ତୁଟୁନି ଦାମ-ବିଷ୍ଣୁ କଳି ! ଦାମ କହିଲେ ବିଷ୍ଣୁ ନଷ୍ଟ ଚରିତ୍ର ; ଦାମଙ୍କୁ ମଲା କଙ୍କଡ଼ା ବୋଲି କହିଲେ ବିଷ୍ଣୁ

ଜଗତସିଂହପୁର: ବହିଷ୍କାର ପରେ ବି ତୁଟୁନି ଜଗତସିଂହପୁର ଜିଲ୍ଲାର ଦୁଇ ଟାଣୁଆ ନେତା ଡା.ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି । ଗତ କିଛିଦିନ ତଳେ ବିଜେଡିରୁ ଦାମ ବହିଷ୍କୃତ ହେବା ପରେ ଦାମ ଓ ବିଷ୍ଣୁଙ୍କ କଳି ବଢ଼ିବାରେ ଲାଗିଛି । ଆଜି ପୁଣି ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଦାମ । ସେ କହିଛନ୍ତି, ବିଷ୍ଣୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି । କେବଳ ଦୁର୍ନୀତିଗ୍ରସ୍ତ ନୁହେଁ ବରଂ ଜଗତସିଂହପୁରରେ ଜଣେ ନଷ୍ଟ ଚରିତ୍ର ବ୍ୟକ୍ତିଭାବେ ଜଣାଶୁଣା । କାରଣ ବାର୍ଦ୍ଧକ୍ୟ ଭତ୍ତାରୁ ପଇସା ନିଅନ୍ତି ବିଷ୍ଣୁ ।
ଏପରିକି ଜଗତସିଂହପୁର ଛାଡ଼ିଲେ ତାଙ୍କ ଜୀବନରେ କେବେ ଅନ୍ୟ କେଉଁ ସ୍ଥାନରେ ଗୋଟେ ସଭା କରିଛନ୍ତି କି ? ନା କେବେ ପାରାଦୀପରେ କେବେ ଲୋକମାନଙ୍କ ସହିତ ମିଳାମିଶା କରିଛନ୍ତି ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ଦାମ? ଖାଲି ଜିଲ୍ଲା ସଭାପତି କହିଦେଲେ ହୁଏନି । ସେମାନଙ୍କ ସମ୍ପର୍କରେ କହିଲେ ମୋ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିବ ବୋଲି ସମାଲୋଚନା କରି ବିଷ୍ଣୁଙ୍କୁ କହିଛନ୍ତି ଦାମ ।

ସେପଟେ ଏହାର କଡା ଜବାବ ଜବାବ ରଖିଛନ୍ତି ବିଷ୍ଣୁ ଦାସ । ବିଷ୍ଣୁ କହିଛନ୍ତି ଯେ, ମୋ ଚରିତ୍ର ବିଷୟରେ ସାରା ଓଡ଼ିଶାବାସୀ ଜାଣିଛନ୍ତି । ଯଦି ଜଣେ ଦୁର୍ନୀତିଗ୍ରସ୍ତ ଲୋକ ଏବଂ ଖରାପ ଚରିତ୍ର ବ୍ୟକ୍ତିର ପର୍ଦ୍ଦାଫାଶ କଲେ ମୋର କିଛି ଅବସାଦ ନାହିଁ । ମଲା କଙ୍କଡାର ଓଲଟିବାକୁ ବଳ ନାହିଁ ମୋତେ କ’ଣ କହିବେ । ସେ ଯେତେ ବଡ ସଭା କରନ୍ତୁ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ଯିଏ ମୋତେ ସମାଲୋଚନା କରି ଖୁସି ପାଉଛି ସେ କରୁଥାଉ ବୋଲି ପାଲଟା ଜବାବ ରଖିଛନ୍ତି ବିଷ୍ଣୁ ଦାସ ।

