ବିଜୁ ଯୁବ ବାହିନୀ ବିରୁଦ୍ଧରେ ଅଭିଯୋଗ ଆଣିଲା କଂଗ୍ରେସ : ନିଯୁକ୍ତିରେ ଆଦିବାସୀ, ଦଳିତଙ୍କୁ ଉପେକ୍ଷା

ଯୁବ ବ୍ୟାପାର ସଚିବଙ୍କୁ ଜାତୀୟ ଅନୁସୂଚିତ ଜାତି କମିସନଙ୍କ ନୋଟିସ

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଜୁ ଯୁବ ବାହିନୀ ନାଁରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ କରି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଏହି ବାହିନୀରେ ବ୍ୟାପକ ନିଯୁକ୍ତି କରାଯାଉଥିଲେ ବି ସେଥିରେ ଆଦିବାସୀ, ଦଳିତ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ। ସଂପୂର୍ଣ୍ଣ ରୂପେ ଦଳୀୟ ଭିତ୍ତିରେ ନିଯୁକ୍ତି କରାଯାଉଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ରାଜ୍ୟ କଂଗ୍ରେସର ଅଭିଯୋଗ ଭିତ୍ତିରେ ଜାତୀୟ ଅନୁସୂଚିତ ଜାତି କମିସନ ରାଜ୍ୟ ଯୁବ ବ୍ୟାପାର ବିଭାଗ ସଚିବଙ୍କୁ ନୋଟିସ ଜାରି କରିଛନ୍ତି।

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ, ବିଜୁ ଯୁବ ବାହିନୀରେ ସରକାରୀ ଅର୍ଥ ଖର୍ଚ କରାଯାଉଛି। ଏହି ବାହିନୀରେ ୧୦ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମାରେ ବିଭିନ୍ନ ପଦବି ପାଇଁ ବ୍ୟାପକ ରୂପେ ନିଯୁକ୍ତି କରାଯାଉଛି। ଯଦି ସରକାରୀ ଖର୍ଚରେ ନିଯୁକ୍ତି ହେଉଛି, ସେଥିରେ ୪୦ ପ୍ରତିଶତ ଆଦିବାସୀ, ଦଳିତଙ୍କ ସହିତ ମହିଳା ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା କଥା। କିନ୍ତୁ ଏହା ଦଳୀୟ ଭିତ୍ତିରେ କରାଯାଉଥିବା ଅଭିଯୋଗ କରି ସେ ୨ଟି ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ। ବିଜୁ ଯୁବ ବାହିନୀର ଗୋଟିଏ ବିଜ୍ଞାପନରେ ବଡ଼ଚଣା ବିଧାୟକଙ୍କ ଫଟୋ ଓ ବିଜୁ ଜନତା ଦଳ ଉଲ୍ଲେଖ ଥିବା ବେଳେ ଅନ୍ୟଟିରେ ବ୍ରହ୍ମଗିରି ବିଧାୟକଙ୍କ ଫଟୋ ଓ ବିଜୁ ଜନତା ଦଳ ଉଲ୍ଲେଖ କରାଯାଇଛି। ସମ୍ବିଧାନର ଧାରା ୩୩୮ ଅନୁସାରେ ଏହା ଆଦିବାସୀ ଓ ଦଳିତଙ୍କ ପ୍ରତି ଆଇନତଃ ଅବହେଳା ବୋଲି ସେ ଦର୍ଶାଇଥିଲେ। ଏ ନେଇ କଂଗ୍ରେସ ପକ୍ଷରୁ ଦେବୀପ୍ରସାଦ ପୃଷ୍ଟି ଜାତୀୟ ଅନୁସୂଚିତ ଜାତି କମିସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏହାକୁ ତଦନ୍ତ ପାଇଁ ଗ୍ରହଣ କରି ୧୫ ଦିନ ଭିତରେ ଡାକ ଯୋଗେ କିମ୍ବା ବ୍ୟକ୍ତିଗତ ଭାବେ ଅଭିଯୋଗର ଉତ୍ତର ଦାଖଲ କରିବାକୁ କମିସନ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ପିସିସି ସଭାପତି କହିଲେ, ବିଜୁବାବୁ ଜଣେ ମହାନ ବ୍ୟକ୍ତିତ୍ୱ। କିନ୍ତୁ ବିଜେଡି ରାଜନୀତି ପାଇଁ ତାଙ୍କ ନୀତି, ଆଦର୍ଶ ବିକି ତାଙ୍କ ବ୍ୟକ୍ତିତ୍ୱଙ୍କୁ ଶସ୍ତା କରିଦେଇଛି। ତେବେ ବିଜୁ ଯୁବ ବାହିନୀ ଜରିଆରେ ନିଯୁକ୍ତି ଓ ନିର୍ବାଚନ ପ୍ରଚାର କରାଯାଉଥିବା ପ୍ରସଙ୍ଗ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ, ସେମାନଙ୍କୁ ସଚେତନ କରିବ। ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ବହିଷ୍କାର ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ଦର୍ଶାଇ ସେ କହିଲେ ଯେ ସେ ବିଷୟରେ କଂଗ୍ରେସ ମୁଣ୍ଡ ପୁରାଇବନି। ତେବେ ଡା. ରାଉତ ଯେଉଁ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ବିଭାଗୀୟ ମନ୍ତ୍ରୀ ତାକୁ ସ୍ୱୀକାର କରିଛନ୍ତି। ଏହାକୁ ହାସ୍ୟାସ୍ପଦ କହି ମୁଖ୍ୟମନ୍ତ୍ରୀ ଉଡ଼ାଇ ନ ଦେଇ ତା’ର ସରକାର ଜବାବ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ଗଣମାଧ୍ୟମ ମୁଖ୍ୟ ସତ୍ୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର