ବିଜୁ ଯୁବ ବାହିନୀର ନାମ ପରିବର୍ତନ, ନିଯୁକ୍ତିରେ ଆଦିବାସୀଙ୍କୁ ବାଦ୍ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ଭୁବନେଶ୍ୱର : ‘ବିଜୁ ଯୁବ ବାହିନୀ’ର ନାମ ପରିବର୍ତନ ଦାବି କରଛି ରାଜ୍ୟ କଂଗ୍ରେସ। ଏହି ବାହିନୀର ସଂଯୋଜକ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜନଜାତି, ଜାତି, ପଛୁଆବର୍ଗ ଓ ଦିବ୍ୟାଙ୍ଗଙ୍କୁ ସଂରକ୍ଷଣ ଭିତ୍ତିରେ ସ୍ଥାନ ମିଳୁନାହିଁ। ଏହି ୨ଟି ପ୍ରସଙ୍ଗ ନେଇ କଂଗ୍ରେସ ଅନୁସୂଚିତ ଜନଜାତି ଅଧ୍ୟକ୍ଷ ତଥା ବିଧାୟକ ଭୁଜବଳ ମାଝୀଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଅର୍ଥରେ ବିଜୁ ଜନତା ଦଳର କର୍ମକର୍ତାମାନଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ବିଜୁ ଯୁବ ବାହିନୀ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଉଛି। କଂଗ୍ରେସ ଏହାର ବିରୋଧ କରିଛି। ବିଜୁ ଯୁବ ବାହିନୀ ନାମରେ ଏହି କାର୍ଯ୍ୟକ୍ରମକୁ ନାମିତ କରି ସରକାରୀ ଅର୍ଥ ଅପବ୍ୟୟ କରାଯାଉଥିବାରୁ ଏହାର ନାମ ପରିବର୍ତନ କରିବାକୁ ମଧ୍ୟ ଦଳ ଦାବି କରିଛି। ଆଗାମୀ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅଧୀନରେ ସଂଯୋଜକମାନଙ୍କୁ ମାସିକ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସରକାରୀ ଦରମା ଦେଇ ଏବେଠାରୁ ନିୟୋଜିତ କରାଯାଉଥିବା ନେଇ କଂଗ୍ରେସ ନେତୃବର୍ଗ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସେହିପରି ଓଡିଶା ସଂରକ୍ଷଣ ଆଇନ ୧୯୭୫ ଆଧାରରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ଶାରୀରିକ ଅକ୍ଷମଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାନଯିବା ଏବଂ ବିନା ବିଜ୍ଞାପନରେ ସଂଯୋଜକ ପଦବି ନିଯୁକ୍ତି ଅସାମ୍ବିଧାନିକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଂଗ୍ରେସ ଦାବି କରିଛି। ବିଜେଡିର ଏପରି ଅସାମ୍ବିଧାନିକ ଯୋଜନାକୁ କଂଗ୍ରେସ ଦଳ କଦାପି ବରଦାସ୍ତ କରିବ ନାହିଁ। ଆଗାମୀ ଦିନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନରେ ପଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ ଓ ତୀବ୍ର କରାଯିବ ବୋଲି ଶ୍ରୀ ମାଝୀ କହିଥିଲେ।