ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ପୂର୍ତ୍ତର୍ ସଚିବ ନଳିନୀକାନ୍ତ ପ୍ରଧାନ ଯାହାଙ୍କ କାର୍ଯ୍ୟକାଳ ସମୟରେ ଘୋଟାଲା ଓ ଲାଂଚ କାରବାରର ସର୍ବାଧିକ ଅଭିଯୋଗ ହୋଇଥିଲା ତାଙ୍କୁ ପୁରସ୍କାର ସ୍ୱରୂପ ବିଜେଡି ପକ୍ଷରୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଭାବେ ଟିକେଟ୍‌ ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏ ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟକାଳ ଅବଧି ଭିତରେ କୋଟି କୋଟି ଟଙ୍କାର ଘୋଟାଲା ଓ ପିସି କାରବାରର ଅଭିଯୋଗ ଥିଲା, ସେହି ବ୍ୟକ୍ତିଙ୍କୁ ସମ୍ବଲପୁର ଲୋକସଭା ପାଇଁ ଟିକେଟ୍‌ ଦେଇ ପୁରସ୍କୃତ କରାଯାଇଛି। ଚାକିରୀରେ ଥିବା ବେଳେ ସରକାରଙ୍କୁ ଅନୁଗୃହୀତ କରିବା ଭଳି ନିଷ୍ପତ୍ତି ନେଉଥିବା ଏହି ତୋଷାମୋଦକାରୀଙ୍କ ଅସଲ ମୁଖା ଏବେ ଲୋକଙ୍କ ସାମ୍ନାକୁ ଆସିଛି।

ପୂର୍ବତନ ପୂର୍ତ୍ତ ସଚିବଙ୍କ ଭିତରେ ଯେ ନିବିଡ ସଂପର୍କ ଥିଲା ସେ କଥା ଏବେ ଟିକେଟ୍‌ ଘୋଷଣା ହେବା ପରେ ସାମ୍ନାକୁ ଆସିଛି। ନିଜ ଚାକିରୀ କାର୍ଯ୍ୟକାଳ ସରିବା ପରେ ମଧ୍ୟ ପୁନର୍ବାର ନଳିନୀ ପ୍ରଧାନଙ୍କୁ ପୂର୍ତ୍ତ ସଚିବ ପଦରେ ରଖି ତାଙ୍କ କାର୍ଯ୍ୟ ଅବଧି ବଢାଇବାର ରହସ୍ୟ ପଛରେ ଅଭିଯୋଗ ରହିଛି। ଶହ ଶହ କୋଟି ଟଙ୍କାର ଲାଂଚ କାରବାର ଏବଂ ଏଥିରେ ସିଧାସଳଖ ସରକାରଙ୍କ ସଂପୃକ୍ତିର ଅଭିଯୋଗ ଆଣିଛି କଂଗ୍ରେସ। ଏହି ବ୍ୟକ୍ତିଙ୍କର କାର୍ଯ୍ୟକାଳ ମଧ୍ୟରେ ଦେଢ ହଜାର କୋଟି ଟଙ୍କାର ଇ-ଟେଣ୍ଡର କରାଗଲା ନାହିଁ, ଯାହାକି ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇବା ସହିତ ଏକ ବଡ ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନେକ ଗୁଡ଼ିଏ ପ୍ରୋଜେକ୍ଟର ମୂଲ୍ୟ ବୃଦ୍ଧି କରିବାରେ ମଧ୍ୟ ଏହି ବ୍ୟକ୍ତିଙ୍କର ହାତ ଥିବାର ଅଭିଯୋଗ ରହିଛି, ଯାହା ପ୍ରକାରାନ୍ତରରେ ବିଜୁ ଜନତା ଦଳକୁ ନିର୍ବାଚନୀ ପାଣ୍ଠି ଯୋଗାଇବାର ମାଧ୍ୟମ ସାଜିଛି। ଏହାର ଏକ ଜ୍ଜ୍ୱଳନ୍ତ ନମୁନା ହେଉଛି ଗୁରୁପ୍ରିୟା ସେତୁ, ଯାହାର ଅତିରିକ୍ତ ବ୍ୟୟ ୩୪ କୋଟି ବୃଦ୍ଧି କରାଯାଇଥିଲା ଏବଂ ଏହାକୁ ଖୋଦ୍‌ ଏ.ଜି. ତାଙ୍କ ରିପୋର୍ଟରେ ଦର୍ଶାଇବା ସହିତ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟ ଅବଧି ମଧ୍ୟରେ ସବୁଠାରୁ ଅଧିକ ନିର୍ମାଣାଧୀନ ପୋଲ ଭୁଷୁଡିଲା ତାହାର ତଦନ୍ତ ନକରି ଗଳା ବାଟ ଦେଇ ତାଙ୍କୁ ଲୋକସଭାକୁ ପଠାଇବାର ଏକ ସୁଚିନ୍ତିତ ବ୍ୟବସ୍ଥା କରି ଦିଆଗଲା। ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ଶିକାର ହୋଇ ନିଜ ବାପାଙ୍କୁ ହରାଇଥିବା ଝିଅକୁ କି ଜବାବ ଦେବ ବିଜେଡି? ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ ସର୍ବାଧିକ ଘୋଟାଲାର ଅଭିଯୋଗ ତାଙ୍କୁ ଲୋକସଭା ଟିକେଟ୍‌ ଦେଇ ପୁରସ୍କୃତ କରିବାର ନିଷ୍ପତି ପଛରେ କ’ଣ ରହସ୍ୟ ରହିଛି ତାକୁ ଲୋକଲୋଚନକୁ ଆଣିବା ପାଇଁ ଦାବି କରିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଦିପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର