ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ସଗରିଆ

ଭୁବନେଶ୍ବର : କୋରାପୁଟ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ ଆଜି ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ସେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତିି।

ଏସଂପର୍କରେ ଶ୍ରୀ ସଗରିଆ ସାମ୍ବାଦିକମାନଙ୍କୁ କହିଲେ ଯେ ବିଧାୟକ ଭାବେ କୁନ୍ଦୁଲିର ୯ମ ଶ୍ରେଣୀ ଛାତ୍ରୀ ତଥା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସେ ନ୍ୟାୟ ଦେଇପାରିଲେ ନାହିଁ। ଏଣୁ ବିଧାୟକ ପଦବିରେ ରହିବାର ତାଙ୍କର ନୈତିକ ଅଧିକାର ନାହିଁ। ବିବେକ ତାଡ଼ନାରେ ସେ ଇସ୍ତଫା ଦେଇଛନ୍ତି। ତେବେ ସେ କଂଗ୍ରେସ ଦଳ‌ରେ ଅଛନ୍ତି। ଦଳରେ ରହିବେ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ସୂଚନାଯୋଗ୍ୟ ଯେ, ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗଦେବେ ବୋଲି ଚର୍ଚା ଆରମ୍ଭ ହୋଇଯାଇଥିଲା।

ତେବେ ସେ ବିଧାୟକ ଥାଇ ଏହି ପ୍ରସଙ୍ଗରେ ଲଢ଼ିପାରିବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ କହିଥିଲେ। ଏଣୁ ସେ ବିଧାୟକ ପଦବିରୁ ଇସ୍ତଫା ଦେବା ପଛରେ ଅନ୍ୟ କି କାରଣ ରହିଛି ସେ ନେଇ ରାଜନୈତିକ ମହଲରେ ଚର୍ଚା ଚାଲିଛି। କଂଗ୍ରେସ ଦଳରେ ସେ ଅଛନ୍ତି ଏବଂ ରହିବେ ବୋଲି କହିଛନ୍ତି। ଏହି ଦୃଷ୍ଟିରୁ ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ପଦବିରୁ ତାଙ୍କୁ ହଟାଯିବା ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ମତଭେଦ ଆଦି ତାଙ୍କ ଇସ୍ତଫା ପଛର ପ୍ରମୁଖ କାରଣ ନୁହେଁ ବୋଲି କୁହାଯାଇପାରେ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସଗରିଆ ବିଧାୟକ ପଦରୁ ତାଙ୍କ ଇସ୍ତଫାପତ୍ର ଦେବା ପରେ ବାଚସ୍ପତି ଏହାକୁ ଗ୍ରହଣ କରିବା ପୂର୍ବରୁ ତର୍ଜମା କରିବେ ବୋଲି କୁହାଯାଉଛି। ଏହି ଇସ୍ତଫାପତ୍ର ଗୃହୀତ ହେଲେ ବିଧାନସଭାରେ କଂଗ୍ରେସ ଦଳର ବିଧାୟକ ସଂଖ୍ୟା ୧୫ରୁ ୧୪କୁ ହ୍ରାସ ପାଇବ। ଫଳରେ ଏହା ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇପାରେ ‌େବାଲି କୁହାଯାଉଛି। କିନ୍ତୁ ଜର୍ଜ ତିର୍କି କଂଗ୍ରେସରେ ଯୋଗ ଦେଇଥିବାରୁ କଂଗ୍ରେସକୁ ଏଭଳି ବିପଦ ନାହିଁ। ନରସିଂହ ମିଶ୍ର ବିରୋଧୀ ଦଳ ନେତା ପଦ ହରାଇବା ସମ୍ଭାବନା ମଧ୍ୟ ନାହିଁ ବୋଲି କୁହାଯାଉଛି। ସାଧାରଣ ନିର୍ବାଚନ ଆଉ ପ୍ରାୟ ୭ ମାସ ପୂର୍ବରୁ ଆଦିବାସୀ ନେତା ବିଧାୟକ ପଦବିରୁ ଇସ୍ତଫା ଦେଇଥିବାରୁ ଆଗାମୀ ଦିନରେ ସେ କି ପଦକ୍ଷେପ ‌େନଉଛନ୍ତି ତାହା ଦେଖିବାର କଥା।

ସୂଚନାଯୋଗ୍ୟ ଯେ ଗତମାସ ୩୦ ତାରିଖରେ ସେ ଇସ୍ତଫା ଦେବା କଥା ଘୋଷଣା କରିଥିଲେ। କିନ୍ତୁ ଭୁବନେଶ୍ବରରେ ବାଚସ୍ପତି ନଥିବାରୁ ସେ ଇସ୍ତଫାପତ୍ର ଦେଇପାରିନଥିଲେ।

ସମ୍ବନ୍ଧିତ ଖବର