ମୋଦିଙ୍କ କଟାକ୍ଷ: ଏବେ କଂଗ୍ରେସ୍‌କୁ ଲୋକେ କହୁଛନ୍ତି ‘ବେଲ୍‌’ ଗାଡ଼ି

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୌପଚାରିକ ଭାବେ ରାଜସ୍ଥାନରେ ନିର୍ବାଚନୀ ବିଗୁଲ୍‌ ବଜାଇଛନ୍ତି। ରାଜସ୍ଥାନ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ବର୍ଷିବା ସହ ବିଜେପି ସରକାରର ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଛନ୍ତି। ରାଜଧାନୀ ଜୟପୁରରେ ବିଭିନ୍ନ ସରକାରୀ ଯୋଜନାର ୨.୫ ଲକ୍ଷ ହିତାଧିକାରୀଙ୍କ ଏକ ସମାବେଶରେ ଯୋଗ ଦେଇ ସେ କହିଥିଲେ ଏବେ ଯୋଜନା ଅଟକୁ ନାହିଁ, ଲଟକୁ ନାହିଁ କିମ୍ବା ରାସ୍ତାରୁ ଭଟକୁ ନାହିଁ। ଫଳରେ ଲୋକେ ବିକାଶର ଭାଗିଦାର ହୋଇପାରୁଛନ୍ତି।

ଏହି ଅବସରରେ ସେ କଂଗ୍ରେସକୁ କଟାକ୍ଷ କରି କହିଥିଲେ ,ଆଜିକାଲି କେହି କେହି କଂଗ୍ରେସକୁ ‘ବେଲ୍‌ଗାଡ଼ି’ (ବୈଲ୍‌ ଗାଡି ବା ଶଗଡ଼ ଗାଡ଼ି ନୁହେଁ) କହୁଛନ୍ତି। କାରଣ ଏବେ କଂଗ୍ରେସର ଅନେକ ବଡ଼ ନେତା ଓ ପୂର୍ବତନ ମନ୍ତ୍ରୀ ‘ବେଲ୍‌’ ବା ଜାମିନରେ ଅଛନ୍ତି। ଯଦିଓ କାହାର ନାମ ନେଇ ନ ଥିଲେ,ତେବେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ନେତା ଶଶି ଥରୁର୍‌ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ଲକ୍ଷ୍ୟ କରି ଏହା କହିଥିଲେ।

ସୁନନ୍ଦା ପୁଷ୍କର ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଘୋଷିତ ହେବା ପରେ ଶଶି ଥରୁର୍‌ ବେଲ୍‌ରେ ଅଛନ୍ତି। ସେହିପରି ଆଇଏନ୍‌ ଏକ୍ସ ମିଡ଼ିଆ ଦୁର୍ନିତି ମାମଲାରେ ଫସିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ ଓ ତାଙ୍କର ପୁତ୍ର କାର୍ତ୍ତି ଚିଦାମ୍ବରମ୍‌। ଏବେ ବାପ-ପୁଅ ଜାମିନରେ ଅଛନ୍ତି।

ସମ୍ବନ୍ଧିତ ଖବର