ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଶନିବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

ପ୍ରୀତିନନ୍ଦା ରାଉତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋଙ୍କ ନିକଟକୁ ପଠାଇଛନ୍ତି । ଏହାସହ ବିଜୁ ଜନତା ଦଳରୁ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରୀତିନନ୍ଦା ।

ପ୍ରୀତିନନ୍ଦା କହିଛନ୍ତି, ମାନ୍ୟବର ନୀବନ ପଟ୍ଟନାୟକ ମୋ ପ୍ରତି ଆସ୍ଥା ପ୍ରକଟ କରି ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ପାଇଁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ। ନିର୍ବାଚନ ଜିତିଲା ପରେ ମୁଁ ୫ ବର୍ଷ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିଛି। ପାରୁପର୍ଯ୍ୟନ୍ତ ଲୋକଙ୍କ ପାଇଁ କାମ କରିଛି। ମୋର କାର୍ଯ୍ୟକାଳ ମଧ୍ୟରେ ସଂସ୍ପର୍ଶରେ ଆସିଥିବା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ଠାରୁ ଶ୍ରଦ୍ଧା ଓ ସମ୍ମାନ ପାଇଛି। ସେଥିପାଇଁ ମୁଁ କୃତଜ୍ଞ। ଏହି ନିଷ୍ପତ୍ତି କୌଣସି ଚାପରେ ନୁହେଁ, ବରଂ ସଂପୂର୍ଣ୍ଣ ରୂପେ ବ୍ୟକ୍ତିଗତ ବୋଲି ପ୍ରୀତିନନ୍ଦା ରାଉତ କହିଛନ୍ତି।

ପ୍ରୀତିନନ୍ଦା ଭୁବନେଶ୍ୱରରେ ବିଜେଡି ଟିକେଟରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ଥର ବିଧାୟିକା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ । ତେବେ ବାପା ତଥା ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ବିଜେଡି ଛାଡିଛନ୍ତି ପ୍ରୀତିନନ୍ଦା । ତେବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନଥିବା ବେଳେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଆଗାମୀ ପଦକ୍ଷେପ କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସୂଚନାଯୋଗ୍ୟ ବିଜେଡ଼ି ଛାଡ଼ିବାର ବହୁଦିନ ପରେ ଡ. ଦାମୋଦର ରାଉତ ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର