ବିଜେପି ବିଧାୟକଙ୍କ ଆଶାଳୀନ ମନ୍ତବ୍ୟ ସମସ୍ତ ଭାରତୀୟ ନାରୀଜାତି ପ୍ରତି ଅପମାନ: ନିରଞ୍ଜନ ପଟ୍ଟନାୟକ

ବିଷ୍ଣୁ ସେଠୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ ଧାରଣାରେ ବସିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଭଳି ପବିତ୍ର ଗୃହରେ ବିରୋଧୀ ଦଳ ଉପନେତା ତଥା ବିଧାୟକ ବିଷ୍ଣୁ ସେଠୀ ମୁସ୍‌ଲିମ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ମନ୍ତବ୍ୟ ପାଇଁ ସମଗ୍ର ନାରୀଜାତିକୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ନେଇ ବିଧାୟକ ତଥା ବିରୋଧିଦଳ ଉପନେତାଙ୍କୁ ସର୍ବସାଧାରଣରେ ସମଗ୍ର ଦେଶର ମୁସଲିମ୍‌ ମହିଳାମାନଙ୍କ ପ୍ରତି ଦେଇଥିବା ଆଶାଳୀନ ତଥା ଅରୁଚିକର ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ ସର୍ବ ସମ୍ମୁଖରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଈଶ୍ୱର, ବିଜେପି ଓ ତାଙ୍କର ନେତାମାନଙ୍କ ସଦବୁଦ୍ଧି ପ୍ରଦାନ କରନ୍ତୁ। ଯଦ୍ୱାରା ଭାରତୀୟ ସଂସ୍କୃତିରେ ନାରୀମାନଙ୍କ ସମ୍ମାନ ଓ ଗାରିମାର ଭୁଲୁଣ୍ଡିତ କରିବାକୁ ଦିଆନଯାଉ।

ବିଧାନସଭାର ଶୁନ୍ୟକାଳରେ ତିନି ତଲାକ ବିଲ୍‌ ଉପରେ ସରଗରମ ଆଲୋଚନା ଚାଲିଥିଲା ବେଳେ ଗୃହର ବିଧାୟକ ଶ୍ରୀ ସେଠୀ କହିଥିଲେ ଯେ, ତିନି ତଲାକ ପୀଡ଼ିତା ବହୁ ମୁସଲିମ୍‌ ମହିଳାମାନେ ବମ୍ବେ, କୋଲକାତା, ଦିଲ୍ଲୀ ଏବଂ ଦେଶରେ ଅନ୍ୟ ସହରମାନଙ୍କରେ ଦେହ ବ୍ୟବସାୟରେ ଲିପ୍ତ ରହୁଥିବାର ପ୍ରମାଣ ଅଛି। ଯେକୌଣସି ପ୍ରରିପ୍ରେକ୍ଷୀରେ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପଶବ୍ଦ ଓ ଅରୁଚିକର ମନ୍ତବ୍ୟ ସବୁବେଳେ ନିନ୍ଦନୀୟ। ତାଙ୍କର ମନେ ରଖିବା ଉଚିତ ଯେ, ଭାରତୀୟ ସଂସ୍କୃତିରେ ନାରୀମାନଙ୍କର ସ୍ଥାନ ସବୁ ବେଳେ ସ୍ୱତନ୍ତ୍ର ଓ ଉଚ୍ଚରେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପି ତଥା ତାଙ୍କର ନେତାମାନଙ୍କର ଏହା ଏକ କୁତ୍ସିତ ମାନସିକତାର ପରିଚୟ ଅଟେ।

ଏହା ପୂର୍ବରୁ ବିଜେପି ଦଳର ନେତ୍ରୀ ତଥା ସାଧାରଣ ସଂପାଦିକା ଓଡ଼ିଶାର ମହିଳାମାନେ ସୁରଟ ସହରରେ ଦେହ ବେପାର କରନ୍ତି ବୋଲି ମଧ୍ୟ କହିଥିଲେ। ବିଜେପି ନେତାମାନେ ଭାରତୀୟ ନାରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନସୂଚକ ମନ୍ତବ୍ୟ ଦେଉଥିବା ଦେଳେ ଦଳର ବରିଷ୍ଠ ନେତାମାନେ ନିରବ ରହିବା ନାରୀଜାତି ପ୍ରତି ଏ ଦଳର ନେତା ନିଜର ନୀଚ ମାନସିକତାର ପରିଚୟ ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଦିପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର