ପୁଣି ମୁହଁ ଖୋଲିଲେ ଦାମ : ଦଳ ଓ ନେତାଙ୍କ ବିଷୟରେ କହିଲେ ବିରୋଧ

ଦଳୀୟ ନେତାଙ୍କୁ ଆକ୍ଷେପ

ଭୁବନେଶ୍ୱର : ‘ସ୍ୱାମୀ ଛା଼ଡି ଅଙ୍ଗନବାଡି’ ମନ୍ତବ୍ୟ ନେଇ ଗତକାଲି ଦୁଃଖପ୍ରକାଶ କରିଥିଲେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଏହାର ୨୪ ଘଣ୍ଟା ଯାଇନି, ଆଜି ପୁଣି ମୁହଁ ଖୋଲି ଚର୍ଚ୍ଚାକୁ ଆସିଛନ୍ତି ଡାକ୍ତର ରାଉତ। ବୁଲେଇ ବଙ୍କେଇ ନିଜ ଦଳର ନେତାଙ୍କୁ ସମାଲୋଚନା କରିବା ସହିତ ବିଜେପି ବିରୋଧରେ ଗର୍ଜନ କରିଛନ୍ତି। ସିଧା ସିଧା କହିଛନ୍ତି, ମୋ ଦଳ ଓ ନେତାଙ୍କ ବିଷୟରେ କିଏ କହିଲେ, ମୁଁ ତାକୁ ବିରୋଧ କରିବି ହିଁ କରିବି।

ସେପଟେ ବିଜେପି କିନ୍ତୁ ନଛୋଡ ବନ୍ଧା। ଆଜି ବିଜେପି କର୍ମୀମାନେ ଡାକ୍ତର ରାଉତଙ୍କ ଇସ୍ତଫା ଦାବି କରିବା ସହିତ ରାମମନ୍ଦିର ଛକରେ କୁଶ ପୁତ୍ତଳିକା ଦାହ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଗତ ତିନି ଦିନ ଧରି ରାଜ୍ୟ ରାଜନୀତି ଉଠୁଛି ପଡୁଛି।

ଆଜି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ସେ କେବଳ ଲୋକକଥାର ଉଦାହରଣ ଦେଇଥିଲେ। କାହାକୁ ବ୍ୟକ୍ତିଗତ ଆକ୍ଷେପ କରିନଥିଲେ। ଏହାକୁ ଯଦି କେହି ଅନ୍ୟ ଅର୍ଥରେ ନିଅନ୍ତି, ତେବେ ସେ କଣ କରିପାରିବେ। ଏହା ସତ୍ତ୍ୱେ ସେ ଦୁଃଖପ୍ରକାଶ କରିସାରିଛନ୍ତି ଓ କ୍ଷମା ମଧ୍ୟ ମାଗିଛନ୍ତି।

ତାଙ୍କ ମନ୍ତବ୍ୟକୁ ନେଇ ବିଜେଡି ଶିବିରରେ ଯେଉଁ ଅସନ୍ତୋଷ ପ୍ରକାଶ ପାଇଥିଲା, ସେ ନେଇ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଡାକ୍ତର ରାଉତ। କହିଛନ୍ତି, ଦଳ ଭିତରେ କିଏ ଅସନ୍ତୁଷ୍ଟ ହେଲେ ସେ କ’ଣ କରିବେ? ଦଳରେ କିଛି ପରଶ୍ରୀକାତର ଲୋକ ଅଛନ୍ତି। ସେମାନେ କାହା ଶିରି ଦେଖିପାରନ୍ତି ନାହିଁ। ସେମାନେ ଦିନରେ ବସନ୍ତ ରାତିରେ ବାସନ୍ତୀ। ତାଙ୍କୁ ଲୋକେ ସମୟ ଆସିଲେ ଜବାବ ଦେବେ। ହେଲେ କୌଣସି ପରିସ୍ଥିତିରେ ବିଜେଡି କିମ୍ବା ଦଳର ନେତାଙ୍କ ସଂପର୍କରେ କହିଲେ, ସେ ତାଙ୍କୁ ଛାଡିବେ ନାହିଁ।

ଏହି ଅବସରରେ ଡାକ୍ତର ରାଉତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାରୁ ନିର୍ବାଚନ ଲଢିବା ନେଇ ସଙ୍କେତ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। କହିଥିଲେ। ମୁଁ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ କରୁଛି। ସେ ତାଙ୍କ ଜନ୍ମମାଟିରେ ଲୋକଙ୍କ ଆସ୍ଥା ଲୋଡନ୍ତୁ। ଯଦି ପାରାଦ୍ୱୀପରୁ ଲଢନ୍ତି ତାହାହେଲେ ମଧ୍ୟ ସ୍ୱାଗତ କରିବି। ଏଠୁ ଲଢିଲେ ଏଠାରେ ଦେଖାଦେଖି ହେବା ପାରାଦ୍ୱୀପରେ ତୈଳ ବିଶୋଧନାଗାର ଅଛି। କେତେ ଭଲ କାମ କରିଛନ୍ତି ଲୋକେ ତାର ଜବାବ ଦେବେ।

ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚା କିନ୍ତୁ ନଛୋଡବନ୍ଧା।

ଆଜି ବିଜେପି ଭୁବନେଶ୍ୱର ମହିଳା ମୋର୍ଚ୍ଚା ରାମମନ୍ଦିର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ଅବସରରେ ଡାକ୍ତର ରାଉତଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସଭାପତି ହରେକୃଷ୍ଣ ଖୁଣ୍ଟିଆ ଓ ଜିଲ୍ଲା ମହିଳା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ ମଧ୍ୟ ଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ଅଙ୍ଗନବାଡ଼ି ପ୍ରସଙ୍ଗରେ ମନ୍ତ୍ରୀ ଦାମ ରାଉତ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଦୁଃଖ ପ୍ରକାଶ କରିଥିଲେ। ଏହାପରେ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଥିଲେ, ଆମେ କ୍ଷମା ପ୍ରାର୍ଥନା ପାଇଁ କହିଥିଲୁ, ଦୁଃଖ ପ୍ରକାଶ ନୁହେଁ। ଦୁଃଖ ପ୍ରକାଶ ଆଳରେ ଦାମ ଧମକାଉଛନ୍ତି। ମୁଖ୍ୟମନ୍ତ୍ରୀ ଆଖିବୁଜି ସବୁ ତାମ୍‌ସା ଦେଖୁଛନ୍ତି। ଦାମ ଲୋକଙ୍କ ଆଗରେ କିମ୍ବା ମିଡ଼ିଆ ଆଗରେ ଆସି କ୍ଷମା ମାଗନ୍ତୁ। ଏଥିସହିତ ଗତକାଲି ଅଙ୍ଗନବାଡି କର୍ମୀ ଦାମଙ୍କ ଘର ଘେରାଉ କରିବାକୁ ଆସିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ସମ୍ବନ୍ଧିତ ଖବର