ମୋତେ ଗାଦିଚ୍ୟୁତ କରିବାକୁ ଚକ୍ରାନ୍ତ ଚାଲିଛି, କିନ୍ତୁ ମୁଁ ଆସନ ବଞ୍ଚାଇବାକୁ ଉଦ୍ୟମ କରିବିନାହିଁ : କୁମାରସ୍ୱାମୀ

ବାଙ୍ଗାଲୁରୁ : ଦିନକୁ ଦିନ ଜଟିଳ ହେଉଛି କର୍ଣ୍ଣାଟକର ରାଜନୈତିକ ପରିସ୍ଥିତି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ନିଜର ଇଚ୍ଛା ଜାହିର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ କହିଛନ୍ତି ଯେ ତାଙ୍କୁ ଗାଦିରୁ ହଟାଇବା ପାଇଁ ଚକ୍ରାନ୍ତ ଚାଲିଛି । କିନ୍ତୁ ସେ ନିଜ ଆସନ ବଞ୍ଚାଇବାକୁ ଉଦ୍ୟମ କରିବେ ନାହିଁ, ବରଂ ରାଜ୍ୟ ପାଇଁ ଭଲ କାମ କରିଚାଲିବେ ।

ଗତ ଶୁକ୍ରବାରଦିନ ସିଦ୍ଧରାମାୟା କହିଥିଲେ ଯେ ତାଙ୍କର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରହିଛି ଓ ସେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବେ । ନିର୍ବାଚନ ପରେ ତାଙ୍କ ବିରୋଧୀମାନଙ୍କ ଚକ୍ରାନ୍ତ ଯୋଗୁଁ ସେ ହୋଇପାରିନଥିଲେ । କିନ୍ତୁ ସବୁକିଛି ଶେଷହୋଇଯାଇନାହିଁ, ସେ ପୁଣି ଶୀର୍ଷକୁ ଫେରିବେ । ତେବେ ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ ହେବା ପରେ ସେ ଗତ କାଲି ସଫେଇ ଦେଇଥିଲେ ଯେ ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ଯେ ପରବର୍ତ୍ତି ବିଧାନସଭା ନିର୍ବାଚନରେ କଂଗ୍ରେସ ଆବଶ୍ୟକ ଆସନ ଜିତିଲେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ ।

କର୍ଣ୍ଣାଟକ କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ସିଦ୍ଧରାମାୟା ଓ ତାଙ୍କ ଅନୁଗତ ଏବଂ ଅନ୍ୟ ଗୋଷ୍ଠୀଟି ହେଉଛି ନବ ନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ ତାଙ୍କ ଅନୁଗତ । ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୨୦୧୩ରୁ ବିବାଦ ଚାଲିଛି । ସିଦ୍ଧରାମାୟା ଅଭିଯୋଗ କରିଛନ୍ତି ପରମେଶ୍ୱରଙ୍କ ଯୋଗୁଁ ହିଁ ତାଙ୍କର ଅନୁଗତ ଅନେକ ବିଧାୟକ ମନ୍ତ୍ରୀ ହୋଇପାରିନାହାନ୍ତି ।

ସମ୍ବନ୍ଧିତ ଖବର