କଂଗ୍ରେସ ଖେଳିଲା ଆଦିବାସୀ କାର୍ଡ

ଦିଲ୍ଲୀରେ ମିଶିଲେ ଜର୍ଜ ତିର୍କୀ, ମୟୂରଭଂଜରେ ନେପୋଲ, ମହାନଦୀ ବଞ୍ଚାଅ ଆନ୍ଦୋଳନର ୫ ସଦସ୍ୟ ମଧ୍ୟ ‘ହାତ’ ଧରିଲେ, ମୟୂରଭଂଜରେ ବିଜେପିକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ/ବାରିପଦା : ପ୍ରଦେଶ କଂଗ୍ରେସ ଆଜି ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଅର୍ଥାତ୍‌ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଭାଗରେ ନିଜର ଶକ୍ତି ବଢାଇଛି। ନୂଆଦିଲ୍ଲୀରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଆଜି ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗଦେଇଛନ୍ତି। ଏପଟେ ବିଜେପିକୁ ଝଟ୍‌କା ଦେଇ ଗତ ନିର୍ବାଚନ ସମୟର ସାଂସଦ ପ୍ରାର୍ଥୀ ନେପୋଲ ରଘୁ ମୁର୍ମୁ ମଧ୍ୟ ଆଜି କଂଗ୍ରେସରେ ଯୋଗଦେଇଛନ୍ତି। ଦୁଇ ଦୁଇ ଜଣ ଟାଣୁଆ ଆଦିବାସୀ ନେତାଙ୍କ ଯୋଗଦାନ ଆଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ବିଜେଡି ବାଦ୍‌ ଯେଉଁ ମହାନଦୀ ଆନ୍ଦୋଳନ ଚାଲିଥିଲା, ତାର ନେତୃତ୍ୱ ନେଉଥିବା ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି।

ଆଜି ନୂଆଦିଲ୍ଲୀରେ ଶ୍ରୀ ତିର୍କୀ କଂଗ୍ରେସରେ ଯୋଗଦେଇଥିଲେ। ତାଙ୍କ ସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ୫ ଜଣ ସଦସ୍ୟ ସୁଦର୍ଶନ ଦାସ, ମନୋଜ ଜେନା, ଲଳିତ ମୋହନ ପଟ୍ଟନାୟକ, ବିଜୟ ପ୍ରଧାନ ଓ ନିରଜ ଖୁଣ୍ଟିଆ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହାତ ଧରିଛନ୍ତି। ଉଭୟ ମିଶ୍ରଣ କାର୍ଯ୍ୟକ୍ରମ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ତୋଗଲୋକ୍‌ ଲେନ୍‌ ସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା ଓ ନିଜେ ଶ୍ରୀ ଗାନ୍ଧୀ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବ ସମୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ଓ ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ। ପାଖାପାଖି ୪୫ ମିନିଟ୍‌ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ କଂଗ୍ରେସକୁ ଓଡ଼ିଶାରେ ଅଧିକ କ୍ରିୟାଶୀଳ କରିବାପାଇଁ ପରାମର୍ଶ ଦେବା ସହ ସେମାନଙ୍କ ସ୍ଥିତି ଦଳକୁ ଅଧିକ ମଜବୁତ୍‌ କରିବ ବୋଲି ରାହୁଲ୍‌ କହିଥିଲେ।

ଏପଟେ ମୟୂରଭଂଜରେ ଏକ ସ୍ୱତନ୍ତ୍ର ଉତ୍ସବରେ ଦଳର ବରିଷ୍ଠ ନେତ୍ରୀ ସୁଶୀଳା ତିରିଆଙ୍କ ଉପସ୍ଥିତିରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତିି ନେପୋଲ ମୁର୍ମୁ କଂଗ୍ରେସରେ ଯୋଗଦେଇଥିଲେ।

କଂଗ୍ରେସ ମିଶ୍ରଣ ସଂପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏହି ନେତାମାନେ ଦଳରେ ଯୋଗ ଦେବାଦ୍ୱାରା ଦଳର ଶକ୍ତି ଅଧିକ ବୃଦ୍ଧି ହେବ ଏବଂ ଦଳ ଅଧିକ ଲାଭବାନ୍‌ ହେବ। ଆଗକୁ ବିଜେଡି ଓ ବିଜେପିର ଅନେକ ନେତା ଯେଉଁମାନେ ଦଳରେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ସେମାନେ ହୁଏତ କଂଗ୍ରେସରେ ସାମିଲ୍‌ ହୋଇପାରନ୍ତି ବୋଲି ନିରଂଜନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥିବାର ସୂଚନା ଦେଇଥିଲେ।

