ବିଧାନ ପରିଷଦ ବିଲ୍‌କୁ ବିରୋଧ କରିବୁ: ନରସିଂହ

ଭୁବନେଶ୍ୱର : ପୂର୍ବ ନିଷ୍ପତ୍ତି ମୁତାବକ ବିଧାନସଭାର ମୌସୁମୀକାଳୀନ ଅଧିବେଶନରେ ଶାସକ ବିଜେଡି ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ଆଣିବ ବୋଲି ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହାକୁ ବିରୋଧ କରିବ କଂଗ୍ରେସ ଦଳ।

ବିଧାନସଭାର ମୌସୁମୀକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ ଯେ, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କଂଗ୍ରେସ ଦଳ ମୂଳରୁ ବିରୋଧ କରୁଛି। ଏଥିପାଇଁ ଗୃହରେ ଯେଉଁ କମିଟି ଗଠନ କରାଯାଇଥିଲା, କଂଗ୍ରେସ ତାକୁ ବର୍ଜନ କରିଛି। ଏ ନେଇ ଗଠିତ କମିଟିରୁ ଦଳୀୟ ସଭ୍ୟମାନେ ଇସ୍ତଫା ଦେଇଛନ୍ତି। ଏଭଳି ପ୍ରସ୍ତାବକୁ ଦଳ ଆଦୌ ସହଯୋଗ କରିନାହିଁ। ଏଣୁ ଗୃହରେ ଏସଂକ୍ରାନ୍ତ ବିଲ୍‌ ଆସିଲେ କଂଗ୍ରେସ ଏହାକୁ ବିରୋଧ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଅଧିବେଶନରେ କଂଗ୍ରେସ ବିଧାୟକ ଦଳର ନିଷ୍ପତ୍ତି ଅନୁସାରେ ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା, ଶସ୍ୟ ବୀମା, ଉଭୟ ସ୍କୁଲ ଓ କଲେଜ ଶିକ୍ଷକଙ୍କ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତିରେ ଅଧୋଗତି, ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି, ଲୋକାୟୁକ୍ତ, ବେକାରି ସମସ୍ୟା, ବିଭିନ୍ନ ପ୍ରକାରର ଦୁର୍ନୀତି, ପିଇବାପାଣି ସଙ୍କଟ, ଡାକ୍ତର ଅଭାବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା, ଯୋଜନା ନାଁରେ ଶାସକ ଦଳର ହୀନ ରାଜନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗ କଂଗ୍ରେସ ଦଳ ଉପସ୍ଥାପନ କରିବ ବୋଲି ବିରୋଧୀ ଦଳ ନେତା କହିଥିଲେ। ତେବେ ସରକାରୀ ଦଳ ଠିକ୍‌ ଭାବେ ଗୃହ ପରିଚାଳନା କରିବା ସହିତ ବିରୋଧୀଙ୍କୁ ଏସବୁ ଆଲୋଚନା ପାଇଁ ସୁଯୋଗ ଦେବେ ବୋଲି ସେ ଆଶାପ୍ରକାଶ କରିଥିଲେ।

ବିଧାୟକ ଦଳ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ ବି ସେ କିଛି କହିବା ଉଚିତ ନୁହେଁ ଦର୍ଶାଇ ଚୁପ୍‌ ରହିଥିଲେ। ବୈଠକରେ ଦଳୀୟ ବିଧାୟକ ନବକିଶୋର ଦାସ, କୃଷ୍ଣଚନ୍ଦ୍ର ଶଗରିଆ ଓ କୈଳାସ କୁଲେସିକା ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର