ବିଶ୍ୱ ହିଟ୍‌ଲର୍‌-ମୁସୋଲିନ୍‌-ମୋଦିଙ୍କ ଭଳି ନେତା ଚାହୁଁନି: ଦିଗ୍‌ବିଜୟ ସିଂହ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ଆଡଲଫ ହିଟ୍‌ଲର ଏବଂ ବେନିତୋ ମୁସୋଲିନ୍‌ଙ୍କ ସହିତ ତୁଳନା କରିଛନ୍ତି। ଦିଗ୍‌ବିଜୟ କହିଛନ୍ତି, ମହାତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ଭଳି ନେତା ବିଶ୍ୱ ଚାହୁଁଛି।

ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ଏକ ମସ୍‌ଜିଦ୍‌ରେ ଶୁକ୍ରବାର ଆତତାୟୀଙ୍କ ଗୁଳବର୍ଷା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣାକୁ ନିନ୍ଦା କରିବା ସହିତ ଟୁଇଟ୍‌ କରିଥିଲେ। ମସ୍‌ଜିଦ୍‌ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ୪୯ ଲୋକଙ୍କର ମୃତ୍ୟୁ ଘଟିଥିଲା। ରାହୁଲଙ୍କ ଟୁଇଟ୍‌କୁ ସମର୍ଥନ ଜଣାଇ ଦିଗ୍‌ବିଜୟ କହିଛନ୍ତି, ବିଶ୍ୱକୁ ଭଲ ପାଉଥିବା, ଶାନ୍ତି ଦେଇପାରୁଥିବା ଏବଂ ସମୃଦ୍ଧି ଦିଗରେ କାମ କରିପାରୁଥିବା ନେତାର ଆବଶ୍ୟକତା ଅଛି। ମୋଟାମୋଟି ଭାବରେ କହିବାକୁ ଗଲେ ସନାତନ ଧର୍ମ, ଗୌତମ ବୁଦ୍ଧ ଏବଂ ମହାବୀରଙ୍କ ଭଳି ବ୍ୟକ୍ତି ବିଶ୍ୱରେ ଦରକାର ଅଛି।

ହିଟ୍‌ଲର୍‌ ଏବଂ ମୁସୋଲିନଙ୍କ ସହିତ ମୋଦିଙ୍କୁ ତୁଳନା କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ କହିଛନ୍ତି, ମୁଁ ରାହୁଲ ଗାନ୍ଧୀଙ୍କ ସହିତ ଏକମତ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିପାରୁଥିବା ନେତାଙ୍କ ଆବଶ୍ୟକତା ଅଛି। ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡର ମସ୍‌ଜିଦ୍‌ ଉପରେ ଗୁଳିକାଣ୍ଡ ପରେ ରାହୁଲ ଗାନ୍ଧୀ ଶୁକ୍ରବାର କହିଥିଲେ ଯେ, ସହାୟତା ପାଇଁ ବିଶ୍ୱ ଛିଡ଼ା ହୋଇଛି।

ସମ୍ବନ୍ଧିତ ଖବର