ଜର୍ଜ ତିର୍କୀଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରାଯିବା ସମ୍ପର୍କରେ ନିରଜଂନ କହିଥିଲେ ଜର୍ଜ ତିର୍କୀ ଏବେ ବିଧାୟକ ଅଛନ୍ତି ତେଣୁ କଂଗ୍ରେସରେ ମିଶିବାପରେ ତାଙ୍କୁ ଏହି ଆସନରୁ ବଞ୍ଚିତ କରାଯିବନି। ତେବେ ସେ ବିଧାୟକ କି ସାଂସଦ ରୂପେ ନିର୍ବାଚନ ଲଢ଼ିବେ ତାହା ସମୟ କହିବ ବୋଲି ନିରଜଂନ କହିଥିଲେ। ଅପରପକ୍ଷେ ମହାନଦୀ ବଞ୍ଚାଅ ଅନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରାଯିବା ନେଇ ପ୍ରଶ୍ନରେ ନିରଂଜନ କହିଛନ୍ତି ଏହି ମାମଲାରେ ମାପିଚୁପି ନିଷ୍ପତ୍ତି ନିଆଯିବ। ଏହି ଅବସରରେ ଏଆଇସିସିର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ କଂଗ୍ରେସରେ ଯୋଗ ଦେଇଥିବା ନେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜଣେ ଆଦିବାସୀ ନେତା ରୂପେ ଜର୍ଜ ତିର୍କୀଙ୍କର ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କଂଗ୍ରେସ ଦଳରେ ମିଶିବାପରେ ବିଧାୟକ ଜର୍ଜ ତିର୍କୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କଂଗ୍ରେସ ଦଳରେ ମିଶିଥିବାରୁ ସେ ଖୁବ୍‌ ଖୁସି। ୨୫ ବର୍ଷର ସଂଘର୍ଷମୟ ଜୀବନକୁ କଂଗ୍ରେସ ଦଳ ପାଇଁ ଉପଯୋଗ କରିବି। ଦୁର୍ନୀତିଖୋର ଓ ଆଦିବାସୀ ହତ୍ୟାକାରୀ ବିଜେଡି ସରକାର ତଥା ସାମ୍ପ୍ରଦାୟିକତାବାଦରେ ବିଶ୍ୱାସ ରଖିଥିବା ବିଜେପି ଦଳ ବିରୋଧରେ ଲଢ଼େଇ କରି ଓଡ଼ିଶାରେ କଂଗ୍ରେସକୁ କ୍ଷମତାକୁ ଆଣିବାପାଇଁ ଚେଷ୍ଟା କରିବି। ଅପରପକ୍ଷେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କଂଗ୍ରେସରେ ମିଶିବାପରେ କହିଥିଲେ ନ୍ୟାୟିକ ଓ ଟ୍ରିବ୍ୟୁନାଲ୍‌ର ଲଢ଼େଇରେ ମହାନଦୀ ଜଳବିବାଦର ସମାଧାନ ହୋଇପାରିବନାହିଁ। କଂଗ୍ରେସ ଯଦି କେନ୍ଦ୍ର, ଓଡ଼ିଶା ଓ ଛତିଶଗଡ଼ରେ କ୍ଷମତାରେ ରହେ ଏହି ବିବାଦର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ରାସ୍ତା ବାହାରିପାରିବ। କଂଗ୍ରେସ ଏକ ଜାତୀୟ ଦଳ। ଜାତୀୟ ଦଳ ଦ୍ୱାରା ଆନ୍ତଃରାଜ୍ୟ ଜଳବିବାଦ ସମାଧାନର ସମ୍ଭାବନା ରହିଥାଏ ତେଣୁ ଜାତୀୟ ଦଳ କଂଗ୍ରେସକୁ ମୁଁ ଗ୍ରହଣ କରିଛି ବୋଲି ସୁଦର୍ଶନ କହିଥିଲେ।

ଅନ୍ୟପକ୍ଷରେ ନେପେଲୋ ମୁର୍ମୁଙ୍କ ଯୋଗଦାନକୁ ସ୍ୱାଗତ କରିଛନ୍ତି ଜିଲ୍ଲା ସଭାପତି ହେମନ୍ତ ଦାସ। ଶ୍ରୀ ଦାସ କହିଛନ୍ତି, ଏହାଦ୍ୱାରା ଜିଲ୍ଲାରେ କଂଗ୍ରେସ ଦୃଢ଼ ହେବ। ତେବେ କେଉଁ ନିର୍ବାଚନମଣ୍ଡଳୀରେ ଶ୍ରୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନେତାମାନେ ରଖିନଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜଣେ ଉଚ୍ଚଶିକ୍ଷିତ ଯୁବକ ସହିତ ଶ୍ରୀ ମୁର୍ମୁଙ୍କର ରାଇରଙ୍ଗପୁର ଅଞ୍ଚରେ ବେଶ୍‌ ପ୍ରଭାବ ରହିଛି। ମାତ୍ର ବିଜେପିରେ ତାଙ୍କୁ କୋଣଠେସା କରାଯାଉଥିବା ଏବଂ ତାଙ୍କୁ କାମ କରିବାର ସୁଯୋଗ ଦିଆଯାଉନଥିବା ଅଭିଯୋଗ କରି ସେ ଆଜି କଂଗ୍ରେସରେ ଯୋଗଦେଇଛନ୍ତି। ଦେଶରେ ଜାତୀୟ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ। କଂଗ୍ରେସରେ ସେ ଶାନ୍ତିରେ ସମାଜସେବା କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ମୁର୍ମୁ ଆଜି ପ୍ରକାଶ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମୁର୍ମୁ ବିଜେଡିି ପ୍ରାର୍ଥୀଙ୍କ ପଛକୁ ଦୁଇ ନମ୍ବର ସ୍ଥାନରେ ଥିଲେ। ୨ ଲକ୍ଷ ୭୦ ହଜାରରୁ ଊର୍ଧ୍ୱ ଭୋଟ୍‌ ପାଇ ଗତ ନିର୍ବାଚନରେ ଶାସକ ଦଳକୁ କଡ଼ା ମୁକାବିଲା ମଧ୍ୟ କରିଥିଲେ। ଗତ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ଡାକ୍ତରୀ ପେଶାରେ ଥିବା ଶ୍ରୀ ମୁର୍ମୁଙ୍କ ସାଂସଦ ପ୍ରାର୍ଥୀ କରିଥିଲା। ତେବେ ତାଙ୍କର ବିଜେପି ଛାଡ଼ିବା ଦଳ ଉପରେ କୌଣସି ପ୍ରଭାବ ପକେଇବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର