ମୀନାଙ୍କୁ ମାଧ୍ୟମ କରି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଭୁବନେଶ୍ୱର : କେନ୍ଦ୍ର ସରକାର ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍‌ ମ୍ୟାନୁଫ୍ୟାକଚରିଂ କ୍ଲଷ୍ଟର ଖୋଲିବାକୁ ଯୋଜନା କରିଛନ୍ତି। କିନ୍ତୁ ଏହାକୁ ସଫଳ କରିବାକୁ ହେଲେ ଅଧିକରୁ ଅଧିକ ଇଲେକ୍ଟ୍ରୋନିକ୍ସ କମ୍ପାନି ଆସିବା ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଏହା ସମ୍ଭବ।

ଏହି କଥାଟିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଯେଉଁଭଳି ଢଙ୍ଗରେ ଉପସ୍ଥାପନ କଲେ ସେଥିରେ ରାଜନୀତି ଗନ୍ଧ ବାରି ହୋଇଯାଉଥିଲା। ଧର୍ମେନ୍ଦ୍ର ଏହି କଥାଟିକୁ କହିବା ପାଇଁ ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ସଚିବ ଏ.କେ ମୀନାଙ୍କୁ ମାଧ୍ୟମ କରିଥିଲେ। ଧର୍ମେନ୍ଦ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଇଲେକ୍ଟ୍ରୋନିକ୍‌ ମ୍ୟାନୁଫ୍ୟାକଚରିଂ କ୍ଲଷ୍ଟର ପ୍ରତିଷ୍ଠା ହେଲେ ଏହାକୁ ସଫଳ କରିବା ପାଇଁ ଅଧିକରୁ ଅଧିକ କମ୍ପାନି ପ୍ରତିଷ୍ଠା ହେବା ଦରକାର। ବିଭାଗୀୟ ସଚିବ ଏ.କେ ମୀନା ବହୁତ ଦକ୍ଷ। ସେ ଚାହିଁଲେ ବିଭିନ୍ନ କମ୍ପାନି ସହ ଆଲୋଚନା କରି ଆଣିପାରିବେ। କିନ୍ତୁ ସେ କିଛି କରିପାରିବେନି। ତାଙ୍କୁ ସବୁ କାମ ପଚାରିକି କରିବାକୁ ପଡ଼ିବ। ଏପରିକି କେନ୍ଦ୍ର ସରକାରଙ୍କୁ ସହଯୋଗ ମାଗିଲେ ଏହା ଅଧିକ ଫଳପ୍ରଦ ହୋଇପାରିବ। କେନ୍ଦ୍ର ସରକାରଙ୍କ ସହଯୋଗ ଦରକାର କି ନାହିଁ ସେଥିପାଇଁ ତାଙ୍କୁ ଉପରେ ଟିକେ ପଚାରିବାକୁ ପଡ଼ିବ, ତାଙ୍କୁ ମନାଇବାକୁ ପଡ଼ିବ। ମାନନୀୟଙ୍କ ସହ ଏନେଇ ଆଲୋଚନା କରନ୍ତୁ। ଯଦି ସେ ରାଜି ହେବେ ତେବେ ମୁଁ ଓ ରବିଶଙ୍କର ଜୀ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଅତି କମ୍‌ରେ ୪/୫ଟି ଉଦ୍ୟୋଗୀ ଯେପରି ଆସିବେ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ବିଭିନ୍ନ କମ୍ପାନି ସହ ଆଲୋଚନା କରି ହେବ ସେନେଇ ଯୋଜନା ପ୍ରସ୍ତୁତ କରିବୁ।

ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ ହେଁ ଥରଟିଏ ବି ସିଧାସଳଖ କହିନଥିଲେ। ମୀନାଙ୍କୁ ମାଧ୍ୟମ କରି ସବୁ କହିଥିଲେ। ଆଉ ଆଗଧାଡ଼ିରେ ବସିଥିବା ଏ.କେ. ମୀନା ସବୁ ଶୁଣି କେବଳ ମୁରୁକି ମୁରୁକି ହସୁଥିଲେ।

ସମ୍ବନ୍ଧିତ ଖବର