ଜିଆରଏସ୍‌ ଆନ୍ଦୋଳନ ପଛରେ ଧର୍ମେନ୍ଦ୍ରଙ୍କ ହାତ ରହିଛି: ମହାରଥୀ

ଭୁବନେଶ୍ୱର: ଦରମା ବୃଦ୍ଧି ନେଇ ଶୁକ୍ରବାର ମାଷ୍ଟରକ୍ୟାଣ୍ଟିନ ଠାରୁ ଲୋୟର ପିଏମ୍‌ଜି ଆଡ଼କୁ ଯାଉଥିବା ଆନ୍ଦୋଳନ ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତ ରହିଛି ବୋଲି ବିଜେଡି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି। ଟାର୍ଗେଟ କରି ଶନିବାର ମହାରଥୀ କହିଛନ୍ତି, ଜିଆରଏସଙ୍କ ଆନ୍ଦୋଳନ ପଛରେ ଧର୍ମେନ୍ଦ୍ର ଅଛନ୍ତି। ଧର୍ମେନ୍ଦ୍ର ଆନ୍ଦୋଳନ ପାଇଁ ଉସୁକାଉଛନ୍ତି। ସେ କେନ୍ଦ୍ରସରକାରଙ୍କୁ କୁହନ୍ତୁ ଚାକିରି ସ୍ଥାୟୀ କରିବେ। ଦିଲ୍ଲୀ ଚାଲ ସାଙ୍ଗ ହୋଇ ଲଢ଼ିବା ବୋଲି ମହାରଥୀ କହିଛନ୍ତି।

ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଅସ୍ଥାୟୀ ଭାବେ କାର୍ଯ୍ୟରତ ଥିବା ନିଖିଳ ଓଡ଼ିଶା ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀମାନେ ଶୁକ୍ରବାର ୫ଦଫା ଦାବିରେ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ଅଚାନକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ଲୋୟର ପିଏମ୍‌ଜି ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। ଲାଠି ମାଡ଼ରେ ପ୍ରାୟ ୨୦ଜଣ କର୍ମୀ ଆହତ ହୋଇଥିବା ବେଳେ ପୁଲିସ ୫୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଥିଲା।

ଗ୍ରାମ୍ୟ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମାକୁ ପେ ଓ ଗ୍ରେଡ୍‌ ପେ ଥାଇ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ନିର୍ବାହୀ ଅଧିକାରୀ ପଦବିରେ ଶତପ୍ରତିଶତ ନିଯୁକ୍ତି, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଆକସ୍ମିକ ବିୟୋଗ ଓ ଅକର୍ମଣ୍ୟ ପାଇଁ ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବିରେ ସଂଘର ହଜାର ହଜାର କର୍ମୀ ଆନ୍ଦୋଳନରେ ସାମିଲ ଥିଲେ।

ଆନ୍ଦୋଳନ ପରେ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)ଙ୍କ ଦରମା ବଢ଼ିଛି। ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଣିକି ଜିଆରଏସ୍‌ କର୍ମଚାରୀମାନେ ମାସିକ ଦରମା ୭ ହଜାର ଟଙ୍କା ପାଇବେ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ ୫ ହଜାର ଟଙ୍କା ମାସିକ ଦରମା ମିଳୁଥିଲା। ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି, ବିଭିନ୍ନ ସ୍କିମରେ ଜିଆରଏସ୍‌ କର୍ମଚାରୀଙ୍କୁ ୧୮ଶହ ଟଙ୍କା ସହାୟତା ରାଶି ମିଳିବ। ଜିଆରଏସ କର୍ମଚାରୀ ମାସକୁ ସମୁଦାୟ ୮ହଜାର ୮ଶହ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର