କଂଗ୍ରେସକୁ ପାଣ୍ଠି ଚିନ୍ତା : ଜନସାଧାରଣଙ୍କଠାରୁ ଚାନ୍ଦା ଆଦାୟ କରିବ

ଓବାମାଙ୍କ ଭଳି କ୍ରାଉଡ୍‌ ଫଣ୍ଡିଂ ନୀତି ଆପଣାଇବ

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ନିର୍ବାଚନ ପାଇଁ କଂଗ୍ରେସ ପାଣ୍ଠି ସଂଗ୍ରହ କରିବାପାଇଁ ଜୋରଦାର ଉଦ୍ୟମ କରିଛି। ଗତ ୬ ତାରିଖରେ ରାଜ୍ୟ କଂଗ୍ରେସ ସଭାପତି ଓ କୋଷାଧ୍ୟକ୍ଷମାନଙ୍କ ବୈଠକରେ ବୁଥ୍‌ ସ୍ତରରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିବା ନେଇ ଏଆଇସିିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପରି କ୍ରାଉଡ୍‌ ଫଣ୍ଡିଂ ନୀତି ତଥା ଜନସାଧାରଣଙ୍କଠାରୁ ଚାନ୍ଦା ଆଦାୟ କରିବେ ବୋଲି ଏଆଇସିସି ସୁତ୍ରରୁ ଜଣାପଡ଼ିଛି।

କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କ୍ରାଉଡ୍‌ ଫଣ୍ଡିଂକୁ ପାଇଲଟ୍‌ ପ୍ରକଳ୍ପ ଭାବେ ବ୍ୟବହାର କରିବ। ଏସବୁ ରାଜ୍ୟରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ପରେ ସମଗ୍ର ଦେଶରେ ଏହା ଲାଗୁ କରିବ। ଏନେଇ କଂଗ୍ରେସ ପକ୍ଷରୁ ଏକ ମଜବୁତ୍‌ ଟିମ୍‌ ଗଠନ ହେବ ସୂଚନା ମିଳିଛି। ଏକଦା ଓବାମା ଲୋକଙ୍କଠାରୁ ଚାନ୍ଦା ଆଦାୟ କରି କୋଟିକୋଟି ଡଲାର ପାଣ୍ଠି ସଂଗ୍ରହ କରିବା ସହ ବଡ଼ ବିଜୟ ମଧ୍ୟ ହାସଲ କରିଥିଲେ। ବାରାକ୍‌ ଓବାମାଙ୍କ ଅଭିଯାନକୁ ସମଗ୍ର ଆମେରିକାରେ ପ୍ରବଳ ସମର୍ଥନ ମିଳିଥିଲା। ଏହି ଉପାୟରେ ସେ ନିଜକୁ ଜଣେ ସାଧାରଣ ଲୋକ ରୂପେ ମଧ୍ୟ ଜନମାନସରେ ଉପସ୍ଥାପନ କରିପାରିଥିଲେ। ତେଣୁ ରାହୁଲ୍‌ ଗାନ୍ଧିଙ୍କୁ ସର୍ବସାଧାରଣଙ୍କ ନିକଟରେ ଜଣେ ସାଧାରଣ ଲୋକ ରୂପେ ଉପସ୍ଥାପନ କରିବା ମଧ୍ୟ ଏହି ରଣନୀତିର ଅଂଶବିଶେଷ ବୋଲି ଆଲୋଚନା ହେଉଛି।

ଉଲ୍ଳେଖଯୋଗ୍ୟ ଆପ୍‌ ଦଳ ମଧ୍ୟ କ୍ରାଉଡ୍‌ ଫଣ୍ଡିଂ ନୀତି ଆପଣାଇ ସଫଳତା ହାସଲ କରି ଏବେ ଦିଲ୍ଲୀରେ ସରକାର ଗଠନ କରିଛି। ବୁଥ୍‌ସ୍ତରରେ ଚାନ୍ଦା ଆଦାୟ ପାଇଁ ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ବାର୍‌ କୋଡ୍‌ ଓ ହଲୋଗ୍ରାମ୍‌ ଚିହ୍ନ ଥିବା କୁପନ୍‌ ଦିଆଯିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦଳ ଅନୁଭବ କରୁଛି ଯେ ଆଗାମୀ ଲୋକସଭା ନିର୍ବାଚନ ବହୁ ବ୍ୟୟବହୁଳ ହୋଇପାରେ। ତେଣୁ ବିଭିନ୍ନ ଉପାୟରେ ପାଣ୍ଠି ଏକତ୍ରିତ ହୋଇପାରିଲେ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିପାରିବ।

ସମ୍ବନ୍ଧିତ ଖବର