ବିଜୟ ଓ ଦିଲ୍ଲୀପଙ୍କ ଦଳ ଛାଡ଼ିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର, କଟାକ୍ଷ କଲେ ପ୍ରଶାନ୍ତ

ଭୁବନେଶ୍ବର: ବିଜେପିରୁ ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ଇସ୍ତଫା ପରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜନୀତିରେ କିଏ କେଉଁଠାକୁ ଯିବ ତାହାକୁ କେହି ରୋକିପାରିବେନି । କୌଣସି ବ୍ୟକ୍ତି ବିଶେଷ ଓଡ଼ିଶା ଭଳି ରାଜ୍ୟରେ କେବେ ପ୍ରସଙ୍ଗ ହୁଏନାହିଁ । ନୀତି ଆଦର୍ଶ ରାଜନୀତିରେ ପ୍ରସଙ୍ଗ ହୁଏ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମତେ କିଏ ବ୍ୟକ୍ତିଗତ ଆକ୍ଷେପ କଲେ ତାହାର ଉତ୍ତର ମୁଁ ରଖିବି ନାହିଁ । ମୋର ସଂସ୍କାର ଓ ଶାଳୀନତା ରହିଛି । ୧୨୦+  ମିଶନ ଉପରେ ଏହାର କୌଣସି ପ୍ରଭାବ ପଡିବନି । ଆମେ ଆମ ଲକ୍ଷ୍ୟରେ ସ୍ପଷ୍ଟ ରହିଛୁ । ତେଣୁ ବିଜେପି ଦଳର ରାଷ୍ଟ୍ରୀୟ ସଭାପତି ଆମକୁ ଯେଉଁ ଲକ୍ଷ୍ୟ ଦେଇଛନ୍ତି ସେଥିରେ ଆମେ ନିଶ୍ଚିତ ରୂପେ ସଫଳ ହେବୁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାପରେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ପ୍ରତିକ୍ରିୟାର ଉତ୍ତରରେ କହିଛନ୍ତି ଯେ, ଓଡିଶାରେ ଡବଲ ଇଞ୍ଜିନ ଲାଗିଲେ ଉପରକୁ ଯିବ ।

ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଏହା ସମ୍ଭବ ହେବ । ଆମ ଦଳରେ କେହି ଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି । ଏହାସହ ଓଡ଼ିଶାରେ ଆମେ ପ୍ରମୁଖ ଦଳ ହେଲା ପରେ କିଏ ଓଡ଼ିଶାର ନେତୃତ୍ୱ ନେବ ତାହାର ନିଷ୍ପତ୍ତି ନିଆଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେଣୁ ବର୍ତମାନ ସମୟରେ ଏ ନେଇ କୌଣସି ବିଚାର ବିମର୍ଶ ହୋଇ ନାହିଁ । କିଏ କେଉଁ ପଦବିରେ ରହିବ ତାହା ଆଲୋଚନା ହୋଇନାହିଁ । ଆଲୋଚନା ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାର ଜବାବରେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ କରିଛନ୍ତି, ବିଜେପିରୁ କର୍ମୀ ଛାଡ଼ୁଛନ୍ତି।  ଦଳ ହତୋତ୍ସାହିତ ହୋଇଗଲାଣି। ଧର୍ମେନ୍ଦ୍ର ବାବୁ ଯେଉଁ ଲଢ଼ିବା କଥା କହୁଛନ୍ତି, ଭଲ କଥା; କିନ୍ତୁ ତାଙ୍କ ପାଦ ତଳୁ ମାଟି ଖସିଗଲାଣି। ଛିଡ଼ା ହେଲେ ସିନା ସେ ଲଢ଼ିବେ ?

 

ସମ୍ବନ୍ଧିତ ଖବର