ଗତକାଲି ବିଷ୍ଣୁ କହିଥିଲେ ଯେ ଦାମ ବାବୁ ୧୯୭୪ ମସିହାରେ ଖପୁରିଆରେ ଭିଏସ୍‌ ଇନଚାର୍ଜ ଥିଲେ। ଏହି ସମୟରେ ଏକ ବଡ଼ ଧରଣ ଦୁର୍ନୀତି ହୋଇଥିଲା। ତଦନ୍ତରେ ଦାମ ଧରା ପଡ଼ିଥିଲେ। ଚାକିରି ଚାଲିଯିବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଜୁ ପଟ୍ଟନାୟକଙ୍କ ଶରଣ ପଶି ସେ ରକ୍ଷା ପାଇଯାଇଥିଲେ। ଆଉ ସେହି ସମୟରେ ଜଣେ ବରିଷ୍ଠ ନେତାଙ୍କ ପରାମର୍ଶରେ ତାଙ୍କୁ ଏରସମାରେ ଟିକଟ ଦିଆଯାଇଥିଲା। କିନ୍ତୁ ସେ ହାରି ଯାଇଥିଲେ। ଏହାପରେ ହୋଇଥିବା ଜରୁରିକାଳୀନ ପରିସ୍ଥିତି ସମୟରେ ସେ ଲୁଚି ଯାଇଥିଲେ। ପୁଣି ୧୯୭୭ ମସିହାରେ ଆବିର୍ଭାବ ହେଲେ। ସେତେବେଳେ ତାଙ୍କୁ ଟିକଟ ଦିଆଗଲା ଓ ସେ ଜିତିଲେ। ଆନ୍ନା ହଜାରେଙ୍କ ପରି ରାଜ୍ୟ ସାରା ବୁଲି ବୁଲି ସରକାରଙ୍କ ଦୁର୍ନୀତି ସମ୍ପର୍କରେ ପ୍ରଚାର କରିବି ବୋଲି ଶ୍ରୀ ରାଉତଙ୍କ ମନ୍ତବ୍ୟ କଟାକ୍ଷ କରିଥିଲେ ବିଷ୍ଣୁ। ସେ କହଥିଲେ ଯେ ଆନ୍ନା ହଜାରେ ଆଦୌ ଦୁର୍ନୀତି ଖୋର ଲୋକ ନୁହନ୍ତି। ସେ କେଉଁଠି ଆଉ ଦାମଙ୍କ ସ୍ଥାନ କେଉଁଠି। ଦାମ ଆନ୍ନାଙ୍କ ନାଁ ନ ନେବା ଭଲ।

ଅନ୍ୟପଟେ ଏ ସଂପର୍କରେ ଜବାବ ରଖି ଶ୍ରୀ ରାଉତ କହିଥିଲେ ଯେ, ‘୧୯୭୪ ମସିହାରେ ବିଷ୍ଣୁଙ୍କର ନାବାଳିକି ଫିଟିନଥିଲା। ଏଣୁ ମୋ’ ଦୁର୍ନୀତି ସମ୍ପର୍କରେ ସେ କେମିତି ଜାଣିଲେ? ସେ କଣ ଭିଜିଲାନ୍‌ସ ନିର୍ଦ୍ଦେଶକ ଥିଲେ ? ଜଗତସିଂହପୁର ଜିଲ୍ଲା ସୋମନାଥ ହାଟରେ ବସି କ୍ୟାବିନରେ ଗୁଲଗୁଲା ଖାଉଥିବା ବେଳେ ତାଙ୍କୁ ଡାକି ନେଇ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ଦେଖା କରାଇଥିଲି। ପରେ ୧୯୯୦ରେ ସେ ପ୍ରାର୍ଥୀ ହେଲେ ଓ ଜିତିଲେ। ଏଣୁ ସେ ମୋର ଆଦୌ ସମାସ୍କନ୍ଧ ନୁହନ୍ତି ।’

ସମ୍ବନ୍ଧିତ ଖବର