୫ ରାଜ୍ୟ ପାଇଁ ନିର୍ବାଚନ ଘୋଷଣା : ନଭେମ୍ବର ୧୨ରୁ ଡିସେମ୍ବର ୭, ୪ଟି ପର୍ଯ୍ୟାୟରେ ଭୋଟ୍, ଡିସେମ୍ବର ୧୧ରେ ଗଣତି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ୍ ଏବଂ ତେଲେଙ୍ଗାନାରେ ୪ଟି ପର୍ଯ୍ୟାୟରେ ନଭେମ୍ବର ୧୨ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧୧ ତାରିଖରେ ଭୋଟ୍‌ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ କମିସନ (ଇସି) ଆଜି ଏହି ଘୋଷଣା କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ସହିତ ୫ଟି ରାଜ୍ୟରେ ନିର୍ବାଚନ ଆଚରଣ ବିଧି ତତକ୍ଷଣାତ୍ ଲାଗୁ ହୋଇଯାଇଛି।

ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୨୮ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ଡିସେମ୍ବର ୭ ତାରିଖରେ ମତଦାନ ହେବ। ସେହିଭଳି ଛତିଶଗଡ଼ର ୯୦ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଯଥା ନଭେମ୍ବର ୧୨ ଓ ୨୦ ତାରିଖରେ ନିର୍ବାଚନ ହେବ। ଛତିଶଗଡ଼ର ମାଓବାଦୀ ଉପଦ୍ରୁତ ଜିଲ୍ଲାଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ସେହିଭଳି ମି‌େଜ‌ାରାମ୍‌ରେ ବିଧାନସଭା ନିର୍ବାଚନ ନଭେମ୍ବର ୨୮ ତାରିଖରେ ହେବ। ଏହି ରାଜ୍ୟରେ ମାତ୍ର ୪୦ଟି ବିଧାନସଭା ଆସନ ରହିଛି।

ସେହିଭଳି ତେଲେଙ୍ଗାନାର ୧୧୯ ବିଧାନସଭା ଆସନ ପାଇଁ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ ବୋଲି କମିସନ ‌େଘାଷଣା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ଗତମାସ ବିଧାନସଭାକୁ ଆଗୁଆ ଭାଙ୍ଗିଦେବା ଯୋଗୁ ରାଜ୍ୟ ପାଇଁ ନିର୍ବାଚନ ଜରୁରୀ ହୋଇପଡ଼ିଛି। କେସିଆର୍‌ ଏବେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁସାରେ ମଧ୍ୟପ୍ରଦେଶ, ମିଜୋରାମ୍, ରାଜସ୍ଥାନ ଓ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମାଓବାଦୀ ପ୍ରଭାବିତ ରାଜ୍ୟ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ତେବେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଆସନ ପାଇଁ ନଭେମ୍ବର ୧୨ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୭୨ ବିଧାନସଭ‌ା ଆସନ ନିମନ୍ତେ ନଭେମ୍ବର ୨୦ ତାରିଖରେ ମତଦାନ ହେବ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଏବଂ ମିଜୋରାମ୍‌ରେ ଗୋଟିଏ ପର୍ଯ୍ୟାୟରେ ଏବଂ ଗୋଟିଏ ତାରିଖରେ ଅର୍ଥାତ୍ ନଭେମ୍ବର ୨୮ ତାରିଖରେ ଏକାବେଳକେ ମତଦାନ ହେବାକୁ ଥିବା ବେଳେ ରାଜସ୍ଥାନ ଓ ତେଲେଙ୍ଗାନାରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ଏହି ଦୁଇଟି ରାଜ୍ୟରେ ଡିସେମ୍ବର ୭ ତାରିଖରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଘୋଷଣା ଅନୁସାରେ ଡିସେମ୍ବର ୧୧ ତାରିଖରେ ଭୋଟ୍‌ ଗଣତି ହୋଇ ସେହିଦିନ ହିଁ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର