ମଧ୍ୟପ୍ରଦେଶରେ କ୍ଷମତାକୁ ଆସିଲେ ଗୋମୁତ୍ରର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିବୁ : କଂଗ୍ରେସ

ଭୋପାଳ : ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ କଂଗ୍ରେସ ଆଜି ନିଜର ଘୋଷଣାପତ୍ର ପ୍ରକାଶ କରିଛି । ନିଜର ଏହି ଘୋଷଣାପତ୍ରରେ କୃଷି ଋଣଛାଡ, ଫସଲ ବୀମା, ସବୁ ବର୍ଗଙ୍କ ଉନ୍ନତି ଲାଗି ଦଳ ପ୍ରତିଶ୍ରୁତି ଦେଇଛି । ତେବେ କଂଗ୍ରେସର ଏହି ଘୋଷଣାପତ୍ରର ସବୁଠୁ ଚର୍ଚ୍ଚିତ କଥା ହେଲା କଂଗ୍ରେସ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଗୋମାତା ଉପରେ ଗୁରୁତ୍ୱ ଦେଇଛି । ଦଳ ଜିତିଲେ ସାରା ରାଜ୍ୟରେ ଗୋଶାଳା ଓ ଗାଈ ଅଭୟାରଣ୍ୟ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହା ସହିତ ବ୍ୟବସାୟିକ ଭିତ୍ତିରେ ଗୋମୁତ୍ର ଉତ୍ପାଦନ ପାଇଁ ଦଳ ଘୋଷଣା କରିଛି । ଆହୁରିମଧ୍ୟ ବିବାଦୀୟ ଗୋ ହତ୍ୟା ଆଇନରେ ସଂଶୋଧନ ପାଇଁ ମଧ୍ୟ ଦଳ ଘୋଷଣା କରିଛି । କିନ୍ତୁ ଏହି ପ୍ରସ୍ତାବିତ ସଂଶୋଧନ ସଂପର୍କରେ ଦଳ ଅଧିକ କିଛି କହିନାହିଁ । ୧୧୨ ପୃଷ୍ଠା ବିଶିଷ୍ଟ ଏହି ଘୋଷଣାପତ୍ର ଜାରି କରି କଂଗ୍ରେସ ନେତା କମଳନାଥ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଛନ୍ତି ଯେ ଦଳ କ୍ଷମତାକୁ ଆସିଲେ ରାଜ୍ୟକୁ ଦୁର୍ନୀତି ଓ ଅପରାଧମୁକ୍ତ କରିବ ।

ସମ୍ବନ୍ଧିତ ଖବର