ଆଜି କଂଗ୍ରେସର ଶକ୍ତି ପ୍ରଦର୍ଶନ

ରାଜ୍ୟ ରାଜନୀତି ଫୋକସ୍‌ରେ ଯାଜପୁର, ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କିଏ- ବିଜେପି ନା କଂଗ୍ରେସ

ଯାଜପୁର : ରାଜ୍ୟ ରାଜନୀତି ଫୋକସରେ ଥିବା ଯାଜପୁରରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କିଭଳି ଶାଣିତ ଆକ୍ରମଣ କରାଯିବ, ସେ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଗତିଶୀଳ ତଥା ରାଜନୈତିକ ସମ୍ବେଦନଶୀଳ ଜିଲ୍ଲା ଭାବେ ଯାଜପୁର ସର୍ବଦା ରାଜ୍ୟରେ ଚର୍ଚ୍ଚାରେ ରହିଆସିଛି। ବିଜେଡ଼ି, ବିଜେପି ଓ କଂଗ୍ରେସ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ରାଜଧାନୀ ଭୁବନେଶ୍ୱର ପରେ ଯାଜପୁରକୁ ଟାର୍ଗେଟ୍‌ କରିଆସୁଛନ୍ତି। ଏହି କ୍ରମରେ ଆସନ୍ତାକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ତଥା ଜିଲ୍ଲାର ବରିଷ୍ଠ ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ବିଜେଡି ଗଡ଼ ଯାଜପୁର ଜିଲ୍ଲାକୁ ଦଖଲ କରିବା ପାଇଁ ପଞ୍ଚାୟତ ନିର୍ବାଚନ ପରେ ବିଜେପି ରୋଡ୍‌ ମ୍ୟାପ ପ୍ରସ୍ତୁତି କରିଥିଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀର ସକ୍ରିୟ ଯୁବ ନେତାମାନଙ୍କୁ ଦଳରେ ମିଶ୍ରଣ କରି ସମଗ୍ରରେ ରାଜ୍ୟରେ ହଟଚମଟ ସୃଷ୍ଟି କରିିଥିଲା। ସେତେବେଳେ ଯାଜପୁରର ବିଜେଡି ଯୁବ ନେତାଙ୍କର ବିଜେପି ମୁହାଁ କାର୍ଯ୍ୟକଳାପ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ମାତ୍ର ପରବର୍ତ୍ତୀ ସମୟରେ ବିଜେଡି ବିଧାୟକମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହାର ସଫଳ ମୁକାବିଲା କରିଥିଲେ। ବିଜେପିରେ ପୁରୁଣା ନୂଆ ଲଢେଇ ବଢୁଥିବା କାରଣରୁ ଜିଲ୍ଲାରେ ପଦ୍ମ ଫୁଟିବା ପୂର୍ବରୁ ମଉଳି ଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି।

ଅନ୍ୟପଟେ କଂଗ୍ରେସ୍‌ର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଦଳର ମଙ୍ଗ ଧରିବା ପରେ ଜିଲ୍ଲା କଂଗ୍ରେସ ଶିବିରରେ ବିଶେଷ ଉତ୍ସାହ ଦେଖାଦେଇଛି। ଶ୍ରୀ ପଟ୍ଟନାୟକ ନେତୃତ୍ୱ ନେବା ପୂର୍ବରୁ ମଧ୍ୟ ନିୟମିତ ଯାଜପୁର ଜିଲ୍ଲା ସହିତ ସଂପର୍କ ରଖିଆସିଥିଲେ। ଶ୍ରୀ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଏଠାରେ ଦଳକୁ ସଙ୍ଗଠିତ କରିବା ତାଙ୍କ ପାଇଁ ସହଜ ହୋଇଛି। ଗ୍ୟାଙ୍ଗଷ୍ଟର୍‌ ଟିଟୋ ସହ ଶାସକ ଦଳର ଲିଙ୍କକୁ ନେଇ ବଡ଼ଚଣାରେ ଗତ ମାସରେ କଂଗ୍ରେସ୍‌ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲା।

ଏହାର ମାସେ ପୂରଣ ନହେଉଣୁ ପୁଣି ଆସନ୍ତାକାଲି କଂଗ୍ରେସ କେନ୍ଦ୍ରର ମୋଦୀ ଓ ରାଜ୍ୟର ନବୀନ ସରକାରଙ୍କ ଜନ ବିରୋଧୀ ଓ ଦୁର୍ନୀତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣ ହୁଙ୍କାର ଦେବ। ବିଜେଡିରୁ ବହିଷ୍କୃତ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ବାଣରେ ମୁଖ୍ୟତଃ ଯାଜପୁର ଜିଲ୍ଲା ସ୍ଥାନ ପାଇଛି। ଶ୍ରୀ ରାଉତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି), ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କୁ ସିଧାସଳଖ ଟାର୍ଗେଟ୍‌ କରି ବ୍ଲାକ୍‌ରୋଜ୍‌, ଡ଼ଙ୍କାରୀ ପାହାଡ଼, ରାମକୋ ସିମେଣ୍ଟ କଥା ଉଠାଇଛନ୍ତି। କେବଳ ସେତିିକି ନୁହେଁ ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡ଼ାଇଙ୍କ ବହିଷ୍କାର ପ୍ରସଙ୍ଗକୁ ଉତ୍‌ଥାପନ କରି ରାଜ୍ୟ ରାଜନୀତିରେ ଯାଜପୁରକୁ ପୁଣି ଫୋକସ୍‌କୁ ନେଇ ଆସିଛନ୍ତି। ଦାମ ରାଉତଙ୍କୁ ନେଇ ରାଜ୍ୟ ରାଜନୀତିରେ ହାଇ ଭୋଲ୍‌ଟେଜ୍‌ ଡ୍ରାମା ଚାଲିଥିବା ବେଳେ ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁରରେ ଆସନ୍ତାକାଲି କଂଗ୍ରେସର ରଣ ହୁଙ୍କାର ରାଜନୀତି ସମୀକ୍ଷକଙ୍କୁ ବେଶ୍‌ ଖୋରାକ ଯୋଗାଇଛି। ତେବେ ଆଗାମୀ ଦିନରେ ବିଜେଡି ଗଡ଼ କୁହାଯାଉଥିବା ଯାଜପୁର ଜିଲ୍ଲାରେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନା କଂଗ୍ରେସ ରହିବ, ସେ ନେଇ ଏବେ ଠାରୁ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି।

ସମ୍ବନ୍ଧିତ ଖବର