ଭୁଲ ପ୍ରାର୍ଥୀ ଯୋଗୁଁ କଂଗ୍ରେସ ଅମାନତ ହାରିଲା: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଅମାନତ ଭାବରେ ହାରିଛି। ବିପର୍ଯ୍ୟୟ ନେଇ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ବିଜେପୁରରେ ଭୁଲ ପ୍ରାର୍ଥୀଙ୍କୁ ବଛାଯାଇ ଥିଲା। ବିଶ୍ୱାଳ କହିଛନ୍ତି, ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ଆମେ ରିପୁନାଥ ସେଠୀଙ୍କ ନାମ ସୁପାରିଶ କରିଥିଲୁ କିନ୍ତୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଦ୍ୱାରା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ବାଛି ଥିଲା।

କଂଗ୍ରେସର ଆଶା ଥିଲା ଯେ, ପ୍ରଣୟ ଗାଇସିଲଟ ଅଞ୍ଚଳର ଜଣେ ତୃଣମୂଳ ସ୍ତରର ନେତା। ପ୍ରଣୟଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଭରସା ରହିଛି। କିନ୍ତୁ ଏହା ହେଲା ନାହିଁ। ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜେପୁରରେ ବିଜୟୀ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ରୀତା ସାହୁ ବିଜୁ ଜନତା ଦଳରେ ସାମିଲ ହୋଇ ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଅଶୋକ ପାଣିଗ୍ରାହୀଙ୍କୁ ବିପୁଳ ୪୧,୯୩୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିବା ସହିତ ବିଜେପୁରର ନୂତନ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍‌ ମିଳିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହିତ ମୋଟ୍‌ ୧୧ ଜଣ ପ୍ରାର୍ଥୀ ଅମାନତ ହାରିଥିଲେ।

ସମ୍ବନ୍ଧିତ ଖବର