ସପ୍ତମ ଶ୍ରେଣୀରୁ ଛାଡ଼ିଥିଲେ ପଢ଼ା; ଝିଅମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପାଠ ପଢ଼ିଚାଲିଲେ ବିଜେପି ବିଧାୟକ, ଏବର୍ଷ ଦେବେ ବିଏ ପରୀକ୍ଷା

ଜୟପୁର: ରାଜସ୍ତାନସ୍ଥିତ ଭାରତୀୟ ଜନତା ପାର୍ଟି(ବିଜେପି)ର ଜଣେ ବିଧାୟକ ୪୦ ବର୍ଷ ପରେ ପୁଣି ପାଠ ପଢ଼ିବାକୁ ସ୍କୁଲ୍‌କୁ ଯାଇଥିବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ସ୍କୁଲ୍‌ରୁ ଅଧା ପଢ଼ି ପାଠ ଛାଡ଼ି ଦେଇଥିବା ବେଳେ ପିଲାମାନଙ୍କୁ ଶିକ୍ଷାଲାଭର ମହତ୍ୱ ସଂପର୍କରେ ବୁଝାଇବାରୁ ଯାଇ ଭାଷଣ ଦେବା ବ୍ୟର୍ଥ ବୋଲି ଅନୁଭବ କରିବାରୁ ସେ ପ୍ରଥମେ ନିଜକୁ ଶିକ୍ଷିତ କରିବା ପାଇଁ ଚିନ୍ତା କରିଛନ୍ତି।

ଉଦୟପୁରର ଗ୍ରାମାଞ୍ଚଳ ବିଧାୟକ ଫୁଲ୍‌ ସିଂହ ମିନା(୫୫)ଙ୍କ ବାପା ଭାରତୀୟ ସେନାରେ ଥିଲେ। ସେ ସହିଦ ହୋଇଯିବା ପରେ ଫୁଲ୍‌ ସିଂହ ମିନା ସପ୍ତମ ଶ୍ରେଣୀରୁ ନିଜ ପାଠ ପଢ଼ା ଛାଡ଼ି ପରିବାର ପୋଷିବା ପାଇଁ ଯାଇ କ୍ଷେତରେ କାମ କରିଥିଲେ। ବଡ଼ ହେବା ପରେ ରାଜନୀତିରେ ପ୍ରବେଶ କଲେ। ମାତ୍ର ଅଧୁରା ପାଠପଢ଼ାକୁ ଆଉ ପୂରା କରିବାର ସମୟ ପାଇଲେ ନାହିଁ।

ଫୁଲ୍‌ ସିଂହ କହନ୍ତି, ‘ମୋ ଝିଅମାନେ ସବୁବେଳେ ମୋତେ ପାଠ ପୁଣି ଥରେ ପାଠ ପଢ଼ିବାକୁ କହନ୍ତି। ମାତ୍ର ମୋର ବୟସ ହେତୁ ମୁଁ ସେଥିରେ ମନ ଦିଏ ନାହିଁ। ସେମାନେ କହନ୍ତି କି ମୁଁ ବହୁ ବଡ଼ ବଡ଼ ନେତା ଓ ଅଧିକାରୀଙ୍କ ସହ ମିଳାମିଶା କରୁଛି। ତେଣୁ ମୋର ଶିକ୍ଷାଗତ ଯୋଗ୍ୟତା ସେମାନଙ୍କ ସମକକ୍ଷ ହେବା ଜରୁରୀ। ମୋତେ ବି ଧୀରେ ଧୀରେ ମୋ ୫ ଝିଅଙ୍କ କଥା ଠିକ୍‌ ଲାଗିଲା। ମୁଁ ପରବର୍ତ୍ତୀ ସମୟରେ ଗୋଟାଏ ପରେ ଗୋଟାଏ ଶ୍ରେଣୀ ପଢ଼ିଚାଲିଲି।’

ଫୁଲ୍‌ ସିଂହ ମିନା ଏବର୍ଷ ଯୁକ୍ତ ତିନି ପ୍ରଥମ ବର୍ଷ ପରୀକ୍ଷା ଦେଉଛନ୍ତି। ଆଉ ୨ ବର୍ଷ ପରେ ସେ ଜଣେ ଗ୍ରାଜୁଏଟ୍‌ ବନିଯିବେ। ନିଜ ବାପାଙ୍କ ସଂପର୍କରେ ତାଙ୍କ ମଧ୍ୟମ ଝିଅ କହନ୍ତି, ‘ମୋ ବାପା ପାଠ ପଢ଼ାକୁ ନେଇ ଖୁବ୍‌ ସଚେତନ। ଯେଉଁଭଳି ଭାବେ ସେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ତାଙ୍କ ପାଇଁ ଆମେ ବେଶ୍‌ ଗର୍ବିତ।’

ସମ୍ବନ୍ଧିତ ଖବର