ବିଜେଡିକୁ ଭଙ୍ଗା ମାଠିଆ କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡିର ପଦଯାତ୍ରାରେ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଫମ୍ପା ମାଠିଆ ବୋଲି ଆକ୍ଷେପ କରିଥିଲେ। ଦୁଇ ଦିନ ପରେ ତାହାର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଭଙ୍ଗା ମାଠିଆ ବୋଲି କହିଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାକୁ ସମାଲୋଚନା କଲା ବେଳେ ବିଜେଡି ପ୍ରତି ଏପରି ମନ୍ତବ୍ୟ ଦେଇଛନ୍ତି ଶ୍ରୀ ପ୍ରଧାନ।

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ବଳରେ ଓଡ଼ିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ଯୋଜନାରେ ନବୀନ ପଟ୍ଟନାୟକ ୧ ଟଙ୍କିଆ ଚାଉଳ ଯୋଗାଇ ଦେଉଥିବା ଦାବି କରୁଥିଲା ବେଳେ ଗତ କିଛି ଦିନ ତଳେ ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହା ହନୁ ମଲା ବେଳେ ସତ କହିବା ପରି ଘଟଣା। ଯଦି ୨୫ ଲକ୍ଷ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ତେବେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମୋଦୀଙ୍କ ଖାଦ୍ୟ ସୁରକ୍ଷା ଯୋଜନା ପରସ୍ୱ ଥିଲା ବୋଲି ଖୋଦ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ୧୯ ବର୍ଷ ସରକାରର ମିଛର ପର୍ଦ୍ଦାଫାସ ହୋଇଛି। ଖୋଦ ମୁଖ୍ୟମନ୍ତ୍ରୀ ନାଟକର ଶେଷ ଦୃଶ୍ୟ ଉପରୁ ପରଦା ହଟାଇଛନ୍ତି। ଏହା ଦ୍ୱାରା ସତ କ’ଣ ଲୋକଙ୍କ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ମାସକୁ ୫ କିଲୋ ଚାଉଳ ମୂଲ୍ୟ ବାବଦରେ ମାସକୁ ୪୮୦ କୋଟି ଟଙ୍କା ହିସାବରେ ବର୍ଷକୁ ୫୭୬୦ କୋଟି ରାଜ୍ୟକୁ ଦେଉଛନ୍ତି। ଅପର ପକ୍ଷରେ ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫୧ କୋଟି ଟଙ୍କା ହିସାବରେ ବାର୍ଷିକ ୬୧୨ କୋଟି ଟଙ୍କା ଖର୍ଚ୍ଚର ଆକଳନ କରାଯାଇଛି।

ମାତ୍ର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କଟକ ମେୟର ଓ ଶାସକ ବିଜେଡିର ବିଧାୟକଙ୍କୁ ପତ୍ନୀଙ୍କୁ ଦଳୀୟ ଆଧାରରେ ଏଥିରେ ସାମିଲ କରାଯାଇଥିଲା। ନବୀନ ବାବୁଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମେ ୩୪ ଲକ୍ଷ, ପରେ ୩୨ ଲକ୍ଷ, ୨୫ ଲକ୍ଷ ଓ ଏବେ ଗଣମାଧ୍ୟମରେ ଏହା ୧୮ ଲକ୍ଷ ବୋଲି ଚର୍ଚ୍ଚା ହେଉଛି। ହେଲେ ଏହି ୧୮ ଲକ୍ଷ ଲୋକ କିଏ, ସେମାନଙ୍କର ନାଁ ଗାଁ ଠିକଣା କ’ଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଥ୍ରିଟି କଥା କହୁଥିବା ନବୀନ ବାବୁ ଟେକ୍ନୋଲୋଜିର ସାହାଯ୍ୟରେ ତାଲିକାକୁ କାହିଁକି ସ୍ୱଚ୍ଛ ଓ ପାରଦର୍ଶୀ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି, ଶାସକ ଦଳର ବିଧାୟକଙ୍କ ସୁପାରିସରେ ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଏଥିରେ ବଞ୍ଚିତ କରାଯାଉଛି।

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କେନ୍ଦ୍ର ସରକାର ୨ ଟଙ୍କା ୫୦ ପଇସା ଟିକସ ହ୍ରାସ କରିଥିବା ବେଳେ ରାଜ୍ୟ ସରକାର ସେତିକି ପରିମାଣର ଭ୍ୟାଟ୍ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସମ୍ବନ୍ଧିତ ଖବର