ନିଜ ଦଳର ନେତାଙ୍କୁ ଦାମଙ୍କ କଟାକ୍ଷ

ଭୁବନେଶ୍ୱର : କିଛି ଦିନର ନିରବତା ପରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ନିଜ ତୁଣ୍ଡ ଖୋଲିଛନ୍ତି। ପୁଣି ନିଜ ଦଳର ନେତାଙ୍କୁ ଅଡ଼ୁଆରେ ପକାଇ ଦେଇଛନ୍ତି। ବମିଖାଲ୍‌ ଓଭର୍‌ବ୍ରିଜ୍‌ ଦୁର୍ଘଟଣା ଓ ଗ୍ୟାଙ୍ଗଷ୍ଟର୍‌ ଧଳସାମନ୍ତ ଭ୍ରାତା ଲିଙ୍କ୍‌ ଘଟଣାରେ ଦାମ ତେରେଚ୍ଛା ବାଣ ମାରିଛନ୍ତି। ନିଜ ଦଳର ନେତାଙ୍କ ନାମ ନ ନେଇଥିଲେ ବି ଏମିତି କିଛି କଥା କହିଛନ୍ତି, ଯାହା କି ସଂପୃକ୍ତ ନେତାଙ୍କୁ ପଦାରେ ପକାଇବାକୁ ଯଥେଷ୍ଟ।

ଧଳସାମନ୍ତ ପ୍ରସଙ୍ଗରେ ଦାମ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଧର୍ମଶାଳା ବିଧାୟକଙ୍କୁ ନୋଟିସ୍‌ କରିଥିବା କଥା ମୁଁ ଗଣମାଧ୍ୟମରୁ ଜାଣିଲି। ଧଳସାମନ୍ତ ଭ୍ରାତାଙ୍କ ସହ ସିଧାସଳଖ କିଏ ସମ୍ପର୍କରେ ଅଛନ୍ତି, ତାହା ସମସ୍ତେ ଜାଣିଛନ୍ତି। ଗଣମାଧ୍ୟମ ବି ଏ ସମ୍ପର୍କରେ ଜାଣିଛି। କଟକ ସହରରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲି ଚାଲି ଗଲେ, ଲୋକ କହିଦେବେ ଧଳସାମନ୍ତ ସହ କାହାର ସମ୍ପର୍କ ଅଛି। ଅପରାଧୀଙ୍କ ସହ ରାଜନେତାଙ୍କ ସମ୍ପର୍କ ଚିନ୍ତାର ବିଷୟ। ଏବେ ଦେଖାଯାଉଛି ଯିଏ ଅପରାଧୀ, ସେହି ରାଜନେତା।

ବମିଖାଲ ଓଭର୍‌ବ୍ରିଜ୍‌ ଘଟଣାରେ ଦାମ କହିଛନ୍ତି, ବମିଖାଲ ଓଭର୍‌ବ୍ରିଜ୍‌ ନିର୍ମାଣ କରିଥିବା ଠିକାଦାର ଜଟଣୀ ଫ୍ଲାଏ ଓଭର୍‌ କାମ ନେଇଛି। ଜଟଣୀରେ ନିମ୍ନମାନର କାମ ନେଇ ଲୋକ ଅଭିଯୋଗ କରିଛନ୍ତି। ଲୋକମାନେ ଭିଡିଓ ରେକର୍ଡିଂ କରି ଦେଖାଇଛନ୍ତି। ଜଟଣୀରେ କିଛି ଲୋକ ଏ ନେଇ ମୋତେ କହିଥିଲେ। ମୁଁ ଏକଥା ଆସି ପୂର୍ତ୍ତ ସଚିବଙ୍କୁ କହିଥିଲି। ସେ ଦେଖିବେ ବୋଲି କହିଥିଲେ। ଏହା ଭିତରେ ଏକ ବର୍ଷ ଗଲାଣି। କିଛି କରାଯାଇନି। ଏ ଠିକାଦାର ପଛରେ କେହି ଶାସକ ଦଳର ନେତା ପୁଞ୍ଜି ବିନିଯୋଗ କରିବା କଥା ଲୋକଙ୍କ ଠାରୁ ଶୁଣିଛି। କଳା ତାଲିକାଭୁକ୍ତ ସଂସ୍ଥାକୁ ପୁଣି କାମ ଦିଆଯିବା ପଛରେ ନିଶ୍ଚିତ କାହାର ଚାପ ଅଛି।

ଉଭୟ ଘଟଣାରେ ନେତାଙ୍କ ନାମଙ୍କ ନାମ ପଚରାଯିବାରୁ ଦାମ କହିଥିଲେ, ମୁଁ କାହାର ନାମ ଜାଣିନି। ଗଣମାଧ୍ୟମ ତାହା ଖୋଜି ବାହାର କରୁ। ମୁଁ ଛଅ ମାସ ହେଲା କେଉଁଥିରେ ସଂପୃକ୍ତ ନାହିଁ। ତେଣୁ କୌଣସି ପ୍ରସଙ୍ଗରେ ଅଧିକ କହିବାକୁ ଚାହୁଁ ନାହିଁ।

ଶାସକ ଦଳକୁ ଏସବୁ ପ୍ରସଙ୍ଗ ଅଡ଼ୁଆରେ ପକାଇବନି କି ବୋଲି ପ୍ରଶ୍ନରେ ସେ କହିଲେ, ଶାସକ ଦଳରେ ସମସ୍ତେ ଶାସକ ନୁହଁନ୍ତି। କିଛି ଲୋକ ଶାସନ କରନ୍ତି। ଯେଉଁମାନେ ଏପରି ବେଆଇନ୍‌ କାମ କରିଛନ୍ତି, ସେମାନେ ଶାସକ ନୁହଁନ୍ତି।

ସମ୍ବନ୍ଧିତ ଖବର