ଉର୍ଦ୍ଦୁ ଭାଷାରେ ଶପଥ ନେଲେ କର୍ପୋରେଟର: ବିଜେପି-ବିଏସ୍‌ପି ମୁହାଁମୁହିଁ

ଆଲିଗଡ଼: ବିଏସ୍‌ପିରୁ ନୂଆ କରି ନିର୍ବାଚିତ ହୋଇଥିବା ଜଣେ କର୍ପୋରେଟ୍‌ର ଉର୍ଦ୍ଦୁରେ ଶପଥ ଗ୍ରହଣ କରିବା ପରେ ଭାରତୀୟ ଜନତା ପାର୍ଟି(ବିଜେପି) ଏବଂ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ନିର୍ବାଚିତ ମେୟର ମୋହମ୍ମଦ ଫୁରକନ ଏବଂ ଅନ୍ୟ କର୍ପୋରେଟର ହିନ୍ଦିରେ ଶପଥ ଗ୍ରହଣ କରୁଥିବା ବେଳେ ଜଣେ ଉର୍ଦ୍ଦୁରେ ଶପଥ ଗ୍ରହଣ କରିବା ଘଟଣା ବିବାଦର ପରିସରକୁ ଆସିଥିଲା। ମଙ୍ଗଳବାର ଆଲିଗଡ଼ ମହାନଗର ନିଗମରେ ଏପରି ଘଟଣା ଘଟିଛି।

କର୍ପୋରେଟରଙ୍କର ଉର୍ଦ୍ଦୁରେ ଶପଥ ଗ୍ରହଣ କରିବାକୁ ନେଇ ସେଠାରେ ଉପସ୍ଥିତ କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ ହୃଷୀକେଶ ଭାସ୍କର ୟସୋଦ କହିଛନ୍ତି କି ଶପଥ ଗ୍ରହଣ ଉତ୍ସବର ରେକର୍ଡିଂକୁ ନେଇ ଆମେ ତଦନ୍ତ କରିବୁ। ଯଦି ମାମଲା କର୍ପୋରେଟରଙ୍କ ବିରୋଧରେ ଯାଏ ତେବେ ଏ ନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ସେ ଆହୁରି ବି ସ୍ପଷ୍ଟ କରିଛନ୍ତି ଯେ ଏଥିରେ କୌଣସି ଧାର୍ମିକ ଭାବନା ସାମିଲ୍‌ ନାହିଁ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ମିରଟ ମହାନଗର ନିଗମରୁ ମେୟର ଭାବେ ନିର୍ବାଚିତ ହୋଇଥିବା ବିଏସ୍‌ପି ନେତ୍ରୀ ସୁନିତା ବର୍ମାଙ୍କୁ ପୂର୍ବ ମେୟରମାନେ ‘ବନ୍ଦେ ମାତାରମ୍‌’ ଗାଇବାକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ପୂର୍ବରୁ ବାଧ୍ୟତାମୂଳକ ‘ବନ୍ଦେ ମାତରମ୍‌’ ଗାନ କରିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଥିଲେ ସୁନୀତା। ସେ କହିଥିଲେ କି ମିରଟ ମହାନଗର ନିଗମର ସମସ୍ତ ବୈଠକ ଆରମ୍ଭରୁ କେବଳ ଜାତୀୟ ସଂଗୀତ ହିଁ ଗାନ କରାଯିବ।

ସମ୍ବନ୍ଧିତ ଖବର