‘ବିଜେଡି ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ ଚାଲିଥିଲା’

ବିଷ ଓଗାଳିଲେ ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ, ଅଭିଯୋଗ ଖଣ୍ଡନ କଲେ ସାଂସଦଙ୍କ ରାଜନୈତିକ ସଚିବ

ବିଜେଡି ବି ପ୍ରତିକ୍ରିୟା ରଖିଲା

ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ଜବରଦସ୍ତ ଝଟ୍‌କା ଲାଗିଛି। ତାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ ଆଜି ଇସ୍ତଫା ଦେଇ ସାଂସଦଙ୍କ ସହିତ ସଂପର୍କ ଛିନ୍ନ କରିଛନ୍ତି, ତା ନୁହେଁ, ଶ୍ରୀ ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଦୀର୍ଘ ୧୦ ବର୍ଷ ଧରି ବୈଜୟନ୍ତଙ୍କ ରାଜନୈତିକ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମଲ୍ଲିକ ସାମ୍ବାଦିକ ସମ୍ମିଳନୀ ଡାକି ଅଭିଯୋଗ କରିଛନ୍ତି, ପଞ୍ଚାୟତ ଓ ବିଜେପୁର ଉପନିର୍ବାଚନରେ ବୈଜୟନ୍ତ ଦଳ ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଥିଲେ। ଯାହା ଦଳକୁ କ୍ଷତି ପହଞ୍ଚାଉଥିଲା ଏହା ଜଣା ପଡିବା ପରେ ବୈଜୟନ୍ତଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେହେତୁ ବୈଜୟନ୍ତଙ୍କୁ ସଂସଦର ଫାଇନାନ୍ସ କମିଟିରେ ସ୍ଥାନ ଦିଆଗଲା ନାହିଁ, ଏଣୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ସେ ଅପପ୍ରଚାର କରିଥିଲେ। ଏହାଛଡା ନିଜ ସ୍ୱାସ୍ଥ୍ୟ ପାଇଁ ସାଂସଦ ଏବେ ତୃତୀୟ ମହଲାକୁ ଟାର୍ଗେଟ କରୁଛନ୍ତି ବୋଲି ଅଭିଯୋଗ ଆଣି ଦେବାଶିଷ କହିଛନ୍ତି, ବିଜୁ ପରିବାରରେ ରହି ବୈଜୟନ୍ତ ଯେଉଁଭଳି ଭାବେ ବିଜେଡି ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ କରୁଛନ୍ତି ତାହା ତାଙ୍କ ବିବେକକୁ ବେଶ ବାଧିଛି। ତେଣୁ ସେ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି। ଏହାଛଡା ସେ ଏବେ ମଧ୍ୟ ନବୀନଙ୍କ ନେତୃତ୍ୱକୁ ସମର୍ଥନ କରୁଛନ୍ତି ଓ ବିଜୁ ଜନତା ଦଳରେ ରହିଛନ୍ତି। ଅନ୍ୟପକ୍ଷରେ ଦେବାଶିଷଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ। ସେ କହିଛନ୍ତି, ବୈଜୟନ୍ତଙ୍କ ବିରୋଧରେ ସଂଯୋଜକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ଏହାଛଡା ଦେବାଶିଷ ନିଜର ନ୍ୟସ୍ତସ୍ୱାର୍ଥ ପାଇଁ କାହା ଇଙ୍ଗିତରେ ହୁଏତ ଏଭଳି ନିଷ୍ପତି ନେଇଛନ୍ତି ଯାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏଥିରେ ଆଦୌ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ଘୋଷ। ବିଜେଡି ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, ସ୍ପଷ୍ଟ ହୋଇଯାଇଛି ଯେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜଘନ୍ୟ ଷଡ଼୍‍ଯନ୍ତ୍ର ରଚନା କରୁଥିଲେ, ଏବେ ବି କରୁଛନ୍ତି। ଦୀର୍ଘଦିନ ଧରି ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା, ଆଜି ଶ୍ରୀ ମଲ୍ଲିକଙ୍କ ବିସ୍ଫୋରକ ବୟାନ ପରେ ସେଥିରେ ଜବନିକା ପଡିଛି। ବିଜେଡି ଓ କେନ୍ଦ୍ରାପଡା ଜିଲ୍ଲାବାସୀ ଏବେ ବୈଜୟନ୍ତଙ୍କ କାରନାମା ସଂପର୍କରେ ସ୍ପଷ୍ଟ ଚିତ୍ର ପାଇଯିବେ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର