ଦାମ ଗଢ଼ିବେ ‘ବିଜୁ ସମତାକ୍ରାନ୍ତି ଦଳ’, ନାମକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଖୁବ ଶୀଘ୍ର 

ପାରାଦୀପ: ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ଓ ଚର୍ଚ୍ଚିତ ନେତା ଦାମ ରାଉତ ନିଜର ନୂଆ ଦଳର ନାମକରଣ ନେଇ ଶନିବାର ସମ୍ୟକ ସୂଚନା ଦେଇଛନ୍ତି। ପାରାଦୀପରେ ସ୍ଥାନୀୟ ଗଣମାଧ୍ୟମକୁ ଦାମ କହିଛନ୍ତି, ତାଙ୍କ ଦଳର ନାମ ‘ବିଜୁ ସମତାକ୍ରାନ୍ତି ଦଳ’  ରଖାଯିବାକୁ ଏକ ପ୍ରକାର ସ୍ଥିର ହୋଇଛି। ମାତ୍ର ସମସ୍ତେ ଏକାଠି ହୋଇ ଏହାରି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।

ସୂଚନାଯୋଗ୍ୟ ବିଜୁ ଜନତା ଦଳରେ ଥିବା ବେଳେ ପୂର୍ବତନ ମନ୍ତ୍ରୀ ଦାମ ରାଉତ ସରକାର ବିରୋଧୀ ମନ୍ତବ୍ୟ ଦେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ ଦାମଙ୍କୁ ଦଳୀୟ ନେତାମାନେ ବିରୋଧ କରୁଥିଲେ। ଏକଦା ଦାମ ରାଉତ ବ୍ରାହ୍ମଣଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ମଧ୍ୟ ଆଲୋଚନାର ପରିସରକୁ ଆସିଥିଲେ। ଫଳରେ ଦାମଙ୍କ ମନ୍ତବ୍ୟକୁ ପ୍ରତିବାଦ ସ୍ୱରୂପ ପୁରୀ ସିଂହଦ୍ୱାର ସମ୍ମୁଖରେ ଡିସେମ୍ବର ୨୦ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଭଳି ଗଞ୍ଜାମରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିଜୁ ଜନତା ଦଳର ପୂର୍ବତନ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମେ ଉପ-ସଭାପତି ପଦରୁ ବହିଷ୍କାର କରିଥିଲେ। ତା’ ପରେ ସେ ପୁଣି ବିବାଦୀୟ ବୟାନବାଜି ଜାରି ରଖିବାରୁ ଦଳରୁ ଭାବମୂର୍ତ୍ତିକୁ ରକ୍ଷା କରିବାକୁ ଯାଇ ବିଜେଡି ସୁପ୍ରିମୋ ନବୀନ ତାଙ୍କୁ ଶେଷରେ ଦଳରୁ ବହିଷ୍କୃତ କରିଥିଲେ। ଦଳରୁ ବହିଷ୍କାର ହେବାର କିଛି ଦିନ ପରେ ଦାମ ରାଉତ ନୂଆଦଳ ଗଢ଼ିବାକୁ ଚିନ୍ତା କରିଥିଲେ।

 

ସମ୍ବନ୍ଧିତ ଖବର