ନିଜ ଆସନ ନାତିକୁ ଛାଡ଼ି ଏବେ ତ୍ରିଶଙ୍କୁ ଅବସ୍ଥାରେ ଏଚ୍‌ଡି ଦେବେଗୌଡ଼ା; ନିଜ ପାଇଁ ମିଳୁ ନାହିଁ ନିରାପଦ ଆସନ!

ବେଙ୍ଗାଲୁରୁ: ପରିବାରର ଚାପ ଆଗରେ ମୁଣ୍ଡ ନୁଆଇଁ ନିଜର ନିରାପଦ ଆସନ ନାତି ପାଇଁ ଛାଡ଼ିଦେବା ପରେ ଏବେ ଆଉ ନିଜ ପାଇଁ ଶତ ପ୍ରତିଶତ ବିଜୟ ସୁନିଶ୍ଚିତ ଥିବା ବିକଳ୍ପ ଆସନ ଖୋଜି ପାଉ ନାହାନ୍ତି ଜେଡି(ଏସ୍‌) ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା। ଫଳରେ ଏକ ତ୍ରିଶଙ୍କୁ ଅବସ୍ଥାରେ ପଡ଼ି ଯାଇଛନ୍ତି ଏହି ବରିଷ୍ଠ ରାଜନେତା। ଆଜି ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲେ ମଧ୍ୟ କେଉଁ ଆସନରୁ ଲଢ଼ିବେ ତାହା ସେ ଏପର୍ଯ୍ୟନ୍ତ ସ୍ଥିର କରିପାରୁ ନାହାନ୍ତି। ଦେବେଗୌଡ଼ାଙ୍କ ଏଅବସ୍ଥା ଦେଖିବା ପରେ ଏବେ ଉଭୟ ଜେଡି(ଏସ୍‌) ଓ କଂଗ୍ରେସର ବରିଷ୍ଠ ନେତାମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି।

ପରିବାରର ଚାପରେ ଏଚ୍‌ଡି ଦେବେଗୌଡ଼ା ତାଙ୍କର ନିରାପଦ ଲୋକସଭା ଆସନ ହସ୍‌ସାନ୍‌କୁ ନାତି ପ୍ରଜଓ୍ଵାଲ ରିଭାନ୍ନାକୁ ଛାଡ଼ି ଦେଇଛନ୍ତି। ହସ୍‌ସାନ୍‌ ଲେକସଭା ଆସନକୁ ଛାଡ଼ିବା ପରେ ତାଙ୍କ ପାଇଁ ଦ୍ୱିତୀୟ ନିରାପଦ ଏବଂ ବିଜୟ ସୁନିଶ୍ଚିତ ଥିବା ଆସନ ଥିଲା ନିକଟବର୍ତ୍ତୀ ମାଣ୍ଡ୍ୟ। ହେଲେ, ସେଠାରୁ ଜେଡି(ଏସ୍‌) ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦେବେଗୌଡ଼ାଙ୍କ ଅନ୍ୟ ଜଣେ ନାତି ନିଖିଲ କୁମାରସ୍ୱାମୀ। ଏ ପରିସ୍ଥିତିରେ ତାଙ୍କ ପାଇଁ ଶତ ପ୍ରତିଶତ ବିଜୟ ସମ୍ଭାବନା ରହିଥିବା ତୃତୀୟ ବିକଳ୍ପ ଆସନ ଭାବେ ରହିଛି ତିନିଟି ଆସନ- ବେଙ୍ଗାଲୁରୁ ଉତ୍ତର, ତୁମ୍‌କୁର ଏବଂ ମହୀଶୂର। ହେଲେ, ଏ ତିନିଟି ଯାକ ଆସନ କଂଗ୍ରେସ ହାତରେ। ତେଣୁ, ବିଜୟ ସୁନିଶ୍ଚିତ ନଥିବାରୁ ଅନ୍ୟ କୌଣସି ଆସନରୁ ଲଢ଼ିବାକୁ ସାହସ ଜୁଟାଇ ପାରୁ ନାହନ୍ତି ଜେଡି(ଏସ୍‌) ସୁପ୍ରିମୋ ଦେବେଗୌଡ଼ା!

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୮୫ ବର୍ଷ ବୟସ୍କ ଏଚ୍‌ଡି ଦେବେଗୌଡା ହେଉଛନ୍ତି ଏକମାତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଯିଏ କି ଏବେ ବି ରାଜନୀତିରେ ସକ୍ରିୟ ଅଛନ୍ତି। ଏହି ଅଶତୀପର ରାଜନେତା ଯିଏ କି ବିଗତ ୧୯୬୨ ମସିହା ଠାରୁ ଆଜି ସୁଦ୍ଧା ୧୫ଟି ନିର୍ବାଚନ ଲଢ଼ି ୧୩ଟିରେ ବିଜୟଲାଭ କରିଛନ୍ତି। ନିଜର ୫୭ ବର୍ଷର ରାଜନୈତିକ ଜୀବନରେ କେବଳ ୧୯୮୯ ଏବଂ ୧୯୯୧ରେ ସେ ସ୍ୱଳ୍ପ କାଳ ପାଇଁ ରହିଥିଲେ କ୍ଷମତା ବାହାରେ। ନହେଲେ ବାକି ସମୟରେ ସେ କେତେବେଳେ ବିଧାନସଭାର ବିଧାୟକ ନଚେତ ଲୋକସଭାରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସିଛନ୍ତି।

ସମ୍ବନ୍ଧିତ ଖବର