ରାଫେଲ୍‌ ଦୁର୍ନୀତିକୁ ନିର୍ବାଚନୀ ପ୍ରସଙ୍ଗ କରିବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ : ଫ୍ରାନ୍ସ ସହିତ ହୋଇଥିବା ରାଫେଲ୍‌ ଯୁଦ୍ଧ ବିମାନ କିଣା ଚୁକ୍ତିରେ ଦୁର୍ନୀତିକୁ ନେଇ ମୋଦୀ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ନିର୍ବାଚନ ପ୍ରସଙ୍ଗ ଭାବେ ଗଢ଼ି ତୋଳିବ। ଏହି ପ୍ରସଙ୍ଗକୁ ନେଇ ଏକ ମାସ ଧରି କଂଗ୍ରେସ କର୍ମୀମାନେ ଜିଲ୍ଲାସ୍ତର ଓ ରାଜ୍ୟସ୍ତରୀୟ ଆନ୍ଦୋଳନ କରିବେ।

ଆଜି ନୂଆଦିଲ୍ଲୀର କଂଗ୍ରେସ ଓ୍ଵାରରୁମ୍‌ରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସବୁ ରାଜ୍ୟର ପିସିସି ସଭାପତି, ବିରୋଧୀ ଦଳ ନେତା, ଏଆଇସିସି ରାଜ୍ୟ ପ୍ରଭାରୀମାନେ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ମୋଦୀ ସରକାରଙ୍କ ଦୁର୍ନୀତି ପ୍ରସଙ୍ଗକୁ କିପରି ଜନମାନସରେ କିଭଳି ସତେଜ ରଖାଯାଇପାରିବ ସେ ନେଇ ଆଲୋଚନା ହେବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଥିଲା। ଏସବୁ ନିଷ୍ପତ୍ତି ଅନୁଯାୟୀ ଏକ ମାସ ଧରି ଜିଲ୍ଲା ଓ ରାଜ୍ୟସ୍ତରୀୟ ଆନ୍ଦୋଳନ ସହିତ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରଣ କମିଟି ସିଡବ୍ଲ୍ୟୁସି ସଭ୍ୟ, ସାଧାରଣ ସଂପାଦକ, ଏଆଇସିସି ରାଜ୍ୟ ପ୍ରଭାରୀ, ସଂପାଦକ ତଥା ଅନ୍ୟ ସଦସ୍ୟମାନେ ବ୍ଲକ, ଜିଲ୍ଲା ଓ ରାଜ୍ୟକୁ ଗସ୍ତ କରିବେ। ରାଫେଲ୍‌ ଦୁର୍ନୀତିର ନିରପେକ୍ଷ ତଦନ୍ତ ସହିତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ତଦନ୍ତ ପାଇଁ ଦାବି କରିବେ। ଏହି ଦୁର୍ନୀତିର ପର୍ଦାଫାସ ନ ହେବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ। ଏହି ବୈଠକରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ। ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଲେ, ରାଫେଲ୍‌ ଦୁର୍ନୀତିରେ ଓଡ଼ିଶା ବିଶେଷ ଭାବେ ପ୍ରଭାବିତ ହୋଇଛି। ପ୍ରଭାରୀ ଶ୍ରୀ ସିଂହ କହିଲେ ଯେ ଏହା କୋରାପୁଟର ସୁନାବେଡ଼ା ହାଲ୍‌ରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଓଡ଼ିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇବ।

ସମ୍ବନ୍ଧିତ ଖବର