାୟୀ କାର୍ଯ୍ୟ କରାଯିବ। ବର୍ତ୍ତମାନ ଚିଲିକାରେ ବିଜେଡିକୁ ମଜବୁତ୍‌ କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ। କେନ୍ଦ୍ରାପଡ଼ା ଏହି ଅବସରରେ ନବୀନ ନିବାସରେ ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ଉପଦେଷ୍ଟା ସଂଜୟ ବାବୁ, ସାଂଗଠନିକ ସଂପାଦକ କୁମାର ଜଗତବଲ୍ଲଭ ମହାରଥାଙ୍କ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୨୦୦୯ ନିର୍ବାଚନରେ କଂଗ୍ରେସ ମାନସ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ପରେ ସେ ଦଳର ମୁଖ୍ୟ ମୁଖପାତ୍ର ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର