କଂଗ୍ରେସ-ବିଜେଡିର ସ୍ୱର ଏକ: ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗତକାଲି ରାଜ୍ୟ କଂଗ୍ରେସ ପକ୍ଷରୁ ବିଜେପିକୁ ଟାର୍ଗେଟ୍‌ କରାଯାଇ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖାଯାଇଥିଲା। ଆଜି ତାହାର ଜବାବ୍‌ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଂଗ୍ରେସ ଦଳ ଯେଉଁ ପ୍ରଶ୍ନ ପଚାରିଛି, ସେଗୁଡ଼ିକ ରାଜ୍ୟ ଶାସନରେ ଥିବା ବିଜେଡିର ପ୍ରଶ୍ନ ସହ ମିଶିଯାଉଛି ବୋଲି ସେ ପାଲଟା ଅଭିିଯୋଗ କରିଛନ୍ତି।

ଆଜି ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଲେ, କଂଗ୍ରେସ ଦଳ ସ୍ୱାଧୀନତାର ୭୦ ବର୍ଷରୁ ସର୍ବାଧିକ କାଳ କେନ୍ଦ୍ର ଓ ରାଜ୍ୟରେ ଶାସନ ଦାୟିତ୍ୱରେ ରହିଛନ୍ତି। ଓଡ଼ିଶାବାସୀ କାହିଁକି ସମସ୍ୟାରେ ଅଛନ୍ତି, ଏଥିପାଇଁ କଂଗ୍ରେସ ଦଳ ପ୍ରଥମେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଦରକାର। ୨୦୧୨-୧୩ରେ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ବସାଯାଇଥିବା ରଘୁରାମ ରାଜନ କମିସନ୍‌ଙ୍କ ରିପୋର୍ଟରେ ଓଡ଼ିଶାକୁ ଦେଶର ସବୁଠାରୁ ପଛୁଆ ରାଜ୍ୟ ଭାବେ ଆକଳନ କରାଯାଇଥିଲା। ଉପା ସରକାର କେନ୍ଦ୍ରରେ ଥିଲାବେଳେ ଓଡ଼ିଶା ସବୁଠାରୁ ପଛୁଆ ରାଜ୍ୟ ଥିଲା, ତାହା ପାଇଁ କିଏ କ୍ଷମା ମାଗିବ କଂଗ୍ରେସ ଦଳକୁ ତାହାର ଉତ୍ତର ଦେବାକୁ ପଡ଼ିବ। ଛତିଶଗଡ଼ର ଯେଉଁ ପ୍ରକଳ୍ପଗୁଡ଼ିକ ପାଇଁ ବିବାଦ ସୃଷ୍ଟି ହୋଇଛି, ୨୦୦୪ରୁ ୨୦୧୪ କେନ୍ଦ୍ରରେ କଂଗ୍ରେସ ଦଳ ଶାସନ ଗାଦିରେ ଥିଲାବେଳେ ତାହାର ଅନୁମତି କଂଗ୍ରେସ ସରକାର ଦେଇଥିଲା କି ନାହିଁ, ତାହା ପ୍ରଥମେ କଂଗ୍ରେସ ସ୍ପଷ୍ଟ କରୁ। କେନ୍ଦ୍ରମନ୍ତ୍ରୀ ଆହୁରି ପ୍ରଶ୍ନ କରିଛନ୍ତି, ପୋଲାଭରମ୍‌ ପ୍ରକଳ୍ପକୁ କିଏ ପ୍ରୋତ୍ସାହନ ଦେଇଥିଲା? ସେତେବେଳେ କେନ୍ଦ୍ରରେ ଓ ଆନ୍ଧ୍ରରେ କେଉଁ ସରକାର ଥିଲା ? ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଭାବେ ଜଣେ ଯୋଗ୍ୟ ଓଡ଼ିଆଙ୍କ ବିରୋଧରେ କଂଗ୍ରେସ ମହାଭିଯୋଗ ପ୍ରସ୍ତାବ ଆଣିବା ବେଳେ କଂଗ୍ରେସ ନେତାଙ୍କ ଓଡ଼ିଆ ସ୍ୱାଭିମାନ କୁଆଡ଼େ ଯାଇଥିଲା ? ଏଥିପାଇଁ କଂଗ୍ରେସ ଦଳ ପ୍ରଥମେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ଉଚିତ। କେଉଁମାନେ ଲମ୍ବା ସମୟରେ ଶାସନ ରହି ଓଡ଼ିଶାକୁ ତଳିତଳାନ୍ତ କଲେ, ଓଡ଼ିଶାବାସୀ ତାହାକୁ ଭଲ ଭାବେ ବୁଝୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ନିରଞ୍ଜନଙ୍କ ଜବାବ
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ମହାନଦୀର ଏଭଳି ଅବସ୍ଥା ପାଇଁ ବିଜେପି ସରକାର ସଂପୂର୍ଣ୍ଣ ଦାୟୀ। ଛତିଶଗଡ଼ରେ ବିଜେପି ସରକାର ଥିବାରୁ ଓଡ଼ିଶାକୁ ପାଣି ଆସୁନାହିଁ। ମହାନଦୀ ଶୁଖିଲା ପଡ଼ିଛି। ଯଦି ବିଜେପି ଏତେ ବିକାଶ କରୁଛି, ତେବେ ଛତିଶଗଡ଼ ସରକାରଙ୍କୁ କହି ଓଡ଼ିଶାକୁ ମହାନଦୀର ପାଣି ଦେଉନାହିଁ କାହିଁକି ବୋଲି ସେ ପଚାରିଛନ୍ତିି।

ଓଡ଼ିଶାକୁ ପଛୁଆ ରଖିବାରେ କଂଗ୍ରେସ ଦାୟୀ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ନେଇ ଶ୍ରୀ ପଟ୍ଟନାୟକ କହିଲେ ଯେ କଂଗ୍ରେସର ଅବଦାନ ସଂପର୍କରେ ତାଙ୍କ(ଧର୍ମେନ୍ଦ୍ର) ପାଖରେ ତଥ୍ୟ ନାହିଁ। କଂଗ୍ରେସ ଶାସନରେ ଥିବା ବେଳେ ରାଜ୍ୟରେ ଜଳସେଚନର ଯାହା ବିକାଶ ହୋଇଥିଲା। ସେହିପରି ପୋଲାଭରମ୍‌ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ସେ କହିଲେ, ୨୦୦୦ ମାର୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲାଭରମ୍‌ ପ୍ରକଳ୍ପ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେତେବେଳେ କିଏ ପ୍ରଧାନମନ୍ତ୍ରୀ ଥିଲେ ବୋଲି ପିସିସି ସଭାପତି ପଚାରିଛନ୍ତିି।

ସମ୍ବନ୍ଧିତ ଖବର