ବିଜେଡିରୁ ବରିଷ୍ଠ ନେତା ଡା.ଦାମୋଦର ରାଉତ ବହିଷ୍କୃତ

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ବୁଧବାର ବହିଷ୍କୃତ ହୋଇଛନ୍ତି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଜଗତସିଂହପୁର ଜିଲ୍ଲାର ପାରଦୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଇଥିବା ଜଣାପଡ଼ିଛି। ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି।

ମନ୍ତ୍ରୀ ଥିବା ବେଳେ ନିଜ ତୁଣ୍ଡକୁ ନିୟନ୍ତ୍ରଣରେ ରଖିପାରିଲେନି ବୋଲି ପଦ ଚାଲି ଯାଇଥିଲା। ଏବେ ଦଳ ଭିତରେ ରହି ସରକାର ଓ ଦଳ ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର ଯୋଗୁଁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କୃତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ପୂର୍ବରୁ ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଥିଲେ। ଏବେ ଦଳର ତୃଣମୂଳସ୍ତରରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମୋଙ୍କ ଉପରେ ଚାପ ବଢିବାରେ ଲାଗିଥିଲା । ଗତକାଲି  ଜଗତସିଂହପୁର ଜିଲ୍ଲାର କିଛି ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥଲେ।  ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଦଳ ଓ ସରକାର ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଦାମୋଦର। ଚାରା, ଓମ୍‌ଫେଡ୍‌, ସମବାୟ, ସ୍ୱାସ୍ଥ୍ୟ ବିଭାଗରେ କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣି ଗଣମାଧ୍ୟମ ସାମ୍ନାରେ ଗର୍ଜୁଥିଲେ । ଠିକ୍‌ ଏମିତି ଏକ ସମୟରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଯୋଡିଥଲେ । ନବୀନଙ୍କୁ ଦେଇଥିବା ଅଭିଯୋଗ ଜରିଆରେ କହିଛନ୍ତି, ଟିଟୋ ଲିଙ୍କ୍‌ରେ ଗିରଫ ହୋଇଥିବା ବାପୁ ପରିଡା ସପକ୍ଷରେ ମନ୍ତବ୍ୟ ଦେଇଥିଲେ ଦାମୋଦର। ପାରାଦୀପରେ ଜୁଲମ କରିଛନ୍ତି। ତିର୍ତ୍ତୋଲର ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା କଂଗ୍ରେସର ୨୦୦୦ ମସିହାରୁ ବହୁ ପୁରୁଣା କର୍ମୀଙ୍କୁ ପୌର ପରିଷଦ ସଭାନେତ୍ରୀ କରାଇଛନ୍ତି। ଦଳର ରାଜ୍ୟ ସଭାପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ ଭୁଲୁନାହାନ୍ତି। କେବଳ ସେତିକି ନୁହେଁ, ଲୋକସଭା ସାଂସଦ କୁଳମଣି ଦାସଙ୍କୁ ପ୍ରଭାବିତ କରି ଜଗତସିଂହପୁର ଓ ନାଉଗାଁ ଅଞ୍ଚଳରେ କୌଣସି କାର୍ଯ୍ୟରେ ସହଯୋଗ ନ କରିବାକୁ ପ୍ରବର୍ତାଉଛନ୍ତି।

ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି ଜଣାଇଥିଲେ, ନିର୍ବାଚନ ମାତ୍ର ଚାରି ପାଞ୍ଚ ମାସ ଥିବା ବେଳେ ଦାମୋଦର ତାଙ୍କ ନିର୍ବାଚନମଣ୍ଡଳୀ ବାଲିକୁଦା-ଏରସମାରେ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଛନ୍ତି। ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚାଲିଛି। କଂଗ୍ରେସ ଓ ବିଜେପି ସହିତ ସଂପର୍କ ରଖି ଦଳୀୟ କର୍ମୀଙ୍କ ମନକୁ ଦୁର୍ବଳ କରୁଛନ୍ତି। ଗତକାଲି ଏରସମାରେ ବିପ୍ଳବ ଦିବସ କରି ଏଥିରେ କଂଗ୍ରେସ ଓ ବିଜେପି ନେତାଙ୍କୁ ସାମିଲ କରିଥିଲେ। ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରଘୁନନ୍ଦନ ଦାସ, କଂଗ୍ରେସ ନେତା ବିପ୍ଳବ ଚୌଧୁରୀ, ସୁଶାନ୍ତ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ। ଡାକ୍ତର ରାଉତଙ୍କ ଉପସ୍ଥିତିରେ ସେମାନେ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ହେଲେ ତାଙ୍କ ସହିତ ଯୋଗାଯୋଗ କଲେନି ବରଂ କଂଗ୍ରେସ ଓ ବିଜେପି ନେତାଙ୍କ ଗହଣରେ ସଭାକୁ ଆସିଲେ।

 

ସମ୍ବନ୍ଧିତ ଖବର