ବିଜେପିରେ ଅସନ୍ତୋଷ କୁହୁଳୁଛି : ଏଥର ବି ନିରାଶ ହେଲେ ପ୍ରତାପ ସପକ୍ଷବାଦୀ

ସଭାପତି ପରିବର୍ତ୍ତନ ସମ୍ଭାବନାକୁ ଖଣ୍ଡନ କଲେ ପ୍ରଭାରୀ, ପଦ୍ମ ଧରିପାରନ୍ତି ବୈଜୟନ୍ତ, ମିଳିଲା ସବୁଜ ସଙ୍କେତ

ଭୁବନେଶ୍ୱର : ବିଜେପି ରାଜ୍ୟ ନେତୃତ୍ୱ ପରିବର୍ତନ ପ୍ରସଙ୍ଗକୁ ନେଇ ଚାଲିଥିବା ଚର୍ଚ୍ଚାରେ ବର୍ତ୍ତମାନ ପାଇଁ ଆପାତତଃ ପୂର୍ଣ୍ଣଛେଦ ପଡିଛି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ ନୂଆଦିଲ୍ଲୀ ଯାଇ ଦଳର ଶୀର୍ଷ ନେତାଙ୍କୁ ଭେଟିବା ଘଟଣାରୁ ଏହି ଚର୍ଚ୍ଚା ଦାନା ବାନ୍ଧିଥିଲା। ଯେହେତୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକୁ ନେଇ ଦଳରେ ଗୋଟିଏ ବଡ଼ ଅସନ୍ତୋଷ ରହିଛି, ଏଣୁ ଏଭଳି ପ୍ରସଙ୍ଗ ବାରମ୍ବାର ଉଠୁଛି।

ଅନ୍ୟପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡିରୁ ବିଦା ହୋଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଖୁବ୍‌ଶୀଘ୍ର ପଦ୍ମ ଫୁଲ ଧରିବେ। ଦୀର୍ଘ ବିଚାର ବିମର୍ଶ ପରେ କେନ୍ଦ୍ରୀୟ ନେତୃତ୍ୱ ସବୁଜ ସଙ୍କେତ ଦେଇଥିବା ସୂଚନା ମିଳିଛି। ତେବେ କେବେ ମିଶ୍ରଣ ପର୍ବର ଆୟୋଜନ ହେଉଛି, ସାଧାରଣ କର୍ମୀ ଭଳି ଦଳ ତାଙ୍କୁ ନିଆଯିବ ନା ବିଜେଡିର ପୁରଭାଗରେ ରହିବା ଲାଗି ସେ ଯେଭଳି ଚାହୁଁଥିଲେ, ସେଭଳି ଆସନ ତାଙ୍କୁ ଗେରୁଆ ଦଳରେ ମିଳିବ, ଏ ସଂପର୍କିତ ଚିତ୍ର ଏଯାଏ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ ନେଇ ବାରମ୍ବାର ଚର୍ଚ୍ଚା ଉଠୁଛି। ଦଳର ଏକ ବଡ଼ ଗୋଷ୍ଠୀ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସନ୍ତୁଷ୍ଟ ନାହାନ୍ତି। କାରଣ ନିର୍ବାଚନ ବର୍ଷରେ ସଭାପତି ଯେଭଳି ପ୍ରଭାବୀ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ବିଧାନସଭା ଭିତରେ ତାଙ୍କ ପ୍ରଦର୍ଶନ ଆକର୍ଷଣୀୟ ନୁହେଁ କିମ୍ବା ବିଧାନସଭା ବାହାରେ ମଧ୍ୟ ବିଜେପିକୁ ବଢାଇବା ଭଳି ଦକ୍ଷତା ତାଙ୍କର ନାହିଁ ବୋଲି ଏହି ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି।

ଏହି ପ୍ରସଙ୍ଗଟି ଅଧିକ ଆଲୋଚନାକୁ ଆସିବାର ଆଉ ଏକ କାରଣ ହେଉଛି, କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ସଂଗଠନ ବୃଦ୍ଧି ଲାଗି ଯେତେବେଳେ ଯେଉଁ ଟାସ୍କ ଦେଉଛନ୍ତି, ତାକୁ ପୂରଣ କରିବାରେ ବିଫଳ ହେଉଛନ୍ତି ଶ୍ରୀ ପଣ୍ଡା। ୧୫ ଦିନ ଭିତରେ ବୁଥକୁ ଯାଇ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ କଥା ପହଞ୍ଚାଇବାକୁ କୁହାଯାଇଥିଲା, ତାହା ହୋଇପାରିଲା ନାହିଁ। ରାଜ୍ୟର ୩୬ ହଜାର ବୁଥରୁ ଦଳ ଏବେ ସୁଦ୍ଧା ୨୨ ହଜାର ବୁଥରେ ହିଁ ନିଜ ଉପସ୍ଥିତି ଜାହିର କରିପାରିଛି ବୋଲି ଯଦିଓ ଦାବି କରିଛି, ସେ ମଧ୍ୟରୁ ଅଧିକାଂଶ କେବଳ କାଗଜପତ୍ରରେ ହୋଇଛି। ପ୍ରତି ପଞ୍ଚାୟତରେ ଆନ୍ଦୋଳନ ପାଇଁ ଅମିତ ଶାହା ପରାମର୍ଶ ଦେଇଥିଲେ ଏହା ବି ପ୍ରସ୍ତାବ ଭିତରେ ରହିଯାଇଛି। କାରଣ ବ୍ଲକ ସ୍ତରରେ ଏକ ବଡ଼ ଆନ୍ଦୋଳନ କରିବା ସ୍ଥିତିକୁ ବିଜେପି ଏଯାଏ ଯାଇନାହିଁ।

ଏଣୁ ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀଙ୍କ ଭଳି ଜଣେ ବକ୍ତା ଓ କଠୋର ନେତାଙ୍କ ନାମ ବାରମ୍ବାର ଚର୍ଚ୍ଚାକୁ ଆସୁଛି। ଏହା ପଛରେ ମଧ୍ୟ ସଂଘର ହାତ ଥିବା କୁହାଯାଉଛି। ହେଲେ ଦଳର ପ୍ରଭାବଶାଳୀ ଗୋଷ୍ଠୀ କିନ୍ତୁ ପ୍ରତାପଙ୍କ ସପକ୍ଷରେ ନାହାନ୍ତି। ଏଣୁ ଯେଉଁ ମୁହୂର୍ତରେ ସଭାପତି ପରିବର୍ତନ ପ୍ରସଙ୍ଗ ପୁଣି ଜୋର ଧରିଲା, ଖୋଦ୍‌ ପ୍ରଭାରୀ ଶ୍ରୀ ସିଂହ ତାକୁ ନିମିଷକ ମଧ୍ୟରେ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ସଭାପତି ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ।

ରାଜନୈତିକ ମହଲର କହିବା କଥା, ପ୍ରତାପଙ୍କ ଭଳି ନେତା ସଭାପତି ହେଲେ ଦଳ କେତେ ବଢିବ ତାହା ଅଲଗା କଥା, କିନ୍ତୁ ବର୍ତମାନର ନେତୃତ୍ୱକୁ ସେ ଶତପ୍ରତିଶତ ବରଦାସ୍ତ କରିନପାରନ୍ତି। ଏ ଦୃଷ୍ଟିରୁ ବସନ୍ତ ପଣ୍ଡାଙ୍କ ଉପସ୍ଥିତି ପ୍ରଭାବଶାଳୀ ଗୋଷ୍ଠୀ ପାଇଁ ବେଶ୍‌ ନିରାପଦ। ଏହି ପ୍ରସଙ୍ଗକୁ କେନ୍ଦ୍ରୀୟ ନେତୃତ୍ୱ ଯେତେ ଟାଳିଲେ ବି ଦଳରେ କିନ୍ତୁ ଅସନ୍ତୋଷ କୁହୁଳୁଛି ଓ ବଢୁଛି, ଏହାକୁ ଏଡାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର