ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପିରେ ଯୋଗଦେଲେ ଡ. ଦାମୋଦର ରାଉତ

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଓଡ଼ିଶା ରାଜନୀତିର ଜଣାଶୁଣା ମୁହଁ ତଥା ପାରାଦୀପ ବିଧାୟକ ଡ. ଦାମୋଦର ରାଉତ ଗୁରବାର ବିଜେପିରେ ଯୋଗଦେଇଛନ୍ତି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଦାମ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗଦେବା ପରେ ଡ. ଦାମୋଦର ରାଉତ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମାନସିକ ରୂପେ ତର୍ଜମା ପରେ ମୁଁ ବିଜେପିରେ ଯୋଗ ଦେଇଛି। ଦୀର୍ଘ ୩୫ ବର୍ଷ ହେବ ମୁଁ ବିଧାୟକ ହୋଇଛି। ସରକାରଙ୍କ ୨୦ଟି ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାମ କରିଛି। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି। ମାତ୍ର ବିଜୁ ବାବୁଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ପ୍ରକୃତି ଓଲଟା। ସେ ଓଡ଼ିଶା ଲୋକଙ୍କୁ ପ୍ରକୃତରେ ଭଲ ପାଆନ୍ତି ନାହିଁ। ଓଡ଼ିଆ କହନ୍ତିନି।

ଦାମ ରାଉତ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦେଇଥାନ୍ତି। ଦୁର୍ନୀତିକୁ ସୁରକ୍ଷା ଦିଅନ୍ତି। ଚାରା ଘୋଟାଲା ନେଇ ନବିନଙ୍କ ପାଖରେ ଅଭିଯୋଗ କରିବାରୁ ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ ଦଳରୁ କାଢ଼ିଦେଲେ। ଚାଷୀଙ୍କୁ ହଇରାଣ କରାଯାଉଛି। ସେଥିପାଇଁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ଦାମ ରାଉତ ଅଭିଯୋଗ କରିଛନ୍ତି। ବରିଷ୍ଠ ନେତା କହିଛନ୍ତି, ଓଡ଼ିଶାରେ ଦାମ ରାଉତ ସୁରକ୍ଷିତ ନୁହଁନ୍ତି। ଜଣେ ସଚେତନ ନାଗରିକ ଭାବରେ ମୁଁ କେମିତି ଏହା ସହ୍ୟ କରିପାରିବି। ବିଗତ ୬/୭ ମାସ ମଧ୍ୟରେ ମୁଁ ସାରା ରାଜ୍ୟରେ ବୁଲୁଛି ବୋଲି ସେ କହିଛନ୍ତି।

ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ବରିଷ୍ଠ ନେତା ହେଉଛନ୍ତି ଦାମ ରାଉତ। ଦାମ ରାଉତ ହେଉଛନ୍ତି ଆଦିବାସୀ, ପଛୁଆ ବର୍ଗଙ୍କ ସହାନୁଭୂତିଶୀଳ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏଜେଣ୍ଡାରେ ଆକର୍ଷିତ ହୋଇ ଦାମ ବିଜେପିରେ ଯୋଗ ଦେଇଛନ୍ତି।

ଅଭିଜ୍ଞ ରାଜନୀତିଜ୍ଞ ଦାମ ରାଉତଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି।

ଆଜି ବିଜେପି ଯୋଗ ଦେବା ଲାଗି ନୂଆଦିଲ୍ଲୀ ଯିବା ପୂର୍ବରୁ ଦାମଙ୍କୁ ସାମ୍ବାଦିକ ପୁଅ ସମ୍ବିତ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପାରାଦ୍ୱୀପରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ କରିବା ନେଇ  ପ୍ରଶ୍ନ କରିଥିଲେ। କିନ୍ତୁ ଦାମଙ୍କ ଉତ୍ତର ବେଶ କଡ଼ା ଥିଲା। ସେ କହିଥିଲେ ‘ମୁଁ କାହା କଥା ଶୁଣିବି ନାହିଁ। ପୁଅ-ଝିଅଙ୍କ କଥା ବି ନୁହେଁ। ମୋର ୪୦ ବର୍ଷର ରାଜନୀତିକୁ ଗୋଟିଏ ମିନିଟ୍‌ରେ ଶେଷ କରାଯାଇଛି। ମୋତେ ନିନ୍ଦିତ କରାଯାଇଛି ମାନେ ମୁଁ ନିନ୍ଦିତ କରିବି। ପକେଇବା ଛେପ ମୁଁ ଢୋକିବି ନାହିଁ।’

ସମ୍ବନ୍ଧିତ ଖବର