ଆସନ ବୁଝାମଣା: ଭୁବନେଶ୍ୱର ଲୋକସଭା ଆସନ ସିପିଏମକୁ ଛାଡ଼ିପାରେ କଂଗ୍ରେସ

ଭୁବନେଶ୍ୱର( ସୁବ୍ରତ ଦାସ) : ସମ୍ମାନଜନକ ଭୁବନେଶ୍ୱର ଲୋକସଭା ଆସନକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆସନ ବୁଝାମଣା କ୍ରମରେ ସି.ପି.ଏମ୍‌କୁ ଛାଡି ଦେଇପାରେ। ଏହି ମର୍ମରେ ସି.ପି.ଏମ୍‌ ପକ୍ଷରୁ କଂଗ୍ରେସକୁ ପ୍ରସ୍ତାବ ଦିଆଯାଇଛି।

ବରିଷ୍ଠ ସି.ପି.ଏମ୍‌ ନେତା ଜନାର୍ଦ୍ଦନ ପତି ‘ସମ୍ବାଦ ଡଟ୍ ଇନ’କୁ କହିଛନ୍ତି ଯେ ଭୁବନେଶ୍ୱର ଲୋକସଭା ଆସନରୁ ତାଙ୍କ ଦଳକୁ ଛାଡି ଦେବା ପାଇଁ ଆପାତତଃ ସ୍ଥିର କରିଛନ୍ତି।

ଏ ସଂପର୍କରେ ପଚାରିବାରୁ ପ୍ରଦେଶ କଂଗ୍ରେସ ଉପ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହନ୍ତି, ଭୁବନେଶ୍ୱର ଲୋକସଭା ଆସନ ଛାଡି ଦେବା ପାଇଁ ସି.ପି.ଏମ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି, ଆଲୋଚନା ପରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବାମଦଳ ସହ ଆସନ ବୁଝାମଣା ନେଇ ଆଲୋଚନା ପ୍ରକ୍ରିୟା ଚାଲୁ ରହିଛି ଏବଂ ଏହା ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଶେଷ ହେବ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଶେଷ ଥର ପାଇଁ ୧୯୯୬ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଭୁବନେଶ୍ୱର ଆସନରେ ବିଜୟୀ ହୋଇଥିଲେ। ତା’ପରଠାରୁ କଂଗ୍ରେସ ଏହି ଆସନରୁ ଆଉ ବିଜୟୀ ହୋଇପାରି ନାହିଁ।

ସି.ପି.ଏମ୍‌ ନେତା ଶ୍ରୀ ପତି କହିଛନ୍ତି ଯେ ଆସନ ବୁଝାମଣା ବିଭିନ୍ନ ଦଳ ସହ ରାଜ୍ୟ ସ୍ତରରେ ଅଲଗା ଅଲଗା ହେବ। ଓଡ଼ିଶାରେ କଂଗ୍ରେସ ସହିତ ଆସନ ବୁଝାମଣା ହେଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଅନ୍ୟ ଦଳ ସହ ତାହା ହେବ।

ତଥ୍ୟାଭିଜ୍ଞ ମହଲରୁ ପ୍ରକାଶ ଯେ ବାମଦଳ ସି.ପି.ଆଇ ଏବଂ ସି.ପିଏମ୍‌ ସହ କଂଗ୍ରେସର ଆସନ ବୁଝାମଣା ପ୍ରକ୍ରିୟା ଗତ କିଛି ମାସ ହେଲା ଜାରି ରହିଛି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତାହା ଚୂଡାନ୍ତ ହେବ।

ସି.ପି.ଆଇ ରାଜ୍ୟ ସଂପାଦକ ଦିବାକର ନାୟକଙ୍କଠାରୁ ପ୍ରକାଶ ଯେ ଗତ ଫେବୃୟାରି ୧୭ ତାରିଖ ସକାଳେ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ସି.ପି.ଆଇ ଜାତୀୟ ସଂପାଦକ ଡ଼ି.ରାଜାଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲା। ଆପାତତଃ ଆସନ ବୁଝାମଣା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି। ରାଜ୍ୟ କାର୍ଯ୍ୟନିବାହୀ କମିଟିରେ ଏ ସଂପର୍କରେ ଏକ ପ୍ରସ୍ତାବ ଗୃହୀତ ହୋଇଯାଇଛି।

ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପି.ସି.ସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହିତ ଖୁବ୍‌ ଶୀଘ୍ର ହେବ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୨୮ ତାରିଖ ସୁଦ୍ଧା ହେବାର ଆଶା କରାଯାଉଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ପୂର୍ବରୁ ପି.ସି.ସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିବାର ସେ କହିଛନ୍ତି।

ସମ୍ବନ୍ଧିତ ଖବର